ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ପ୍ରମୁଖ ଆକର୍ଷଣ ହେଉଛି ଚିଲିକା। ତେବେ ଚିଲିକାର ଆଖପାଖ ଅଞ୍ଚଳରେ ଉଚ୍ଚମାନର କୌଣସି ହୋଟେଲ ନଥିବା କାରଣରୁ ଦେଶବିଦେଶର ଅନେକ ପର୍ଯ୍ୟଟକ ସେଠାରେ ରାତ୍ରିଯାପନ କରିପାରୁନଥିଲେ। ରାଜ୍ୟର ଅଗ୍ରଣୀ ହୋଟେଲ ଗ୍ରୁପ୍‍ ସ୍ୱସ୍ତି ପକ୍ଷରୁ ନିର୍ମିତ ‘ସ୍ୱସ୍ତି ଚିଲିକା ରିସର୍ଟ’ ଏବେ ଏହି ଅଭାବକୁ ପୂରଣ କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଏହାର ଉଦ୍‌ଘାଟନ କରିଛନ୍ତି। ଅଗଷ୍ଟ ୧ ତାରିଖରୁ ଏହା ଗ୍ରାହକମାନଙ୍କ ପାଇଁ ବିଧିବଦ୍ଧ ଭାବେ ଖୋଲିବାକୁ ଯାଉଛି।

ଚିଲିକା ହେଉଛି ଆମ ପର୍ଯ୍ୟଟନ ସମ୍ପଦର ଏକ ପ୍ରମୁଖ ଅଙ୍ଗ। ସ୍ୱସ୍ତି ଚିଲିକା ରିସର୍ଟର ପରିକଳ୍ପନାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ଚିଲିକାକୁ ଏକ ‘ଗ୍ଲୋବାଲ୍‍ ଡେଷ୍ଟିନେସନ’ ଭାବରେ ଅଧିକ ଲୋକପ୍ରିୟ କରିବା ଦିଗରେ ଏହା ସହାୟକ ହେବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ।  ସେ ଆହୁରି କହିଥିଲେ ଯେ ରାଜ୍ୟରେ ପର୍ଯ୍ୟଟନ ବିକାଶ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ଆଗାମୀ ଦିନରେ ଏହା ରାଜ୍ୟରେ ଅର୍ଥନୈତିକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଭୁବନେଶ୍ୱରରୁ ବ୍ରହ୍ମପୁର ଯିବା ବାଟରେ ଜାତୀୟ ରାଜପଥ-୧୬ର ଭେଜିପୁଟ୍ଟଠାରୁ ୫ କିଲୋମିଟର ଭିତରକୁ ଚିଲିକା କୂଳରେ ଓଡ଼ିଆ ଆଲପୁରଠାରେ ତିଆରି ହୋ‍ଇଛି ଏହି ଅତ୍ୟାଧୁନିକ ରିସର୍ଟ। ପ୍ରାୟ ୯ ଏକର ଜାଗାରେ ଗଢିଉଠିଥିବା ଏହି ରିସର୍ଟରେ ପର୍ଯ୍ୟଟକମାନଙ୍କ ପାଇଁ ରହିଛି ବିଭିନ୍ନ ଢାଞ୍ଚାର ରୁମ୍‍ ଏବଂ ଅନ୍ୟାନ୍ୟ ସୁବିଧା। ଏଠାରେ ରହିଛି ହୋଟେଲ ବ୍ଲକରେ ୩୬ଟି ରୁମ୍‍, ୫ଟି ପୁଲ୍‍ଭିଲ୍ଲା, ପ୍ରତ୍ୟେକ କ୍ୱାଡଭିଲ୍ଲାରେ ଚାରିଟି କରି ୯ଟି ଭିଲ୍ଲାରେ ମୋଟ ୩୬ଟି ରୁମ୍‍ ଏବଂ ଗୋଟିଏ ପ୍ରେସିଡେନ୍ସିଆଲ ଭିଲ୍ଲା। ସେହିପରି ୨ଟି କନଫରେନ୍ସ ହଲ, ୨ଟି ରେସ୍ତୋରାଁ, ଆମ୍ଫିଥିଏଟର, କ୍ୟାଫେ, ବାର୍‍ ସହିତ ଏଠାରେ ଥିବା ଅତ୍ୟାଧୁନିକ ସୁଇମିଂ ପୁଲ୍‍ ଓ ସ୍ପା ଆଦି ସ୍ଥାନୀୟ ଓ ଅନ୍ତର୍ଜାତୀୟ ଅତିଥିମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ହେବ ବୋଲି ସ୍ୱସ୍ତି ଗ୍ରୁପ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଯତୀନ୍ଦ୍ର କୁମାର ମହାନ୍ତି ଓଡ଼ିଶାଲାଇଭ୍‌କୁ କହିଛନ୍ତି।

କେବଳ ବିଦେଶୀ ପର୍ଯ୍ୟଟକ ନୁହନ୍ତି, ଭାରତୀୟ ପର୍ଯ୍ୟଟକମାନେ ମଧ୍ୟ ବିଭିନ୍ନ ଦେଶରେ ଥିବା ଆକର୍ଷଣୀୟ ରିସର୍ଟରେ ଅବସର କାଟିବାକୁ ପସନ୍ଦ କରୁଛନ୍ତି। ବିଶେଷକରି ଦୈନନ୍ଦିନ କର୍ମଜୀବନର ଚାପ ଓ ସହରର ଭିଡ଼ ଭିତରୁ ବାହାରି ପ୍ରକୃତି କୋଳରେ ଶାନ୍ତିପୂର୍ଣ୍ଣ ଭାବେ କିଛିଟା ମୁହୂର୍ତ୍ତ ବିତାଇବା ସହ ସ୍ପା ଓ ଯୋଗ ମାଧ୍ୟମରେ ଶାରୀରିକ ଓ ମାନସିକ ସ୍ଫୂର୍ତ୍ତି ହାସଲ ପାଇଁ ସେମାନେ ସ୍ଥାନ ଖୋଜୁଛନ୍ତି। ସ୍ୱସ୍ତି ଚିଲିକା ରିସର୍ଟ ସେମାନଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ତା’ଛଡ଼ା ସେ ଏହାକୁ ବିଭିନ୍ନ କର୍ପୋରେଟ ଇଭେଣ୍ଟ ଏବଂ ଡେଷ୍ଟିନେସନ ୱେଡିଂ ପାଇଁ ଏକ ‘ଫ୍ୟୁଚର ଭେନ୍ୟୁ’ ଭାବେ ବର୍ଣ୍ଣନା କରିଛନ୍ତି।

ଏହି ଅତ୍ୟାଧୁନିକ ରିସର୍ଟର ରୁମ୍‌ ଭିତରୁ ଚିଲିକାର ଅପୂର୍ବ ଶୋଭା ଉପଭୋଗ କରିହେବ। ସେହିପରି ଏହି ହୋଟେଲ ନିକଟରେ ଆଗାମୀ ଦିନରେ ଏକ ୱାଟରସ୍ପୋର୍ଟ୍ସ ସୁବିଧା ଗଢିଉଠୁଛି ଯାହାକି ସ୍ଥାନୀୟ ଓ ବାହାରର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ। ଥାଇଲାଣ୍ଡର ଜଣେ ଜଣାଶୁଣା ଆର୍କିଟେକ୍ଟଙ୍କ ପରିକଳ୍ପନା ଅନୁଯାୟୀ ନିର୍ମିତ ସ୍ୱସ୍ତି ଚିଲିକା ରିସର୍ଟ ‘ଇଣ୍ଡିଆନ ଗ୍ରିନ୍‍ ବିଲଡିଂ କାଉନ୍ସିଲ’ର (ଆଇଜିବିସି) ଅନୁମୋଦନ ହାସଲ କରିଛି।

ଏହି ଅବସରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଊଷା ଦେବୀ, କବିସୂର୍ଯ୍ୟନଗର ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓ, ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ, ଗଞ୍ଜାମ ଜିଲ୍ଲାପାଳ ପ୍ରେମ୍‍ ଚନ୍ଦ୍ର ଚୌଧୁରୀ, ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁ ଏବଂ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ସ୍ୱସ୍ତି ଗ୍ରୁପ୍‍ ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ବିପାଶା ମହାନ୍ତି, ନିର୍ଦ୍ଦେଶକ ଚିରଞ୍ଜିବ ମହାନ୍ତି, ମୁଖ୍ୟ ଅର୍ଥ ଅଧିକାରୀ ପ୍ରିୟନାଥ ବେହେରା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Odisha CM Inaugurates Swosti Chilika Resort on the bank of Chilika Lagoon

“Swosti Chilika Resort will soon become a favourite global destination” – JK

Comment