ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାରଠାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହେବ। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ୩ ଦିନ ଧରି ଏହି ଗଣନା ଚାଲିବ। ଚିଲିକା, ସାତପଡ଼ା, କୃ୍‌ଷ୍ଣପ୍ରସାଦ, ପାରିକୁଦ ଏବଂ ରମ୍ଭା ଆଦି ଅଞ୍ଚଳରେ ମୋଟ ୧୮ଟି ଗଣନାକାରୀ ଦଳ ଏହି ଗଣନା କରିବେ। ମୋଟ ୧୪୦ଜଣ ଗଣନାକାରୀ ଏହି ଦଳଗୁଡ଼ିକରେ ସାମିଲ ହେବେ। ମଙ୍ଗଳବାର ଅପରାହ୍ନରେ ବାଲୁଗାଁ ସ୍ଥିତ ବନ୍ୟପ୍ରାଣୀ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଗଣନାକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ଏହି ଡଲଫିନ୍ ଗଣନା ଲାଇନ ଟ୍ରାଞ୍ଜାକ୍ଟ ପ୍ରଣାଳୀ ହୋଇଥାଏ। ଏହି ପ୍ରଣାଳୀ ଅନୁସାରେ ଚିଲିକାର ଯେଉଁ ଅଞ୍ଚଳରେ ଡଲଫିନ୍‌ ଦୃଷ୍ଟିଗୋଚର ହୋଇଥାନ୍ତି, ସେଠାରେ ଗଣନାକାରୀଙ୍କ ଡ଼ଙ୍ଗା ଏକ ସରଳରେଖା ଦେଇ ଗତି କରିବ। ଏହି ସମୟରେ ଉଭୟ ପାର୍ଶ୍ୱରେ ଯେତିକି ସଂଖ୍ୟକ ଡଲଫିନ୍‌ ଦୃଷ୍ଟିଗୋଚର ହେବେ ବାଇନାକୁଲାର ଓ ଜିପିଏସ ମାଧ୍ୟମରେ ସେମାନଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ। ଗଣନା ପାଇଁ ସମଗ୍ର ଚିଲିକାକୁ ୪ଟି ସେକ୍ଟରେ ବିଭକ୍ତ କରାଯାଇଛି। ପ୍ରତିଦିନ ଭୋର ୬ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଏହି ଗଣନା କରାଯିବ। ପ୍ରତ୍ୟେକ ଗଣନାକାରୀ ଦଳକୁ ଗୋଟିଏ ଲେଖାଏଁ ଡଙ୍ଗା ଏବଂ ଆବଶ୍ୟକ ଯନ୍ତ୍ରାଂଶ ଯୋଗାଇ ଦିଆଯାଇଛି।

ଗତବର୍ଷ ଚିଲିକାରେ ୧୬୭ଟି ଡଲଫିନ୍‌ ଚିହ୍ନଟ ହୋଇଥିଲେ। ତେବେ ବିଭିନ୍ନ କାରଣରୁ ବହୁ ଡଲଫିନ୍ ମୃତ୍ୟୁବରଣ କରୁଛନ୍ତି।  ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ମୃତ ଅବସ୍ଥାରେ ପଡ଼ି ରହିଥିବା ଦେଖାଯାଉଛି। ତେବେ ଡଲଫିନମାନଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ଦିଆନଗଲେ ଏମାନେ ଚିଲିକାରୁ ବିଲୁପ୍ତ ହୋଇଯିବେ।

Tags: #Dolphincensus #Chilika #IrrawaddyDolphin #Endangeredspecies #Satapada #Odisha

Comment