ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।
ଓଡ଼ିଆ ଓ ଓଡ଼ିଶା (୩୮ )
ବାକଶକ୍ତି ହେଲା ଆମର ଭାବ ପ୍ରକାଶ କରିପାରିବାର ଶକ୍ତି। ଦେହ ଭିତରର ଘଟଣା ବାହାରକୁ ଜଣାଇବାରେ ଆମର ରକ୍ତ ସଞ୍ଚାଳନ ଓ ପବନ ପ୍ରବାହ ଦାୟିତ୍ଵ ନିଅନ୍ତି। ଆମେ ଆପେ ଆପେ କିଛି ଧ୍ଵନି ପ୍ରକାଶ କରୁ – ଯେପରି ହସ, କାନ୍ଦ, ଆଶ୍ଚର୍ଯ୍ୟ ଓ କ୍ରୋଧ ଇତ୍ୟାଦି। ଧ୍ଵନି ପ୍ରକାଶ ପୂର୍ବରୁ ଶରୀରରେ ଭାବ ଜାଗରଣ ବୋଲି ଆମ ଭାରତୀୟ ଦାର୍ଶନିକ ମାନଙ୍କର ମତ। ଧ୍ଵନି ଉତ୍ପତ୍ତିର ବିଶ୍ଲେଷଣ ପାଶ୍ଚାତ୍ୟ ବିଜ୍ଞାନରେ ହୋଇନାହିଁ। ‘ଏ’ ପ୍ରବନ୍ଧରେ କିଛି ପରିମାଣରେ ଆଲୋଚନା କରିବାର ଚେଷ୍ଟା କରିବି। ତେବେ ସମ୍ପୂର୍ଣ୍ଣ ସରଳ ନ ହୋଇପାରେ।
ଭାବ କଣ ? ଭରତ ମୁନିଙ୍କର ନାଟ୍ୟଶାସ୍ତ୍ର ଅନୁସାରେ ମଣିଷର ସ୍ଥାୟୀ ଭାବ ଆଠୋଟି। ଏମାନେ ମଣିଷ ଭିତରେ ସ୍ଵତଃ ଉତ୍ପନ୍ନ ହୁଅନ୍ତି, ବାହାରର ପ୍ରଭାବରୁ ନୁହେଁ। ମଣିଷର ଶରୀରର ରକ୍ଷଣ ପ୍ରକ୍ରିୟା ଆଠୋଟି ଭାଗରେ ବିଭକ୍ତ ବୋଲି ମୁନିଙ୍କର ମତ। ଏହା ଏବେ ବିଜ୍ଞାନସମ୍ମତ। ପ୍ରତ୍ୟେକ ଭାବ ପାଇଁ ରକ୍ତ ସଞ୍ଚାଳନ ଓ ଶ୍ଵାସକ୍ରିୟା ଅଲଗା। ଏମାନଙ୍କୁ ଜାଣିବାପାଇଁ ଆମର ସ୍ନାୟୁଗତ ଜ୍ଞାନ ଅଛି। ତା’ ଭିତରେ ବି ଆଉ କିଛି ପ୍ରକ୍ରିୟା ହେଉ ଥାଇପାରେ , ଯାହା ଆମକୁ ସ୍ଥୂଳ ଭାବରେ ବୋଧ ହୁଏ ନାହିଁ।
ପରିସ୍ଥିତି ନେଇ ଆଉ କିଛି ଭାବ ଶରୀରରେ ଅସ୍ଥାୟୀ ଭାବରେ ସଞ୍ଚରଣ କରିଥାଏ। ଏମାନେ ବାହାରର ପ୍ରଭାବରୁ ଆମ ଶରୀର ଭିତରେ ଉଦବୁଦ୍ଧ ହୁଅନ୍ତି – ଯେପରି ଭଲ ଦୃଶ୍ୟ ଦେଖିଲେ ଖୁସି, ବା ଭଲ ଖାଦ୍ୟ ଦେଖିଲେ ଲାଳସା। ଏମାନଙ୍କୁ ଆମେ ଅନ୍ତଃସ୍ଥ ରଖିପାରୁନାହିଁ , ବର୍ଣ୍ଣ ଉତ୍ପନ୍ନ ହୁଏ। ଭରତଙ୍କ ମତରେ ଏହାକୁ ବି ଅଭିନୟରେ ପ୍ରକାଶ କରାଯାଇପାରେ। କିନ୍ତୁ ଭାଷା ପ୍ରକାଶ ହେଲା ସ୍ଵାଭାବିକ। ମୁନିଙ୍କ ମତରେ ଏମାନଙ୍କର ସଂଖ୍ୟା ହେଲା ତେତିଶି। ବୈୟାକରଣିକ ପାଣିନିଙ୍କ ମତରେ ବ୍ୟଞ୍ଜନ ବର୍ଣ୍ଣ ସଂଖ୍ୟା ମଧ୍ୟ ହେଲା ତେତିଶି।
‘ଏ’ ତେତିଶି ସଂଖ୍ୟାଟି କିପରି ଗଣା ହେଲା – ତା’ ଆମେ ଜାଣିନାହୁଁ। ତେତିଶି ସଂଖ୍ୟା ମୂଳକ ବିଭିନ୍ନ ବର୍ଣ୍ଣନା ଆମ ଶାସ୍ତ୍ର ରେ ଅଛି। ବେଦରୁ ତେତିଶି ସଂଖ୍ୟାର ଆରମ୍ଭ। ତା’ ଆଗରୁ ବି ହୋଇପାରେ। ପାଣିନିଙ୍କ ମତରେ ତେତିଶି ଟି ବର୍ଣ୍ଣ ହେଲା ଆମର ଶରୀରର ତେତିଶିଟି ସ୍ଵତନ୍ତ୍ର ଧ୍ଵନି। ସେ କିପରି ଜାଣିଲେ ବା କି ପରୀକ୍ଷା କଲେ – ତା’ ଆମେ କହିପାରିବା ନାହିଁ। ତା’ର ପୋଥି ଆମେ ଏ’ ପର୍ଯ୍ୟନ୍ତ ପାଇନାହୁଁ। ତେବେ ସେହି ତେତିଶିକୁ ବୋଧ ହୁଏ ଭରତମୁନି ଭାବରେ ଖୋଜିଛନ୍ତି। ଏ’ ପ୍ରକାରର କଳ୍ପନା କରାଯାଇପାରେ।
ତେବେ ଏହା ନିଧାର୍ଯ୍ୟ ଭାବରେ କୁହାଯାଇପାରେ ଯେ ବ୍ୟଞ୍ଜନ ପ୍ରକାଶର ଦୁଇଟି ପର୍ଯ୍ୟାୟ ଅଛି। ଗୋଟିଏ ହେଲା ରକ୍ତ ସଞ୍ଚାଳନ ଓ ଶ୍ଵାସକ୍ରିୟା ଯୋଗୁଁ ବର୍ଣ୍ଣର ଉତ୍ପତ୍ତି ଏବଂ ଦ୍ଵିତୀୟ ହେଲା ମୁହଁ ମାଧ୍ୟମରେ ବର୍ଣ୍ଣର ଉଚ୍ଚାରଣ। ଅର୍ଥାତ୍ ବ୍ୟଞ୍ଜନ ଉପରେ ସ୍ଵର କଣ୍ଠରୁ ଯୋଡା ହୁଏ। ତେଣୁ ଆମେ କହିପାରିବା ଯେ’ ଭାବର ଦୁଇଟା ଭାଗ ଅଛି – ଗୋଟିଏ ହେଲା ଶ୍ଵାସ ନିୟନ୍ତ୍ରଣ ଏବଂ ଦ୍ଵିତୀୟଟି ହେଲା ସ୍ଵର ନିୟନ୍ତ୍ରଣ। ଶ୍ଵାସ ନିୟନ୍ତ୍ରଣରେ ଆମେ ବସ୍ତୁର ଆକୃତିକୁ ଚିହ୍ନୁ, ସ୍ଵର ନିୟନ୍ତ୍ରଣରେ ଆମେ ବସ୍ତୁର ପ୍ରକୃତି ବର୍ଣ୍ଣନା କରୁ।
ମନେ କରାଯାଉ ଆମେ ଗୋଟିଏ ବାଘ ହାବୁଡରେ ପଡିଲେ। ଆମ ଭିତରେ ଭୟ ଜାତ ହେଲା। ବାଘ ଆସୁଛି, କି ଯାଉଛି ବା ଖେଳୁଛି ସାଙ୍ଗରେ ବାଘର ଆକୃତି ଅଛି। ଏହି ଆକୃତି ହେଲା ବର୍ଣ୍ଣର ଉତ୍ପତ୍ତି। ଏ’ ହେଲା ବ୍ୟଞ୍ଜନ। ତା’ ପରେ ବାଘର ଅବସ୍ଥା ବର୍ଣ୍ଣନା କରିବା ହେଲା ସ୍ଵରର କାମ। ଏଥିରେ କହିବାର ଭଙ୍ଗୀ ଅଛି, ଠାଣି ଅଛି, ଉଚ୍ଚା ନୀଚା ଅଛି। ଏ’ ସବୁକୁ ଆମେ ସ୍ଵର ସଂଯୋଜନ କରି ଉଚ୍ଚାରଣ କରୁ। ଦୂରତ୍ଵ ଓ କାଳର ବର୍ଣ୍ଣନା ବି ସ୍ଵରରେ କରାଯାଏ। ସ୍ଵର ସଂଖ୍ୟା ଅସୀମ, ଏକୋଇଶିଟି ଆମେ ଗଣୁ। ଏହା ଫଳରେ ଜଗତ ବର୍ଣ୍ଣନା ଭାଷାରେ ସୀମିତ ହୁଏ, ତଥାପି ଭାବ ଗ୍ରହଣ କରିପାରୁ।
ବର୍ଣ୍ଣ ପ୍ରକାଶରୁ ଭାଷା ସୃଷ୍ଟି ଲାଗି ବ୍ୟାକରଣ ଲୋଡ଼ା। ମଣିଷ ମସ୍ତିଷ୍କରେ କି ପ୍ରକାରର ବ୍ୟାକରଣ ଅଛି ତା’ର ନିଷ୍ପତ୍ତି ହୋଇନାହିଁ। ବର୍ଣ୍ଣକ୍ରମ ଖାଲି ଗୋଟିଏ ଗଣିବା ପଦ୍ଧତି, ବର୍ଣ୍ଣ ଉତ୍ପତ୍ତିରୁ ବର୍ଗବିଭାଗ କରାଯାଇଅଛି। ଭାବକୁ ପ୍ରକାଶ କରିବାରେ ବର୍ଣ୍ଣକୁ ବ୍ୟବହାର କରିବାକୁ ହେବ। ଏହି ବ୍ୟବହାର ପ୍ରଣାଳୀ ହେଲା ବ୍ୟାକରଣ। ମଣିଷର ଶରୀରଗତ ବ୍ୟାକରଣ ଅଛି ବୋଲି ବୈଜ୍ଞାନିକମାନଙ୍କର ଧାରଣା। ତେବେ ମଣିଷ ତା’ର ସମୟ ସୁବିଧା ନେଇ ଯୋଗାଯୋଗ ନିମିତ୍ତ ଭାଷାବ୍ୟାକରଣ ସୃଷ୍ଟି କରିଥାଏ। ମୂଳ ସଂଜ୍ଞାପଦ ମଣିଷର ମସ୍ତିଷ୍କଗତ ବୋଲି ସପ୍ତମ ଶତାବ୍ଦୀ ଭାରତୀୟ ବୈୟାକରଣିକ ଭର୍ତ୍ତୃହରିଙ୍କର ମତ।
ଏହି ସଂଜ୍ଞାପଦର ସୃଷ୍ଟି ଓଡିଆ ପରି ପୁରୁଣା ଭାଷାରେ ଦେଖିବାକୁ ମିଳୁଛି। “ଗାଈ” କୁ “ଗାଈ” କହିବା କିମ୍ବା “ପାଣି” କୁ “ପାଣି” ନାଁ ଦେବା କେହି ପୁରୁଣା ଶବରର କୃତି। ତେବେ ମୂଳରୁ “ଗାଈ” ଶବ୍ଦ ବି ନ ଥାଇପାରେ , କୌଣସି ଏକବର୍ଣ୍ଣୀ ଶବ୍ଦ ଥାଇପାରେ। ଏ’ ପରି ଏକବର୍ଣ୍ଣୀ ସଂଜ୍ଞା ପଦ ଆମର ଭିତିରିଆ ଅଞ୍ଚଳରେ ପ୍ରଚଳିତ ହେଉଛି ବୋଲି ମୋର ବିଶ୍ଵାସ। କିନ୍ତୁ ସେ’ ବିଷୟରେ ତଦନ୍ତ କରିନାହିଁ। ଆଫ୍ରିକୀୟ ଭାଷା ମାନଙ୍କରେ ବି ହୋଇପାରେ। ସଂସ୍କୃତ ବ୍ୟାକରଣ ବହୁତ ପରେ ତିଆରି ହୋଇଛି।