ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ରିପୋର୍ଟ ପଜିଟିଭ୍ ଆସିବାରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଯୁବକ। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରେଲଓ୍ଵେ କଲୋନୀର ମୁକୁଲ ବର୍ଣ୍ଣାଡ କୁମାର। ସେ ରାୟଗଡ଼ା ରେଲଓ୍ଵେର ମେକାନିକାଲ ବିଭାଗରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ।
କିଛିଦିନ ପୂର୍ବରେ ତାଙ୍କଠାରେ କାଶ ଓ ଥଣ୍ଡାଜ୍ଵର ଭଳି ଲକ୍ଷଣ ଦେଖା ଦେଇଥିଲା। ଏହାପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜର କରୋନା ପରୀକ୍ଷା କରିଥିଲେ। ଶନିବାର ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ନିଜ କ୍ଵାର୍ଟରରେ ସଙ୍ଗରୋଧରେ ରହିଥିଲେ।
କିନ୍ତୁ ରବିବାର ସକାଳେ ତାଙ୍କ କ୍ଵାର୍ଟରରେ ତାଙ୍କର ମୃତଦେହ ଝୁଲିଥିବା ଦେଖିବାକୁ ମିଳିଥିଲା। ମାନସିକ ଭାରସାମ୍ୟ ହରାଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତ ପରେ ରେଲୱେ ପୋଲିସ ଅନୁମାନ କରିଛି। ଏହି ଘଟଣା ସମ୍ପର୍କରେ ମୁକୁଲଙ୍କ ପରିବାର ଲୋକଙ୍କୁ ଆରପିଏଫ୍ ଅବଗତ କରିଛି। ସୋମବାର ମୁକୁଲଙ୍କର ପରିବାର ଲୋକ ରାୟଗଡ଼ାରେ ପହଞ୍ଚିବା ପରେ ତାଙ୍କର ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।