ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ ଚିକିତ୍ସା ଲାଗି ସୁବିଧା ସବୁ ସ୍ଥାନରେ ଅଛି କି ନା ତାହା ତଦାରଖ କରିବା ପାଇଁ ଓଡ଼ିଶା ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କରୋନା ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବା ବ୍ୟତୀତ କୋଭିଡ ସେଣ୍ଟରର ଉପଯୁକ୍ତ ପରିଚାଳନା ଏହି କମିଟିର ଦାୟିତ୍ୱ ହେବ। ସରକାର ଓ ମେଡିକାଲ କଲେଜ ସ୍ତରରେ ଏହି ବିଶେଷଜ୍ଞ କମିଟି ଗଠନ ହୋଇଛି।
ପ୍ରଥମ ପର୍ଯ୍ୟାୟ
କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଗତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ସେଣ୍ଟର ମାନ ଖୋଲା ଯାଇଥିଲା। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡେଡିକେଟେଡ଼ ହେଲଥ ସେଣ୍ଟର ଓ ହସ୍ପିଟାଲ ମଧ୍ୟ ସବୁ ଜିଲ୍ଲାରେ ଖୋଲା ଯାଇଥିଲା।ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ହ୍ରାସ ପାଇବା ପରେ ଏହି ଚିକିତ୍ସା କେନ୍ଦ୍ର ଗୁଡିକୁ ହୁଏତ ବନ୍ଦ କରି ଦିଆଯାଇଥିଲା ଅଥବା ସେମାନଙ୍କର କ୍ଷମତାକୁ କାଟଛାଣ୍ଟ କରି ଦିଆଯାଥିଲା।

ଦ୍ଵିତୀୟ ସଂକ୍ରମଣ
ଏବେ ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଥିବା କାରଣରୁ କୋଭିଡ ସେଣ୍ଟର ଗୁଡିକୁ କାର୍ଯ୍ୟକ୍ଷମ କରିବା ସହ ସେ ସବୁ ସେଂଟରରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସରକାର ତତ୍ପର ହୋଇ ଉଠିଛନ୍ତି।ଏହି ସମ୍ପ୍ରସାରିତ ସୁବିଧା ଭିତରେ ରହିଛି ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ ଗୁଡ଼ିକରେ ବେଡ଼ ସଂଖ୍ୟା ବୃଦ୍ଧି, ଆଇସିୟୁ ଓ ଏଚଡିୟୁ କ୍ଷମତା ବୃଦ୍ଧି ଇତ୍ୟାଦି।ପ୍ରଥମ ଥର ଭଳି ଏଥର ମଧ୍ୟ ସଫଳ ଭାବରେ କରୋନା ମୁକାବିଲା କରିବା ହେଉଛି ସରକାରଙ୍କ ଲକ୍ଷ୍ୟ।
ଚାରି ଜଣିଆ କମିଟି
ଯେଉଁ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରାଯାଇଛି ସେଥିରେ ୪ ଜଣ ସଦସ୍ୟ ଅଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଏହି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ତାଙ୍କ ବ୍ୟତୀତ ବିଭିନ୍ନ ମେଡିକାଲ କଲେଜର ପଲମୋନାରି ମେଡିସିନ ବିଭାଗ, ମାଇକ୍ରୋବାୟୋଲଜି, ଆନାସଥେସିଆ ବିଭାଗର ମୁଖ୍ୟମାନେ ଏହି କମିଟିର ସଦସ୍ୟ ଅଛନ୍ତି।
ବିଭିନ୍ନ କୋଭିଡ ହସ୍ପିଟାଲ ଯିବେ ଟିମ୍
ଏହି ଟିମର ପ୍ରାଥମିକ ଦାୟିତ୍ୱ ହେବ ବିଭିନ୍ନ କୋଭିଡ ହସ୍ପିଟାଲ ଓ ଚିକିତ୍ସା କେନ୍ଦ୍ରର ସରଜମିନ ପରିଦର୍ଶନ କରିବା।ପ୍ରତି ଜିଲ୍ଲାର ମୁଖ୍ୟ ଚିକତ୍ସା ଅଧିକାରୀ ବା ସିଡିଏମଓ ଏବଂ ସହାୟକ ଚିକିତ୍ସା ଅଧିକାରୀଙ୍କୁ ଏହି କମିଟି ସହିତ ଟ୍ୟାଗ କରାଯିବ।ଯେତେବେଳେ ଟିମ ପରିଦର୍ଶନରେ ଯିବେ ଆବଶ୍ୟକୀୟ ତଥ୍ୟ ସହ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନେ ଉପସ୍ଥିତ ରହିବେ।
ବିଶେଷଜ୍ଞ କମିଟି ଆହୁରି ମଧ୍ୟ କରୋନା ରୋଗୀଙ୍କ ଠିକ ସ୍କ୍ରିନିଂ କରାଯାଉଛି କି ନା ଓ ସମସ୍ତେ ପ୍ରୋଟୋକଲ ମାନୁଛନ୍ତି କି ନା ଦେଖିବେ।ସାମ୍ପଲ ସଂଗ୍ରହ,କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ପଦ୍ଧତି,ଆଇସୋଲେସନ ଓ କ୍ୱାରାନଟାଇନ ନିୟମ ପାଳନ ,ଆଇସିୟୁ ଠିକ ଲୋକଙ୍କୁ ମିଳୁଛି କି ନା,ବାୟୋମେଡ଼ିକାଲ ୱେଷ୍ଟର ପରିଚାଳନା, ପିପିଇ କିଟର ଉପଯୁକ୍ତ ବ୍ୟବହାର,କରୋନା ମୃତକଙ୍କ ଶବ ହସ୍ତାନ୍ତର ପ୍ରକ୍ରିୟା ଇତ୍ୟାଦି ବିଷୟ ମଧ୍ୟ ତଦାରଖ

କରିବେ।
ଷ୍ଟକ ଚେକିଙ୍ଗ
ରୋଗୀଙ୍କୁ ଠିକ ସମୟରେ ଓ ଠିକ ଭାବରେ ଖାଦ୍ୟ ଦିଆଯାଉଛି କି ନା ହସ୍ପିଟାଲରେ ଆବଶ୍ୟକୀୟ ଉପକରଣ ଅଛି କି ନା, ଅକ୍ସିଜେନ ସିଲିଣ୍ଡର,ପିପିଇ କିଟ ଏବଂ ଔଷଧ ଯଥେଷ୍ଟ ପରିମାଣରେ ଗଛିତ ଅଛି କି ନାହିଁ ଓ କରୋନା ରୋଗୀ ମାନେ ମିଳୁଥିବା ଚିକିତ୍ସା ସୁବିଧାରେ ସନ୍ତୁଷ୍ଟ କି ନାହିଁ ଏସବୁ ଦେଖିବା ମଧ୍ୟ କମିଟିର ଦାୟିତ୍ୱ ହେବ।
ମେଡିକାଲ କଲେଜକୁ ଦାୟିତ୍ୱ
କଟକ,ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲା କଟକ ଏସସିବି ମେଡିକାଲ କଲେଜ ଅଧୀନରେ ରହିବେ। ସେହିପରି ବୌଦ୍ଧ, କନ୍ଧମାଳ, ଗଜପତି ଓ ଗଞ୍ଜାମ ବ୍ରହ୍ମପୁର କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ସହିତ ଟ୍ୟାଗ ହେବେ। ଭିମସାର ବୁର୍ଲା ଅନୁଗୁଳ, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଦାୟିତ୍ୱ ନେବ। କୋରାପୁଟର ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାର ତଦାରଖ କରିବ। କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଦାୟିତ୍ୱ ନେବ ବାରିପଦା ମେଡିକାଲ କଲେଜ। ବଲାଙ୍ଗିର ମେଡିକାଲ କଲେଜ ଅଧୀନରେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ସୋନପୁର ଜିଲ୍ଲା ରହିବ। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଦାୟିତ୍ୱ ନେବ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ।


















