ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସମସ୍ତ ବଡ଼ ବଡ଼ ହସ୍ପିଟାଲରେ ଏବେ କରୋନା ରୋଗୀ ଭର୍ତ୍ତି। ପଶ୍ଚିମ ଓଡ଼ିଶାର ହସ୍ପିଟାଲଗୁଡ଼ିକରେ ନୂଆ କରୋନା ସଂକ୍ରମିତଙ୍କ ପାଇଁ ବେଡ୍ ନଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ଏକା ଅବସ୍ଥା। ଏହି କଥା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ।
ବିଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କରୋନା ତାଣ୍ଡବ ଚଳାଇଥିବା ବେଳେ ଏବେ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ସେଥିରେ ସାମିଲ ହୋଇଛି।
ବୁର୍ଲା ମେଡ଼ିକାଲ କଲେଜ ବା ଭିମସାରରେ ୨୨୫ ଟି କୋଭିଡ ବେଡ୍ ରହିଛି। ଏଥିରୁ ୫୦ଟି ଆଇସିୟୁ ବେଡ୍। ସେସବୁ ଏବେ ଭର୍ତ୍ତି। ଜଣେ କେହି ରୋଗୀ ଡିସଚାର୍ଜ ହେବା ପରେ ଯାଇ ନୂଆ ରୋଗୀଙ୍କୁ ଆଡମିଟ କରାଯାଉଛି।
ଭିମସାର ଅଧ୍ୟକ୍ଷ ଡାକ୍ତର ଲଳିତ ମେହେର।ତାଙ୍କ କହିବା ଅନୁଯାୟୀ ଆଉ ୩୦୦ ବେଡ୍ ପାଇଁ ବ୍ୟବସ୍ଥା ଚାଲିଛି। ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କୋଭିଡ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ୨୯ ଜିଲ୍ଲା ତୁଳନାରେ ଏହି ଜିଲ୍ଲାରେ ସର୍ବାଧିକ କରୋନା ରୋଗୀ ପଞ୍ଜିକୃତ ହୋଇଛନ୍ତି। ପିପିପି ଢାଞ୍ଚାରେ ଚାଲିଥିବା ସୁନ୍ଦରଗଡ ଜିଲ୍ଲାର ୨୦୦ ବେଡ୍ ବିଶିଷ୍ଟ ଜେପି ହସ୍ପିଟାଲ, ୧୨୦ ବେଡ୍ ବିଶିଷ୍ଟ ଶାନ୍ତି ହସ୍ପିଟାଲ ଓ ୨୦୦ ବେଡ୍ ବିଶିଷ୍ଟ ହାଇଟେକ ହସ୍ପିଟାଲରେ ରୋଗୀ ଭର୍ତ୍ତି ହୋଇଛନ୍ତି।
ସୁନ୍ଦରଗଡ ସିଡିଏମଓ ସରୋଜ ମିଶ୍ରଙ୍କ କହିବା ଅନୁଯାୟୀ ଆଇସିୟୁଗୁଡ଼ିକ ବି ଭର୍ତ୍ତି। ତିନୋଟି ଯାକ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ମୋଟ ୧୬୦।
ନୂଆପଡା ଜିଲ୍ଲାରେ ବି ଏକା ଅବସ୍ଥା। ସେଠାରେ ଥିବା ୧୬୦ ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲରେ ନୂଆ ରୋଗୀଙ୍କ ପାଇଁ ସ୍ଥାନ ନାହିଁ। ନୋଡ଼ାଲ ଅଫିସର ସୁଧୀର ନାୟକଙ୍କ କହିବା ଅନୁଯାୟୀ ନିକଟରେ ଏଠାରେ ୨୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି।କେଉଁ କାରଣରୁ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ଘଟିଛି ତାହାର ତଦନ୍ତ ଚାଲିଛି।
ରାଜଧାନୀ ଭୁବନେଶ୍ୱର ବି ହସ୍ପିଟାଲଗୁଡ଼ିକ ପୂର୍ଣ୍ଣ କ୍ଷମତା ଅନୁସାରେ ଚାଲିଛନ୍ତି। ଆମ୍ରି, ଆପୋଲୋ ଓ କେୟାର ହସ୍ପିଟାଲର ସବୁ ବେଡରେ ରୋଗୀ ଅଛନ୍ତି। ଆମ୍ରି ହସ୍ପିଟାଲର ୭୫, ଆପୋଲୋର ୩୦ ଓ କେୟାର ହସ୍ପିଟାଲର ୪୦ ଟି ବେଡ, ଯାହା କେବଳ କୋଭିଡ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ, ସେଗୁଡ଼ିକ ଖାଲି ନାହିଁ।