ଓଡ଼ିଶାଲାଇଭ୍ ବ୍ୟୁରୋ

୮୭ ବର୍ଷ ବୟସରେ ଆଖି ବୁଜିଲେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ମନୋଜ ଦାସ। ଆସନ୍ତୁ ତାଙ୍କ ଦୀର୍ଘ ସାହିତ୍ୟ ଜୀବନ ଉପରେ ଏକ ସଂକ୍ଷିପ୍ତ ନଜର ପକାଇବା।

ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଲେଖକ ତଥା ବାଗ୍ମୀ ପଦ୍ମଭୂଷଣ ମନୋଜ ଦାସ ଆଉ ନାହାନ୍ତି ସତ। କିନ୍ତୁ ତାଙ୍କ ଅସାଧାରଣ ବ୍ୟକ୍ତିତ୍ଵ ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ରହିବ। ସେ ଥିଲେ ଉଭୟ ଇଂରାଜୀ ଏବଂ ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ କଥାକାର। ତାଙ୍କର ସାରସ୍ଵତ ରଚନାମାନ ଉଭୟ ଆଙ୍ଗ୍ଲୋ-ଇଣ୍ଡିଆନ୍ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲା। ତାଙ୍କ କଲମ ମୁନରୁ ଅନେକ କାଳଜୟୀ ଉପନ୍ୟାସ ଏବଂ କ୍ଷୁଦ୍ର ଗଳ୍ପ ଏବେ ମଧ୍ୟ ପାଠକଙ୍କ ହୃଦୟରେ ସାଇତା ହୋଇ ରହିଛି।

ଲୋକପ୍ରିୟ ଇଂରାଜୀ ମାସିକ ପତ୍ରିକା ‘ଦ ହେରିଟେଜ୍’ର ସଂପାଦକ ଭାବେ ଭାରତୀୟ ଇଂଲିଶ୍ ସାମ୍ଵାଦିକତା କ୍ଷେତ୍ରରେ ମନୋଜ ଦାସ ଏକ ନୂଆ ଯୁଗର ଆରମ୍ଭ କରିଥିଲେ। ସେହି ପ୍ରକାଶନୀ, ଚନ୍ଦାମାମା ପବ୍ଲିକେସନର ପରାମର୍ଶଦାତା ଭାବେ ଓଡ଼ିଆ ଜହ୍ନମାମୁ ପଛରେ ସେ ଥିଲେ ପ୍ରମୁଖ ପ୍ରେରଣା। ସେହିପରି ଲୋକପ୍ରିୟ ଓଡ଼ିଆ ପତ୍ରିକା ‘ସଚ୍ଚିତ୍ର ବିଜୟା’ର ପ୍ରକାଶନ ପଛରେ ତାଙ୍କର ଅବଦାନ ଥିଲା। ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଦିଆଯାଉଥିବା ସାହିତ୍ୟ ପାଇଁ ସମ୍ମାନଜନକ ‘ସାହିତ୍ୟ ଭାରତୀ’ ପୁରସ୍କାରର ସେ ଥିଲେ ପ୍ରଥମ ପ୍ରାପକ।ଛାତ୍ର ଜୀବନରୁ ସଂଗ୍ରାମୀ ଥିଲେ ମନୋଜ ଦାସ। ପରବର୍ତ୍ତୀ ସମୟରେ ସେ ପାଲଟିଥିଲେ ଜଣେ ଅଧ୍ୟାପକ ଓ ସାଧକ। ଦୀର୍ଘ ଦିନ ଧରି ସେ ପୁଡୁଚେରୀସ୍ଥିତ ଶ୍ରୀମା ଅରବିନ୍ଦ ଆଶ୍ରମରେ ରହୁଥିଲେ। ଆଶ୍ରମର ପରିଚାଳନା ପଛରେ ସେ ଥିଲେ ଜଣେ ପ୍ରଧାନ ବ୍ୟକ୍ତି।

ଇଂରାଜୀ ଭାଷାରେ ସାହିତ୍ୟ ରଚନା କରୁଥିବା ଭାରତୀୟ ଲେଖକମାନଙ୍କ ମଧ୍ୟରେ ମନୋଜ ଦାସ ଜଣେ ଅଗ୍ରଣୀ ବ୍ୟକ୍ତିତ୍ଵ ଥିଲେ। ଉଭୟ ଓଡ଼ିଆ ଏବଂ ଇଂରାଜୀରେ ସେ ସମାନ ଦକ୍ଷତା ସହ ସାହିତ୍ୟ ରଚନା କରି ସ୍ଵତନ୍ତ୍ର ପରିଚୟ ହାସଲ କରିଥିଲେ।

ଓଡ଼ିଆ ସାହିତ୍ୟରେ ଏକ ସ୍ଵତନ୍ତ୍ର ନାଁ ମନୋଜ ଦାସ। ଏକ ଉଚ୍ଚାଙ୍ଗ ଭାଷା ଓ ଶବ୍ଦ ସମନ୍ଵୟ ଭିତରେ ଶାଣିତ ବ୍ୟଙ୍ଗ ବା ଶ୍ଳେଷ ଥିଲା ତାଙ୍କ ଲେଖାର ଏକ ନିଆରା ଦିଗ।ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସ, ତନ୍ଦ୍ରାଲୋକର ପ୍ରହରୀ, ଆବୁ ପୁରୁଷ ଓ ଅନ୍ୟାନ୍ୟ କାହଣୀ, ଆକାଶର ଇସାରା, ପ୍ରଭଞ୍ଜନ, ସ୍ମିତହାସ୍ୟ, ମନୋଜ ଉପକଥା ଶତକ, ମନୋଜ ପଞ୍ଚବିଂଶତି, ସନ୍ଧାନ ଓ ସଂକେତ, ମନୋଜ ଦାସଙ୍କ କଥା ଓ କାହାଣୀ, ଚେତନାର ଦିଗବଳୟ, ଅଜଣାର ଅନ୍ଵେଷଣେ, ଜିଜ୍ଞାସାର ଦିଗଦିଗନ୍ତ, ସୁବର୍ଣ୍ଣ କଳସ, ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀର ସ୍ରଷ୍ଟା ଥିଲେ ମନୋଜ ଦାସ।

ସେହିପରି ଇଂରାଜୀ ସାହିତ୍ୟ କ୍ଷେତ୍ରରେ ଏ ଟାଇଗର ଆଟ୍ ଟ୍ଵିଲାଇଟ୍ ଆଣ୍ଡ ସାଇକ୍ଲୋନ୍‌ସ, ଦ ଏସ୍‌କେପିଷ୍ଟ୍, ଟେଲ୍ସ ଟୋଲ୍ଡ ବାଏ ମିଷ୍ଟିକ୍ସ, ମାଇଁ ଲିଟିଲ୍ ଇଣ୍ଡିଆ, ଫେୟାରଓ୍ଵେଲ୍ ଟୁ ଏ ଘୋଷ୍ଟ ଇତ୍ୟାଦି ପୁସ୍ତକ ତାଙ୍କର ଉଲ୍ଲେଖନୀୟ କୃତୀ ଥିଲା।

ଭାଷା ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୨୦ରେ ପଦ୍ମଭୂଷଣରେ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସରସ୍ଵତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଅତିବଡ଼ୀ ଜଗନ୍ନାଥ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଭାବେ ‘ଫେଲୋସିପ୍’ ଲାଭ କରିଥିଲେ ମନୋଜ ଦାସ।

LEAVE A REPLY

Please enter your comment!
Please enter your name here