ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଆସିବାର ଆଶଙ୍କା ରହିଛି। ଏଥିର ପିଲାମାନେ ବେଶୀ ପ୍ରଭାବିତ ହେବେ ବୋଲି ପୂର୍ବାନୁମାନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ ପିଲାମାନଙ୍କ ଉପରେ କରୋନା ଟିକାର ପରୀକ୍ଷା କରାଯିବ। ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ନେଇ ଏହି ଟ୍ରାଏଲ କରାଯିବ। ଏଥିପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଗୁରୁବାର ଅନୁମତି ପ୍ରଦାନ କରିଛି।
ଏହି ଟ୍ରାଏଲ ୫୨୫ ଜଣ ସ୍ୱେଚ୍ଛାସେବୀଙ୍କଠାରେ କରାଯିବ ବୋଲି ସୂଚନା ମିଳିଛି। ଏଥିରେ ୨ରୁ ୧୮ ବର୍ଷ ପିଲାଙ୍କୁ ସାମିଲ ହେବେ। ସମସ୍ତଙ୍କୁ ଟିକାର ୨ ଟି ଯାକ ଡୋଜ୍ ଦିଆଯିବ। ଦିଲ୍ଲୀ ଏବଂ ପାଟନା ଏମ୍ସ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ ଏହାର କ୍ଲିନିକାଲ ଟ୍ରାଏଲ କରାଯିବ।
ବିଶେଷଜ୍ଞଙ୍କ ମତରେ ଦେଶରେ କରୋନାର ପ୍ରଥମ ଲହର ବରିଷ୍ଠ ନାଗରିକଙ୍କ ପାଇଁ ବପଦ ସାଜିଥିଲା। ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ବେଶ୍ ପ୍ରଭାବିତ ହୋଇଥିଲା ବେଳେ ତୃତୀୟ ଲହର ପିଲାଙ୍କ ପାଇଁ ଘାତକ ସାଜିପାରେ ବୋଲି ବିଶେଷଜ୍ଞ ଆଶଙ୍କ କରିଛନ୍ତି। ଏହସହିତ ଭାରତରେ କରୋନାର ତୃତୀୟ ଲହର ସେପ୍ଟେମ୍ବର ସୁଦ୍ଧା ଆସିବାରେ ବୋଲି ଆକଳନ କରାଯାଇଛି। ଏଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି।
ନିକଟରେ ଆମେରିକାରେ ମଧ୍ୟ ୧୨ରୁ ୧୫ବର୍ଷ ପିଲାଙ୍କୁ କରୋନା ଟିକା ଦେବା ପାଇଁ ଅନୁମତି ମିଳିଛି। ଆମେରିକାରେ ଆଗକୁ ସ୍କୁଲ ଖୋଲିବାକୁ ଯାଉଛି। ତେଣୁ ପ୍ରଥମେ ସ୍କୁଲ ଯିବାକୁ ଥିବା ପିଲାମାନଙ୍କୁ ଟିକା ଦେବାକୁ ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି।


















