ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୨୫ରୁ ୨୬ ବେଳକୁ ବଙ୍ଗୋପସାଗର କୂଳରେ ଏକ ବାତ୍ୟା ସଂଘଠିତ ହେବ। ଏହାର ଆକାର ଏତେ ଭୟଙ୍କର ହେବ ନାହିଁ। ଏହା ପଶ୍ଚିମବଙ୍ଗ କୂଳରେ ମାଡ଼ କରିବ ଏବଂ ଏହାର ପ୍ରଭାବରେ ଓଡ଼ିଶାରେ ବ୍ୟାପକ ବର୍ଷା ହେବ ବୋଲି କହିଛନ୍ତି ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପାଣିପାଗ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ତଥା ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ କୁମାର ସାହୁ।

ଡକ୍ଟର ସାହୁଙ୍କ କହିବା ଅନୁଯାୟୀ ଗାଣିତିକ ମଡେଲ ଯାହା କହୁଛି, ଶନିବାର ଦିନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ଦିଗକୁ ଗତି କରିବା ସହ ମଙ୍ଗଳବାର ଦିନ ବାତ୍ୟାର ରୂପ ନେବ।ଏହା କ୍ରମଶଃ ପଶ୍ଚିମ-ଉତ୍ତର ଦିଗରେ ଗତି କରିବ ଓ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଗତି କରିବ। ଏହି ବାତ୍ୟାଟି ସମ୍ଭବତଃ ଭଦ୍ରକ କିମ୍ବା ବାଲେଶ୍ୱର ଛୁଇଁ ଚାଲିଯିବ। ହୁଏତ ଦୀଘା ଉପକୂଳରେ ଏହା ସ୍ଥଳଭାଗ ଛୁଇଁପାରେ।

ଯଦି ପାଣିପାଗ ଇତିହାସକୁ ଦେଖାଯିବ, ମୌସୁମୀ ଆଗମନ ପୂର୍ବରୁ ବଙ୍ଗୋପସାଗରରେ ଯେତେ ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ସେଗୁଡ଼ିକ ପ୍ରାୟତଃ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରିଛି ଓ ସେଠି ହିଁ ସ୍ଥଳଭାଗ ଛୁଇଁବା ଦେଖାଯାଇଛି।

ଡକ୍ଟର ସାହୁ କହିଛନ୍ତି ଯେ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଯଦି ଉପକୂଳରେ ପାଣିପାଗ ସ୍ଥିତି ଅନୁକୂଳ ରହେ, ୟାସ୍ ପ୍ରବଳ ବାତ୍ୟାର ରୂପ ଧାରଣ କରିପାରେ। ନଚେତ, ଏହା ଏକ ସାଧାରଣ ବାତ୍ୟା ଭଳି ଓଡ଼ିଶା ଉପକୂଳ ଦେଇ ଚାଲି ଯାଇପାରେ।ତେବେ ୟାସ୍ ବାତ୍ୟାର ଗତିବିଧି, ଏହାର ଆକାର ଓ ପବନର ବେଗ ଇତ୍ୟାଦି ୨୪ ତାରିଖ ବେଳକୁ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଡକ୍ଟର ସାହୁ। କାହିଁକି ନା ବାତ୍ୟାଟି ନିରନ୍ତର ମୌସୁମୀ ପ୍ରବାହ ସହିତ ଯୋଡ଼ି ହୋଇ ଚାଲିଛି। ଏହି କାରଣରୁ ମଧ୍ୟ ପ୍ରତିଦିନ ବାତ୍ୟାର ଗାଣିତିକ ମଡେଲଟି ବଦଳିବାରେ ଲାଗିଛି ବୋଲି ଡକ୍ଟର ସାହୁ ମତ ରଖିଛନ୍ତି।

ମୌସୁମୀ ଆଗମନ ପାଖାପାଖି ହୋଇଯାଇ ଥିବା ହେତୁ ୟାସ୍ ଏତେ ଭୟଙ୍କର ହେବ ନାହିଁ ଅନୁମାନ କରାଯାଉଛି। ଯଦି ଏହା ଏକ ସାଧାରଣ ବାତ୍ୟାର ରୂପ ନିଏ ତେବେ ପବନର ବେଗ ଘଣ୍ଟାକୁ ୬୫ରୁ ୯୦ କିଲୋମିଟର ହେବ। ଯଦି ସିଭିୟର ସାଇକ୍ଲୋନର ରୂପ ନିଏ ତେବେ ପବନ ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୦ କିଲୋମିଟର ହୋଇପାରେ, ଯାହାକି ଘାତକର କାରଣ ହେବ।ଓଡ଼ିଶାରେ ବାତ୍ୟାର ସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ଡକ୍ଟର ସାହୁ କହିଛନ୍ତି ଯେ ଉପକୂଳ ଓଡ଼ିଶାରେ ପ୍ରବଳ ପବନ ବହିବ। ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାରେ ମେ’ ୨୫ ରୁ ୨୭ ଯାଏଁ ଭୀଷଣ ବର୍ଷା ଅନୁଭୂତ ହେବ। ତା’ପରେ ବାତ୍ୟାଟି ଦୁର୍ବଳ ହୋଇ ବିହାର ଅଭିମୁଖେ ଚାଲିଯିବ।

ଏଣେ କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁର ଆକଳନ କରାଯାଇଛି ଯେ ୟାସ୍ ବାତ୍ୟା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ନିର୍ଦ୍ଦିଷ୍ଟ ଭାବେ ମେ’ ୨୬ ତାରିଖ ବୁଧବାର ଦିନ ଏହା ମାଡ଼ କରିବ ବୋଲି ପାଣିପାଗ ବିଭାଗ କହିଛି।

LEAVE A REPLY

Please enter your comment!
Please enter your name here