ଓଡ଼ିଶାଲାଇଭ୍ ବ୍ୟୁରୋ

ଭଦ୍ରକ ଧାମରା ପାଖରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟାସ୍। ଆଜି ଭୋର ସମୟରେ ଏହା ଧାମରାଠାରୁ ପ୍ରାୟ ୩୦ କଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ମଧ୍ୟାହ୍ନ ବେଳକୁ ଧାମରା ଏବଂ ବାଲେଶ୍ଵର ମଝିରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏହାପରେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ବାଲେଶ୍ଵର, ମୟୂରଭଞ୍ଜ ଦେଇ ଏହା ଝାଡ଼ଖଣ୍ଡ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସଦ୍ୟତମ ବୁଲେଟିନ୍‌ରେ ସୂଚନା ଦିଆଯାଇଛି।

ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୪୦ରୁ ୧୬୦ କିଲୋମିଟର ରହିବ। ସେହିପରି ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୮୫ କିଲୋମିଟର ରହିପାରେ। ବାତ୍ୟା ସ୍ଥଳଭାଗ ଛୁଇଁ ବାଲେଶ୍ଵର ଓ ମୟୂରଭଞ୍ଜ ପାଖ ଦେଇ ଅତିକ୍ରମ କରିବା ବେଳେ ସେଠାରେ ପବନର ବେଗ ଅଧିକ ରହି ବ୍ୟାପକ କ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବାତ୍ୟା ପ୍ରଭାବରେ ପାରାଦୀପରେ ଏବେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହୁଛି। ସେହିପରି ପୁରୀ ଅସ୍ତରଙ୍ଗଠାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି।

Comment