ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ ଟେଣ୍ଡର ସମୟକୁ ଘୁଞ୍ଚାଇ ଦିଆଯାଇଛି। ଶୁକ୍ରବାର ଏହି ପ୍ରକ୍ରିୟା ସରିବାକୁ ଥିବାବେଳେ ଏହାକୁ ଗୋଟିଏ ସପ୍ତାହ ପାଇଁ ଅର୍ଥାତ୍ ଆସନ୍ତା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ରାଜ୍ୟର ୧୮-୪୪ ବର୍ଷ ବର୍ଗଙ୍କୁ ମାଗଣା ଟିକାକରଣ ପାଇଁ ବିଶ୍ଵ ବଜାରରୁ ଟିକା କିଣିବାକୁ ରାଜ୍ୟ ସରକାରଙ୍କ ସଂସ୍ଥା ଓଏସଏମସିଏଲ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ଡକାଯାଇଥିଲା। ମେ’ ୨୮ ତାରିଖ ସନ୍ଧ୍ୟାରେ ଏହି ଟେଣ୍ଡର ପ୍ରକ୍ରିୟା ଖୋଲିଥାନ୍ତା। କିନ୍ତୁ ବହୁ କମ୍ପାନି ପକ୍ଷରୁ ଟେଣ୍ଡର ଖୋଲିବା ସମୟକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଥିଲା। ତେଣୁ ସରକାର ଟେଣ୍ଡର ଖୋଲିବା ପ୍ରକ୍ରିୟାକୁ ଘୁଞ୍ଚାଇ ଦେଇଛନ୍ତି।
ଟେଣ୍ଡର ଖୋଲିବା ସମୟ ଘୁଞ୍ଚିବା ପରେ ସଂଶୋଧିତ ସମୟ ଅନୁସାରେ ଟିକା କମ୍ପାନିମାନେ ଜୁନ୍ ୪ ସକାଳ ୧୦ଟା ସୁଦ୍ଧା ଟେଣ୍ଡର ପାଇଁ ଅନଲାଇନ୍ ଆବେଦନ କରିବେ। ସାଢ଼େ ୧୧ଟାରେ ଏଥିପାଇଁ ଟେକନିକାଲ ବିଡ୍ ଖୋଲାଯିବ। ସନ୍ଧ୍ୟା ୫ଟାରେ ପ୍ରାଇସ ବିଡ୍ ବା ଦର ନିଲାମ କାଗଜପତ୍ର ଖୋଲାଯିବ।
କରୋନା ଟିକା ପାଇଁ ବିଶ୍ୱ ଟେଣ୍ଡର ଡକାଯିବା ନେଇ ମେ’ ୧୦ରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ଏହି ଟିକା ଟେଣ୍ଡରକୁ ଅନୁମୋଦନ ମିଳିଥିଲା।

















