ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବାତ୍ୟା ୟାସ୍‌ ଉପକୂଳ ଛୁଇଁବାର ୫ଦିନ ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତା’ର ପରବର୍ତ୍ତୀ ପ୍ରଭାବ କମିନାହିଁ। ୟାସ୍‌ର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଚାଷ ଜମିରୁ ଏପର୍ଯ୍ୟନ୍ତ ପାଣି ଛାଡ଼ିନି। ଫଳରେ ଜମିରେ ବୁଣାଯାଇଥିବା ଧାନ ସବୁ ପଚିଗଲାଣି। ତେଣୁ ଜମିରୁ ପାଣି ନିସ୍କାସନ ଦାବିରେ ସୋମବାର ଜିଲ୍ଲାପାଳଙ୍କୁ ଭେଟିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା କଂସାର ଓ ପୁରୁଷୋତ୍ତମପୁର ଅଞ୍ଚଳବାସୀ।

ଜିଲ୍ଲାର ଏଣ୍ଡର, ସାହାସପୁର, ଏରା, କୋରୁଆ ଆଦି ଗାଁର ଚାଷୀମାନେ ଜିଲ୍ଲାପାଳ ଅମ୍ରିତ୍‌ ଋତୁରାଜଙ୍କୁ ଭେଟି କହିଥିଲେ, କଂସାର ଓ ପୁରୁଷୋତ୍ତମପୁର ଦୁଇ ପଞ୍ଚାୟତ ମଧ୍ୟରେ ଥିବା ପାଟ ଜମିରେ ବର୍ଷା ପାଣି ଭରି ରହିଛି। ଜମିରୁ ବଳକା ବର୍ଷା ପାଣିକୁ କାଢୁଥିବା ଡ୍ରେନେଜ ପୋତି ହୋଇଯାଇଥିବାରୁ ଏଭଳି ସମସ୍ୟା ଦେଖା ଦେଉଛି। ପାଣି ଜମିବା ଦ୍ୱାରା ହଜାର ହଜାର ଏକର ଚାଷଜମି ନଷ୍ଟ ହେବାକୁ ବସିଲାଣି।

ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି ଅଞ୍ଚଳର ଧାନ ଚାଷୀ। ଏଥିସହ ପ୍ରଶାସନକୁ ଚେତାବନୀ ମଧ୍ୟ ଦେଇଛନ୍ତି। ଯଦି ପ୍ରଶାସନ ସେମାନଙ୍କ କଥା ନଶୁଣେ, ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here