ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଜୁନ୍ , ବିଶ୍ୱ ବାଇସାଇକେଲ ଦିବସ ୨୦୧୮ରୁ ପ୍ରତିବର୍ଷ ଏହି ଦିନକୁ ବିଶ୍ୱ ବାଇସାଇକେଲ ଦିବସ ଭାବେ ପାଳନ କରାଯାଉଛି ଏହି ଦିବସ ଅବସରରେ ଆସନ୍ତୁ ଜାଣିବା ରାଜଧାନୀ ଭୁବନେଶ୍ଵରର ଜଣେ ବ୍ୟକ୍ତିଙ୍କ ବିଷୟରେ, ଯିଏକି ନିଆରା ଢଙ୍ଗରେ ଡବଲ ସାଇକେଲ ଚଲାଇ ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି

ସାଇକେଲ ଉପରେ ସାଇକେଲ। ଚାଳକ ଜଣେ ଯୁବକ, ମୁଣ୍ଡରେ ତାଳପତ୍ରର ଝାମ୍ପି ଆଉ ମୁହଁରେ ମାସ୍କ। ଏହି ବିଚିତ୍ର ସାଇକେଲକୁ ଦେଖିଲେ ଆପଣ ଘଡ଼ିଏ ଅଟକି ଯିବେ। ଏହିପରି ଏକ ଡବଲ ସାଇକେଲ ଚଲାଇ ରାଜଧାନୀବାସୀଙ୍କୁ କରୋନା ସଚେତନତାଠାରୁ ଗାନ୍ଧିଜୀଙ୍କ ଅହିଂସା ପଥରେ ଚାଲିବା ଭଳି ବାର୍ତ୍ତା ବାଣ୍ଟୁଛନ୍ତି ଭୁବନେଶ୍ଵର ଡୁମଡୁମା ଅଞ୍ଚଳର ମନୋଜ ସୁନ୍ଦରରାୟ।

“ପ୍ରଥମ ଲହର କରୋନା କଟକଣାରେ ଲକଡାଉନ, ସଟଡାଉନ ପାଇଁ ଯେତେବେଳେ ଗାଡ଼ି ମଟର ଚାଲିବା ବନ୍ଦ ହୋଇଗଲା, କେବଳ ସାଇକେଲରେ ଯିବା ଆସିବା କରିବାକୁ ଅନୁମତି ମିଳିଲା। କିନ୍ତୁ ସାଧାରଣ ଭାବେ ସାଇକେଲ ଚଲାଇ ସଚେତନ କଲେ କେହି ଦେଖିବେ ନାହିଁ। ତେଣୁ ଦୁଇଟି ସାଇକେଲକୁ ମିଶାଇ ଡବଲ ସାଇକେଲଟିଏ ତିଆରି କଲି। ଏହି ଡବଲ ସାଇକେଲରେ ବୁଲି ସଚେତନ କରିବାରୁ ଲୋକମାନେ ଏହାପ୍ରତି ଆକର୍ଷିତ ହେଲେ। ଏହାପରେ ପରେ ସବୁଦିନ ଘଣ୍ଟେ ଦୁଇଘଣ୍ଟା ସମୟ ବାହାର କରି ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ଆଦି ବିଷୟରେ ସଚେତନ କରୁଛି”, କହିଛନ୍ତି ମନୋଜ ସୁନ୍ଦରରାୟ।ବୃତ୍ତିରେ ମନୋଜ ଜଣେ ଓକିଲ ହୋଇଥିବା ବେଳେ ସାଇକେଲ ଚଲାଇବା ହେଉଛି ତାଙ୍କର ନିଶା। ତେଣୁ ସେ ସବୁବେଳେ ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି। ଏଥିସହ ମନୋଜ ଆହୁରି ମଧ୍ୟ କହନ୍ତି, ସାଇକେଲ ଚଲାଇବା ଦ୍ଵାରା ଶରୀର ଫିଟ୍ ରହିବା ସହ ଇନ୍ଧନ ବଞ୍ଚାଯାଇ ପାରିବ। ତେଣୁ ସମସ୍ତେ ନିୟମିତ ସାଇକେଲ ଚଲାଇବା ଆବଶ୍ୟକ।

‘ମୋ ମାସ୍କ ଆପଣଙ୍କୁ ସୁରକ୍ଷା ଦେବ, ଆଉ ଆପଣଙ୍କ ମାସ୍କ ମୋତେ। ତେଣୁ ସବୁବେଳେ ମୁହଁରେ ମାସ୍କ ପିନ୍ଧନ୍ତୁ। କରୋନାଠାରୁ ଦୂରେଇ ରହନ୍ତୁ’ ଡବଲ ସାଇକେଲରେ ବୁଲି ଭୁବନେଶ୍ୱରବାସୀଙ୍କୁ ଏପରି କହି ସଚେତନ କରୁଛନ୍ତି ମନୋଜ।ସେହିପରି କରୋନା ଟିକାକରଣକୁ ନେଇ ମଧ୍ୟ ମନୋଜ ଲୋକମାନଙ୍କୁ ବିଭିନ୍ନ ବାର୍ତ୍ତା ଦେଉଛନ୍ତି। କରୋନା ଟିକାର ଓଡ଼ିଶାରେ ହୋଇଥିବା ମାନବିକ ପରୀକ୍ଷାରେ ମନୋଜ ସାମିଲ ହୋଇ ସ୍ଵେଚ୍ଛାକୃତଭାବେ ଟିକା ନେଇଥିଲେ। ଟିକା ନେବା ପରେ ତାଙ୍କଠାରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇନି। ତେଣୁ ଲୋକମାନେ ଭୟ ନକରି ସରକାର ଦେଉଥିବା କରୋନା ଟିକା ନିଅନ୍ତୁ ବୋଲି ମନୋଜ ତାଙ୍କ ଡବଲ ସାଇକେଲ ଜରିଆରେ ଅପିଲ କରୁଛନ୍ତି।

ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ୧୦୦ ବର୍ଷ ପୁରିଛି। ତେଣୁ ଗାନ୍ଧିଜୀଙ୍କ ପଥ ଅନୁସରଣ କରି ଅହିଂସା ନୀତି ଅପଣେଇବାକୁ ମନୋଜ ନିଜ ଡବଲ ସାଇକେଲ ମାଧ୍ୟମରେ ଲୋକମାନଙ୍କୁ ବାର୍ତ୍ତା ଦେଉଛନ୍ତି। ମନୋଜଙ୍କ ଏହି ସଚେତନତାର ବାର୍ତ୍ତା ବାଣ୍ଟିବା ଉଦ୍ୟମକୁ ଲୋକମାନେ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି।

Comment