ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ନିକଟ ୫୭ ନମ୍ବର ଜାତୀୟ ରାଜପଥରେ ବୁଧବାର ଦିନ ଏକ କଲରାପତରିଆ ବାଘ ଶାବକର ମୃତ୍ୟୁ ହୋଇଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ବାଘ ଶାବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଅଣ୍ଡିରା କଲରାପତରିଆ ଶାବକର ବୟସ ୧୨ରୁ ୧୫ ମାସ ହେବ।
ବନ୍ୟପ୍ରାଣୀ ବିଭାଗର ଉଚ୍ଚ ପଦାଧିକାରୀ ଓ ପ୍ରାଣୀ ଚିକିତ୍ସକ ଦଳଙ୍କ ଉପସ୍ଥିତିରେ ଗୁରୁବାର ଦିନ ମୃତ ବାଘ ଶାବକକୁ ବାଣିଗୋଛା ବନାଞ୍ଚଳ କାର୍ଯ୍ୟାଳୟଠାରେ ବ୍ୟବଚ୍ଛେଦ କରାଯାଇ ପରେ ଦାହ କରାଯାଇଛି।
ବୁଧବାର ରାତି ପ୍ରାୟ ୧୦ଟା ସମୟରେ ୫୭ ନମ୍ବର ଜାତୀୟ ରାଜପଥ ଦଶପଲ୍ଲା ବୁଗୁଡ଼ା ଓ ଯାମ୍ବୁସାହି ରାସ୍ତା ମଝିଆ ମଝି ଜଙ୍ଗଲିଆ ସ୍ଥାନରେ ଏକ ଅଣ୍ଡିରା କଲରାପତରିଆ ବାଘ ଶାବକ ଦ୍ରୁତ ବେଗରେ ପାହାଡ଼ ପଟୁ ରାସ୍ତା ପାର୍ ହେଉଥିଲା। ଏହି ସମୟରେ ବୌଦ୍ଧ ପଟୁ ଦଶପଲ୍ଲା ଅଭିମୁଖେ ଆସୁଥିବା ଏକ ଗାଡ଼ି ବାଘକୁ ଧକ୍କା ଦେଇଥିଲା। ଗାଡ଼ି ଧକ୍କାରେ ବାଘ ଶାବକ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତଶ୍ରାବ କାରଣରୁ ତାର ମୃତ୍ୟୁ ହୋଇଥିବା କୁହାଯାଉଛି।
ଗୁରୁବାର ଦିନ ଆର୍ସିସିଏଫ୍ ପ୍ରଦୀପ ରାଜ କରାତ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ଉକ୍ତ ରାସ୍ତାରେ ଦ୍ରୁତ ଗତିରେ ଯାନବାହନ ଚଳାଚଳ ବନ୍ୟପ୍ରାଣୀ ଜୀବନ ପ୍ରତି ବିପଦର କାରଣ ହୋଇଥିବା ବେଳେ ସେସବୁ ସ୍ଥାନରେ ବନ୍ୟପ୍ରାଣୀ ନିରପତ୍ତା ପ୍ରତି ଅଧିକ ଧ୍ୟାନ ଦିଆଯିବା କଥା ସେ କହିଛନ୍ତି। ଏହି ପରିଦର୍ଶନରେ ବନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଶୁଭଦର୍ଶିନୀ ମହାନ୍ତି ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


















