ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଦୀର୍ଘ ଦୁଇ ଦଶନ୍ଧି ଧରି ଦକ୍ଷିଣ ଭାରତରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ଟାଣୁଆ ନେତୃତ୍ଵ ଭାବେ ନିଜର ଦବ୍‌ଦବା ଜାହିର କରିଥିଲେ ବି. ଏସ୍ ୟେଦ୍ୟୁରପ୍ପା। ଚାରିଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିବା ପରେ ଆଜି ହଠାତ୍ ସେ ତାଙ୍କ ପଦରୁ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। ତେବେ କାହିଁକି ସେ ଇସ୍ତଫା ଦେଲେ ତାର କାରଣ ଖୋଜା ଚାଲିଛି।

ଦକ୍ଷିଣ ଭାରତର ପ୍ରଥମ ବିଜେପି ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଲାଭ କରିଥିବା ୟେଦ୍ୟୁରପ୍ପା କର୍ଣ୍ଣାଟକ ଶାସନ ଗାଦିରେ ନିଜର ଚତୁର୍ଥ ପାଳି ଜାରି ରଖିଥିଲେ। ହେଲେ ବେଶ୍ କିଛିଦିନ ହେଲା ୟେଦ୍ୟୁରପ୍ପାଙ୍କ ଇସ୍ତଫା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା, ଯାହା ଆଜି ସତ ମଧ୍ୟ ହୋଇଛି।
ମଳିନ ରାଜନୀତିକ ଛବି

ଛାତ୍ରଜୀବନରୁ ଆର୍‌ଏସ୍‌ଏସ୍‌ ଆଦର୍ଶ ସହ ଜଡ଼ିତ ଥିଲେ ୟେଦ୍ୟୁରପ୍ପା। ପରେ ବିଜେପିରେ ଯୋଗଦେଇ ସେ ଉଭୟ ଆଞ୍ଚଳିକ ଏବଂ ଜାତୀୟ ରାଜନୀତିରେ ସକ୍ରିୟ ହୋଇଥିଲେ। ତାଙ୍କ ନେତୃତ୍ଵରେ ଦକ୍ଷିଣ ଭାରତରେ ପ୍ରଥମଥର ପାଇଁ ବିଜେପି ଶାସନକୁ ଆସିଥିଲା। ତେଣୁ ଦୀର୍ଘ ୨୦ ବର୍ଷ ଧରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବିଜେପିର ମୁଖ୍ୟ ଚେହେରା ପାଲଟିଥିଲେ ୟେଦ୍ୟୁରପ୍ପା। କିନ୍ତୁ ବିଭିନ୍ନ ସମୟରେ ସେ ବିବାଦ ଘେରକୁ ଆସି ବାରମ୍ଵାର ବିରୋଧୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏଥି ସହିତ ଦଳୀୟ ନେତୃତ୍ଵ ନେବାରେ ମଧ୍ୟ ସେ ଦୁର୍ବଳ ହୋଇ ପଡ଼ିଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। କହିବାକୁ ଗଲେ ୟେଦ୍ୟୁରପ୍ପାଙ୍କ ରାଜନୀତିକ ଛବି ଏକପ୍ରକାର ମଳିନ ହୋଇ ପଡ଼ିଛି। ତେଣୁ ଦଳ ପକ୍ଷରୁ ତାଙ୍କ ଉପରେ ଚାପ ପଡ଼ିଥାଇ ପାରେ, ଯାହାର ଫଳ ସ୍ଵରୂପ ସେ ସ୍ଵତଃ ପ୍ରବୃତ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ସେହିପରି ୟେଦ୍ୟୁରପ୍ପାଙ୍କ ଇସ୍ତଫା ପଛରେ ତାଙ୍କ ପୁଅ ତଥା କର୍ଣ୍ଣାଟକ ବିଜେପି ଉପସଭାପତି ବିଜୟେନ୍ଦ୍ର ୟେଦ୍ୟୁରପ୍ପା ମଧ୍ୟ ଜଣେ କାରଣ ହୋଇଥିବେ ବୋଲି ଶୁଣିବାକୁ ମିଳୁଛି। ବି. ଏସ୍ ୟେଦ୍ୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ବିଭିନ୍ନ ସମୟରେ ତାଙ୍କ ପୁଅ ବିଜୟେନ୍ଦ୍ର ୟେଦ୍ୟୁରପ୍ପାଙ୍କ ହାତରେ ଶାସନ ପରିଚାଳିତ ହେଉଥିଲା। ସେ ଅନେକ ସମୟରେ ରାଜ୍ୟ ରାଜନୀତିରେ ସିଧାସଳଖ ହସ୍ତକ୍ଷେପ କରୁଥିଲେ, ଯେଉଁଥିପାଇଁ ମନ୍ତ୍ରୀମଣ୍ଡଳ ଏବଂ ଦଳୀୟ କର୍ମୀଙ୍କ ଭିତରେ ଫାଟ ସୃଷ୍ଟି ହୋଇଛି। ଫଳରେ ଏହା ବି. ଏସ୍ ୟେଦ୍ୟୁରପ୍ପାଙ୍କ ରାଜନୀତିକ ଛବିକୁ ମଳିନ କରିଛି। ତେଣୁ ବିଜୟେନ୍ଦ୍ରଙ୍କୁ କର୍ଣ୍ଣାଟକର ଡମି ମୁଖ୍ୟମନ୍ତ୍ରୀ ବୋଲି ରାଜନୀତିକ ପଣ୍ଡିତମାନେ ଅଭିହିତ କରିଛନ୍ତି। ଏହି କାରଣ ପାଇଁ ଦଳର ହାଇକମାଣ୍ଡ ୟେଦ୍ୟୁରପ୍ପାଙ୍କୁ ଇସ୍ତଫା ଦେବାପାଇଁ ଚାପ ପକାଇ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୨୦୨୩ ନିର୍ବାଚନ ଲକ୍ଷ୍ୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାବବିହ୍ଵଳ ହୋଇ ୟେଦ୍ୟୁରପ୍ପା ତାଙ୍କ ଭାଷଣରେ କହିଥିଲେ ଯେ, ଜୀବନର ପ୍ରତିଟି ମୂହୁର୍ତ୍ତରେ ସେ ଅଗ୍ନିପରୀକ୍ଷା ଦେଇଛନ୍ତି। କିନ୍ତୁ ଆଜି ସେ କୌଣସି ଚାପରେ ନୁହେଁ ବରଂ ସ୍ଵଇଚ୍ଛାରେ ପଦରୁ ଇସ୍ତଫା ଦେଉଛନ୍ତି। ଆଗାମୀ ୨୦୨୩ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକରେ ବିଜେପିକୁ ବିପୁଳ ବିଜୟ ଦେବାରେ ମୁଁ କାମ କରିବି।

ଏଥିସହ କର୍ଣ୍ଣାଟକର ଜନସାଧାରଣ ତାଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ସେ ତାଙ୍କ ପାଖରେ ସର୍ବଦା ଋଣୀ ହୋଇ ରହିବେ ବୋଲି କହିଛନ୍ତି। ତେଣୁ ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେବ ସେ ତାକୁ ପୂର୍ଣ୍ଣ ନିଷ୍ଠାରେ ପାଳନ କରିବ ବୋଲି ୟେଦ୍ୟୁରପ୍ପା କହିଛନ୍ତି।

ସ୍ଵାସ୍ଥ୍ୟଗତ କାରଣ

ୟେଦ୍ୟୁରପ୍ପାଙ୍କ ବୟସ ଏବେ ୭୮ ବର୍ଷ। ବୟସ ବଢ଼ିବା ସହିତ ବିଭିନ୍ନ ସମୟରେ ସେ ନା ନା ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସ୍ଵାସ୍ଥ୍ୟଗତ କାରଣ ହେତୁ ସେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here