ଓଡ଼ିଶାଲାଇଭ୍ ବ୍ୟୁରୋ

ବି. ଏସ୍‌ ୟେଦୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଗୃହମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ବିଜେପି ଚୟନ କରିଛି। ମଙ୍ଗଳବାର ବେଙ୍ଗାଳୁରୁଠାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ବାସବରାଜଙ୍କ ନାମ ଘୋଷଣା କରିଛନ୍ତି।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଆର ବୋମ୍ମାଇଙ୍କ ପୁଅ ହେଉଛନ୍ତି ବାସବରାଜ ବୋମ୍ମାଇ। ୟେଦ୍ୟୁରପ୍ପାଙ୍କ ପରି ସେ ମଧ୍ୟ ଜଣେ ଲିଙ୍ଗାୟତ ସମ୍ପ୍ରଦାୟର ନେତା। ଏଥିସହ ସେ ୟେଦ୍ୟୁରପ୍ପାଙ୍କ ଅତି ଘନିଷ୍ଠ ରହିଥିବା ବେଳେ ରାଜ୍ୟ କ୍ୟାବିନେଟ୍‌ରେ ଗୃହମନ୍ତ୍ରୀ ଦାୟିତ୍ଵରେ ମଧ୍ୟ ଥିଲେ। ଏଥିପାଇଁ ଦଳ ତାଙ୍କୁ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି ବୋଲି ରାଜନୀତି ପଣ୍ଡିତମାନେ ମତ ରଖିଛନ୍ତି।ମଙ୍ଗଳବାର ବେଙ୍ଗାଳୁରୁଠାରେ କର୍ଣ୍ଣାଟକ ବିଜେପି ବିଧାୟକମାନଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ୟେଦ୍ୟୁରପ୍ପା ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜଙ୍କ ନାମ ପ୍ରସ୍ତାବ କରିଥିଲେ। ଦଳର ଅନ୍ୟ ବିଧାୟକମାନେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ। ତେଣୁ କର୍ଣ୍ଣଆଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜଙ୍କ ନାମ ଉପରେ ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ମୋହର ଲଗାଇଛନ୍ତି।

ସୋମବାର ବି. ଏସ୍ ୟେଦ୍ୟୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ହଠାତ୍ ଇସ୍ତଫା ଦେଇଥିଲେ। ତାଙ୍କପରେ କିଏ କର୍ଣ୍ଣାଟକର ଶାସନ ଗାଦିରେ ବସିତ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଦୌଡ଼ରେ କର୍ଣ୍ଣାଟକର ୭ରୁ ୮ ବିଜେପି ନେତାଙ୍କ ନାମ ତାଲିକାରେ ରହିଥିଲା। ତେବେ ଜଣେ ଲିଙ୍ଗାଯତ ନେତା ହିଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହୋଇଥିଲା।ଏହାର ପ୍ରଥମ କାରଣ ହେଉଛି କର୍ଣ୍ଣାଟକ ଭୋଟରଙ୍କ ମଧ୍ୟରୁ ପ୍ରାୟ ୧୫ରୁ ୧୭ ଭାଗ ହେଉଛନ୍ତି ଲିଙ୍ଗାୟତ ସମ୍ପ୍ରଦାୟ। ତେଣୁ ରାଜ୍ୟର ଭୋଟ୍‌ବ୍ୟାଙ୍କରେ ଏମାନେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଅନ୍ୟପଟେ ୟେଦ୍ୟୁରପ୍ପା ମଧ୍ୟ ଜଣେ ଲିଙ୍ଗାୟତ ନେତା ଥିଲେ। ତେଣୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଯଦି ଜଣେ ଲିଙ୍ଗାୟତ ନେତାଙ୍କୁ ଦଳ ଚୟନ କରିବ ତେବେ କର୍ଣ୍ଣାଟକର ଜନ ସାଧାରଣ ଏହାକୁ ଅଧିକ ମାତ୍ରାରେ ଗ୍ରହଣ କରିବେ। ଏହି କ୍ରମରେ ବାସବରାଜ ବୋମ୍ମାଇ ଲିଙ୍ଗାୟତ ନେତା ଭାବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ଥିଲେ।

Comment