କପିଳାସ ଭୂୟାଁ

ଶେଷକୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକର ଯୋଦ୍ଧା ଘୋଡ଼ାକୁ ନେଇ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ସ୍ମାର୍ଟ ସିଟି ଭୁବନଶ୍ଵରର ରୂପାନ୍ତରଣ ନିମନ୍ତେ ବିଡିଏ ଓ ସଂସ୍କୃତି ବିଭାଗ ମିଳିତ ଭାବେ ତେତିଶି ବର୍ଷ ଧରି ଛିଡ଼ା ହୋଇଥିବା ଏହି ଘୋଡ଼ାକୁ ସ୍ଥାନାନ୍ତର କରିବାକୁ ପ୍ରାୟ ଦେଢ଼ ମାସ ତଳେ ନିଷ୍ପତ୍ତି ନେଇଥିଲେ। ଏହି ଐତିହ୍ୟ ଘୋଡ଼ାକୁ ରାଜଧାନୀର କେନ୍ଦ୍ରସ୍ଥଳୀ ଭାବେ ପରିଚିତ ମାଷ୍ଟର କ୍ୟାଣ୍ଟିନ ଛକରୁ ଉଠାଇ ନେଇ ଗଭର୍ଣ୍ଣର ହାଉସ ଛକରେ ରଖିବାକୁ ଯୋଜନା କରା ଯାଇଥିଲା। ଏହି ନିଷ୍ପତ୍ତିକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।

ବିରୋଧୀ ଦଳ, ବିଶେଷ କରି କଂଗ୍ରେସ ଦଳ ସରକାରଙ୍କ ବିରୋଧରେ ନାରାବାଜି କରିବା ପାଇଁ କୌଣସି ପ୍ରସଙ୍ଗ ପାଉ ନଥିଲା ବେଳେ ଏହି ଘୋଡ଼ା ସ୍ଥାନାନ୍ତରକୁ ଏକ ବଡ଼ ପ୍ରସଙ୍ଗ କରି ଆନ୍ଦୋଳନ ଆରମ୍ଭ କରିଥିଲା। ପଦ୍ମ ବିଭୂଷଣ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦ୍ଵାରା ନିର୍ମିତ ଏହି ଘୋଡ଼ା କିପରି ରାଜଧାନୀର ପରିଚୟ ପାଲଟିଛି ଓ ଏହି ଘୋଡ଼ାକୁ ଉଠାଇ ନେବା ଦ୍ଵାରା ତାହା କିପରି ଲୋକମାନଙ୍କ ଭାବୋତ୍ସାହକୁ ଆଘାତ କରିବ କହି କଂଗ୍ରେସ ଦଳ ଆନ୍ଦୋଳନ ଆରମ୍ଭ କରି ଦେଇଥିଲା। ରାଜ୍ୟର ବରିଷ୍ଠ ଶିଳ୍ପୀମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଗଣମାଧ୍ୟମ କଥାଟିକୁ ବହୁମାତ୍ରାରେ ଘାଣ୍ଟିବାକୁ ପଛେଇ ନଥିଲା। ସେହି ଦୃଷ୍ଟିରୁ ଜୁଲାଇ ୨୭ ତାରିଖ ଦିନ ଯୋଦ୍ଧା ଘୋଡ଼ାକୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସରକାରଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଅତ୍ୟନ୍ତ ଆନନ୍ଦିତ କରିବା ମଧ୍ୟ ସ୍ଵାଭାବିକ।ତେବେ ସରକାର କ’ଣ ସତରେ ଆନ୍ଦୋଳନକାରୀଙ୍କ ଚାପର ବଶବର୍ତ୍ତୀ ହୋଇ ପୂର୍ବ ନିଷ୍ପତ୍ତିର ପରିବର୍ତ୍ତନ କଲେ? ପାରିପାର୍ଶ୍ଵିକ ପରିସ୍ଥିତିକୁ ଲକ୍ଷ କଲେ କଥାଟି ସେମିତି ଲାଗୁ ନାହିଁ। ଏହା ସରକାରଙ୍କ ପକ୍ଷରୁ ଜନମାନସକୁ ପ୍ରଭାବିତ କରିବାକୁ ଏକ ଧୂଆଁବାଣ ବୋଲି କୁହାଯାଇପାରେ। ଅନ୍ୟ ଭାବେ କହିଲେ, କଥାଟି ହେଲା ଯେ ଗୋଟିଏ ବିଫଳତା ଯୋଗୁଁ ନିଷ୍ପତ୍ତିର ପରିବର୍ତ୍ତନ କରା ଯାଉଥିଲେ ବି ସେଥିରୁ ଲାଭ ଉଠାଇବା ପାଇଁ ସରକାରଙ୍କ ପକ୍ଷରୁ ଏହା ଏକ ସୁଚିନ୍ତିତ ପଦକ୍ଷେପ।

କେମିତି?

ସ୍ମାର୍ଟ ସିଟି ଯୋଜନାର ଏକ ସ୍ଵତନ୍ତ୍ର ଅଙ୍ଗ ରୂପେ ଭୁବନେଶ୍ଵର ରେଳ ଷ୍ଟେସନ ସହ ଯୋଡ଼ି ‘ମଲ୍ଟିମୋଡାଲ ହବ’ ଓ ସର୍ବ ବୃହତ ପିପିପି ପ୍ରକଳ୍ପ ‘ଭୁବନେଶ୍ଵର ଟାଉନ ସେଣ୍ଟର’ ଏବେ ଅର୍ଥ ଅଭାବରୁ ପ୍ରାୟ ବନ୍ଦ ହୋଇଯିବାକୁ ବସିଛି। ଅର୍ଥ ଓ ନିବେଶ ଅଭାବରୁ ୪୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ରେଳ ଷ୍ଟେସନର ସଂପ୍ରସାରଣ ଯୋଜନା ଅନ୍ତର୍ଗତ ମଲ୍ଟିମୋଡାଲ ହବ ଓ ୬୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଆଇକନିକ ବିଲଡିଙ୍ଗ ଆଦି ଦୁଇଟି ଯୋଜନାର ଡିଜାଇନ ପ୍ରସ୍ତୁତ ହୋଇ ସାରିଥିଲେ ବି ଟେଣ୍ଡର ହୋଇପାରୁ ନାହିଁ। ଗୋଟିଏ ପଟେ ଏହି ଦୁଇଟି ଯାକ ପ୍ରକଳ୍ପର ନିର୍ମାଣ ଦାୟିତ୍ଵରେ ଥିବା ବିଡିଏ କର୍ତ୍ତୃପକ୍ଷ ଏହି ଖର୍ଚ୍ଚ ବହନ କରିବାକୁ ଅକ୍ଷମତା ପ୍ରକାଶ କରୁଥିବା ବେଳେ ଅନ୍ୟ ପଟେ ରାଜ୍ୟ ସରକାର ବର୍ତ୍ତମାନ ପରିସ୍ଥିତିରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରିବା ସପକ୍ଷରେ ନାହାନ୍ତି। ଅବଶ୍ୟ ରାଜ୍ୟ ସରକାର ଆବଶ୍ୟକତା ମୁତାବକ ଜମି ଯୋଗାଇଦେବାକୁ ରାଜି ଥିଲେ ବି ଏହି ଦୁଇ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ଆବଶ୍ୟକତା ମୁତାବକ ଅର୍ଥ ବାଧକ ସାଜିଛି।ଅନ୍ୟ ପକ୍ଷରେ ରାଜ୍ୟ ସରକାର ଓ ରେଳ ମନ୍ତ୍ରାଳୟ ମଧ୍ୟରେ ହୋଇଥିବା ଏମଓୟୁ ରାଜିନାମା ଅନୁଯାୟୀ ରାଜ୍ୟ ସରକାର ଜମି ଯୋଗାଇ ଦେବାକୁ ରାଜି ଥିଲେ ବି ଅର୍ଥ ବ୍ୟବସ୍ଥା କରି ପାରିବେ ନାହିଁ ବୋଲି ଜଣାଇ ଦେଇଛନ୍ତି। ରେଳ ମନ୍ତ୍ରାଳୟ କିନ୍ତୁ ଏହି ନିର୍ମାଣ ଖର୍ଚ୍ଚ ସଂପୂର୍ଣ୍ଣ ରୂପେ ବହନ କରିବେ କି ନାହିଁ ତାହା ଜଣାଉ ନାହାନ୍ତି। ରେଳ ଷ୍ଟେସନର ଏହି ମଲ୍ଟିମୋଡାଲ ସଂପ୍ରସାରଣ ଯୋଜନା ମଧ୍ୟରେ ଅଧିକ ଦୁଇଟି ରେଳ ଲାଇନ ଓ ଅଧିକ ଦୁଇଟି ପ୍ଲାଟଫର୍ମ ସହ ଟର୍ମିନାଲ ବ୍ୟବସ୍ଥା ରଖି ଏହାକୁ ଏକ ସାତ ମହଲା ବିଶିଷ୍ଟ କୋଠାରେ ପରିଣତ କରିବା ଯୋଜନା ରହିଛି। କିନ୍ତୁ ରେଳ ମନ୍ତ୍ରାଳୟ ଯଦି ଅର୍ଥ ପ୍ରଦାନ ନକରନ୍ତି ତେବେ ରାଜ୍ୟ ସରକାର ଯେବେ ଖର୍ଚ୍ଚ ବହନ କରିବାକୁ ସମର୍ଥ ହେବେ ସେତେବେଳେ ଯାଇ ଏହି ମଲ୍ଟିମୋଡାଲ ହବ ନିର୍ମାଣ ହେବ। ନଚେତ ନହୋଇପାରେ ମଧ୍ୟ।     ସେହିପରି ସ୍ମାର୍ଟ ସିଟି ଲିମିଟେଡର ସର୍ବବୃହତ୍ତ ପିପିପି ପ୍ରକଳ୍ପ ଅନ୍ତର୍ଗତ ୧୯ ମହଲା ବିଶିଷ୍ଟ ଆଇକନିକ ବିଲଡିଙ୍ଗ ନିର୍ମାଣ ପାଇଁ ତିନି ବର୍ଷ ତଳୁ ଉଦ୍ୟମ ଆରମ୍ଭ ହୋଇଥିଲେ ବି ଏଥିରେ ଏପର୍ଯ୍ୟନ୍ତ ନିବେଶ କରିବାକୁ ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ ଆହ୍ଵାନ କରାଯାଇ ନାହିଁ। ଯୋଜନା ଅନୁଯାୟୀ ୮୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଅତ୍ୟାଧୁନିକ କୋଠାରେ ବିଭିନ୍ନ କର୍ପୋରେଟ କାର୍ଯ୍ୟାଳୟ, ମଲ୍ଟିପ୍ଲେକ୍ସ, ରେସ୍ତୋରାଁ, ସପିଙ୍ଗ୍‌ ମଲ ଆଦି ରହିବ। ଏପର୍ଯ୍ୟନ୍ତ ଏହି ପ୍ରକଳ୍ପରେ କିଏ କେଉଁ ସର୍ତ୍ତରେ ପୁଞ୍ଜି ନିବେଶ କରିବ ସେ ଦିଗରେ ବିଡିଏ ଓ ବିଏସସିଏଲ ପକ୍ଷରୁ କୌଣସି ନିଷ୍ପତି ନିଆଯାଇ ନାହିଁ।

ତେଣୁ ଏଭଳି ପରିସ୍ଥିତିରେ ଯୋଦ୍ଧା ଘୋଡ଼ାକୁ ସ୍ଥାନାନ୍ତର କରିବା ସରକାରଙ୍କ ପାଇଁ ନିଶ୍ଚିତରେ ଏକ ବଡ ପ୍ରସଙ୍ଗ ନୁହେଁ। ବିଳମ୍ବରେ ହେଲେ ବି ସରକାର ଏହାକୁ ହୃଦୟଙ୍ଗମ କରି ପାରିଛନ୍ତି। ତେବେ ଏହାକୁ ପ୍ରସଙ୍ଗ କରି ବିରୋଧୀ ଦଳ ସରକାର ସଂସ୍କୃତି ବିରୋଧୀ ବୋଲି ଜନମାନସରେ ଯେଉଁ  ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ତାହାକୁ ହଟାଇବା ଯୋଦ୍ଧା ଘୋଡ଼ାକୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସରକାରଙ୍କ ଘୋଷଣା ପଛର ମୁଖ୍ୟ ଉଦ୍ଦେଶ୍ୟ ବୋଲି ନିର୍ଦ୍ଵନ୍ଦ୍ଵରେ କୁହାଯାଇପାରେ।ଆମକୁ ମନେ ରଖିବାକୁ ହେବ ଯେ ମାତ୍ର ୭୩ ବର୍ଷ ତଳେ ମନ୍ଦିର ମାଳିନୀ ପୁରୁଣା ଭୁବନେଶ୍ଵର ନିକଟସ୍ଥ ନାଲିମାଟି ଥିବା ଏକ ଅପନ୍ତରା ସ୍ଥାନରେ ଓଡ଼ିଶାର ନୂଆ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ବାରମ୍ବାର ଭଙ୍ଗା ଗଢା ହୋଇ ହୋଇ ହାତଗଣତି ମାତ୍ର କେତୋଟି ୟୁନିଟରେ ସୀମିତ ରାଜଧାନୀ କାଳକ୍ରମେ ଏକ ବଡ଼ ସହରର ରୂପ ନେଉଛି। ଏହି ରୂପାନ୍ତରଣ ପ୍ରକ୍ରିୟାରେ ରାଜଧାନୀରେ ପୂର୍ବରୁ ରହିଥିବା ବହୁ ରକମର ଲ୍ୟାଣ୍ଡମାର୍କ ଗୁଡ଼ିକର ପରିବର୍ତ୍ତନ ହେବା ଏକ ସ୍ଵାଭାବିକ ପ୍ରକ୍ରିୟା। ଏହାକୁ ଲୋକମାନଙ୍କ ଭାବୋତ୍ସାହ ସହିତ ଯୋଡ଼ି ଓ ନବ ନିର୍ମିତ ଐତିହ୍ୟ ଘୋଡ଼ା ବୋଲି କହି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜନମାନସକୁ ଆନ୍ଦୋଳିତ କରିବାକୁ ଚେଷ୍ଟା କରିବା ବିକାଶର ପରିପନ୍ଥୀ କହିଲେ କିଛି ଭୁଲ ହେବ ନାହିଁ!

କିନ୍ତୁ ସରକାରଙ୍କ ବିକାଶ ଧାରା ବି ସୁଚିନ୍ତିତ ହେବା ଦରକାର। ନଚେତ ବିକାଶ ନାଁରେ ବିନାଶର ମାର୍ଗ ପ୍ରଶସ୍ତ ହୋଇ ଯାଇପାରେ। ଅର୍ଥାତ, ସହରର ଆକାର ଯେତେବେଳେ ପ୍ରସ୍ଥ-ଅନୁଯାୟୀ ସମ୍ପ୍ରସାରିତ ହେଉଛି ସେତେବେଳେ ସବୁ ଅଞ୍ଚଳର ବିକାଶକୁ ସମଭାବରେ ଗୁରୁତ୍ଵ ଦିଆଯିବା ସର୍ବାଦୌ ଗ୍ରହଣୀୟ। ତାହା ନକରି ସର୍ବାଧିକ ଗହଳ ଚହଳ ଲାଗି ରହୁଥିବା କେନ୍ଦ୍ରସ୍ଥଳୀରେ ସର୍ବାଧିକ ବିକାଶ କରିବାର ସ୍ଵପ୍ନ ଦେଖିବା ଏକ ଅବାସ୍ତବ ପରିକଳ୍ପନା ଛଡ଼ା ଆଉ କିଛି ନୁହେଁ।ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ ସହ ସେଠାରେ ସବୁ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକ ରହିଲେ ସାରା ଭୁବନେଶ୍ଵରର ଲୋକେ ପ୍ରତ୍ୟେକ ଦିନ ସେଠାକୁ ଯିବାଆସିବା କରିବେ ହିଁ କରିବେ। ଏହା ବ୍ୟତୀତ ରାଜଧାନୀର କେନ୍ଦ୍ର ସ୍ଥଳରେ ଷ୍ଟେସନ ସଂଲଗ୍ନ ଅଞ୍ଚଳରେ ଏପରି ଆକର୍ଷଣୀୟ ବ୍ୟବସ୍ଥା ବାହାରୁ ଆସୁଥିବା ଲୋକମାନଙ୍କୁ ମଧ୍ୟ ସେଠାରେ ବୁଲାବୁଲି କରିବାକୁ ପ୍ରୋତ୍ସାହିତ କରିବ। ଫଳରେ ସହରର ଏହି କେନ୍ଦ୍ରାଞ୍ଚଳରେ ହିଁ ଅତ୍ୟଧିକ ଚାପ ସୃଷ୍ଟି ହେବ। ଏଭଳି ଚାପ ସମ୍ଭାଳିବାକୁ ସରକାରଙ୍କ ନିକଟରେ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଭିତ୍ତିଭୂମି ସୁଦୃଢ଼ କରିବା ନିଶ୍ଚୟ ଏକ ବଡ଼ ପ୍ରସଙ୍ଗ ହେବ।ଉଦାହରଣ ରୂପେ ମାର୍କେଟ ବିଲଡିଙ୍ଗ, କ୍ୟାପିଟାଲ ହାଟ, ବାପୁଜୀ ନଗରଠାରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ, ସମଗ୍ର ଜନପଥ ସହ ସହିଦ ନଗରରେ ପ୍ରତ୍ୟେହ ଯେଉଁ ଜନଗହଳି ହେଉଛି ଅଧିକାଂଶ ସମୟରେ ତାହା ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରୁଛି। ଏକଥା ସମସ୍ତଙ୍କୁ ଜଣା। ପୁଣି ସତ୍ୟନଗର ଠାରେ ବିଏମସି ପକ୍ଷରୁ ନିଜସ୍ଵ ମୁଖ୍ୟ କାର୍ଯ୍ୟାଳୟ ସହ ବ୍ୟବସାୟିକ କେନ୍ଦ୍ର ରୂପେ ଏଗାର ମହଲା ଅଟ୍ଟାଳିକା ନିର୍ମାଣ ଚାଲିଛି। ଏହା କାର୍ଯ୍ୟକ୍ଷମ ହେଲେ ସେଠାରେ ମଧ୍ୟ ଗହଳ ଚହଳ ଲାଗି ରହିବ ଓ ତାହାର ଚାପ ଜନପଥ ଉପରେ ପଡ଼ିବ। ତଥାପି ମାଷ୍ଟର କ୍ୟାଣ୍ଟିନ ଛକ ସହ ଷ୍ଟେସନ ସଂଲଗ୍ନ ଅଞ୍ଚଳରେ ଏଭଳି ଅତ୍ୟାଧୁନିକ ପରିକଳ୍ପନା ହୁଏତ ଅଧିକ ଆକର୍ଷଣୀୟ ହୋଇପାରେ, କିନ୍ତୁ ସମ୍ପ୍ରସାରିତ ହେଉଥିବା ନୂଆ ରାଜଧାନୀରେ ଏହା ବିକାଶ ଅପେକ୍ଷା ଅଧିକ ଭାବେ ବିନାଶର କାରଣ ହେବା କିଛି ଅସମ୍ଭବ ନୁହେଁ! ତେଣୁ ମାଷ୍ଟର କ୍ୟାଣ୍ଟିନ ଛକରୁ ଯୋଦ୍ଧା ଘୋଡା ସ୍ଥାନାନ୍ତରଣ ରାଜଧାନୀର ବିକାଶ ଦୃଷ୍ଟିରୁ ଆଦୌ କୌଣସି ପ୍ରସଙ୍ଗ ପଦବାଚ୍ୟ ହିଁ ନୁହେଁ।

ସେହି ଦୃଷ୍ଟିରୁ କୌଣସି ପ୍ରସଙ୍ଗ ପାଉ ନଥିବା ବିରୋଧୀ ଦଳଗୁଡ଼ିକ ସେମାନଙ୍କ ନାରାବାଜି ଯୋଗୁଁ ସରକାର ଯୋଦ୍ଧା ଘୋଡ଼ାକୁ ସ୍ଥାନାନ୍ତର କରିବା ଉଦ୍ୟମକୁ ସ୍ଥଗିତ ରଖିଲେ ବୋଲି ଖୁସି ହୋଇଯିବାର କିଛି କାରଣ ନାହିଁ। ବରଂ ଦୂରଦୃଷ୍ଟି ସମ୍ପର୍ଣ୍ଣ ହୋଇ ସାମଗ୍ରିକ ଭାବେ ସମ୍ପ୍ରସାରିତ ହେଉଥିବା ସହରର ସମଗ୍ର ଅଞ୍ଚଳରେ ସମାନୁପାତିକ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କ ଉପରେ ନିୟମିତ ଭାବେ କିଭଳି ଚାପ ଦେଇ ପାରିବେ ସେ ବାବଦରେ ସୁଚିନ୍ତିତ ପଦକ୍ଷେପ ନେବା ଦରକାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ। ପ୍ରକାଶିତ ମତାମତ ସଂପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ଵ ଅଭିବ୍ୟକ୍ତି)

Comment