ଓଡ଼ିଶାଲାଇଭ୍ ବ୍ୟୁରୋ

କବି ଓ ବରିଷ୍ଠ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଦ୍ଵାଦଶ କବିତା ସଙ୍କଳନ ‘ସମୟର ସାତରଙ୍ଗ’ ଉନ୍ମୋଚିତ ହୋଇଯାଇଛି। ଉନ୍ମୋଚନ ଉତ୍ସବରେ ବରିଷ୍ଠ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ହୃଷିକେଶ ମଲ୍ଲିକ, କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଠା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅଭିନେତ୍ରୀ ଓ ମଞ୍ଚ ଉପସ୍ଥାପିକା ମଧୁମିତା ମହାନ୍ତି ସଭା ପରିଚାଳନା କରିଥିଲେ।

“କବି ରଞ୍ଜନ କୁମାର ଦାସଙ୍କ ଏହି କବିତା ସଙ୍କଳନରେ ଯେଉଁ ଚିତ୍ର ଓ ଚରିତ୍ରମାନଙ୍କୁ ସ୍ଥାନୀତ କରାଯାଇଛି, ତାହା ତାଙ୍କର ବ୍ୟକ୍ତିଗତ ଅନୁଭବ ହୋଇଥିଲେ ହେଁ ସେଥିରେ ସାର୍ବଜନୀନ ଆବେଦନ ରହିଛି ଓ ତାହା ପ୍ରତିଟି ପାଠକଙ୍କୁ ଭାବପ୍ରବଣ କରିବ”, କହିଥିଲେ ମୁଖ୍ୟଅତିଥି ଡକ୍ଟର ହୃଷିକେଶ ମଲ୍ଲିକ।

ଏଥିସହ କବିଙ୍କ ମା’ଙ୍କ ସମ୍ପର୍କରେ ଲିଖିତ ଏକ କବିତା ପଢ଼ିବା ସମୟରେ ନିଜର ମା’ଙ୍କ କଥା ମନେ ପକାଇ କାନ୍ଦିଥିଲେ ଡକ୍ଟର ମଲ୍ଲିକ। ସେହିପରି ‘ସମୟର ସାତରଙ୍ଗ’ରେ ସମକାଳୀନ ମଣିଷର ବହୁ ଅକୁହା ବେଦନା ଓ ପୁଲକକୁ କବିତାରେ ପରିପ୍ରକାଶ କରାଯାଇଛି ଓ ଏହା ପାଠକଙ୍କ ହୃଦୟ ସ୍ପର୍ଶ କରିବ ବୋଲି କହିଥିଲେ ଡକ୍ଟର ବିଜୟାନନ୍ଦ ସିଂହ।

ଲେଖକୀୟ ବକ୍ତବ୍ୟରେ କବି ରଞ୍ଜନ କୁମାର ଦାସ କହିଥିଲେ, “ଯେଉଁ ଅନୁଭବ କଥାରେ କହିହୁଏ ନାହିଁ, ତାହାର ପରିପ୍ରକାଶ ପାଇଁ ଉପମା, ଅଳଙ୍କାର, ବିମ୍ବ ଆଦିର ପ୍ରୟୋଜନ ହୁଏ। ନିଜ ଛାତିତଳର କଥାକୁ ସିଧାସଳଖ ବଖାଣି ପାରିଲି ନାହିଁ ବୋଲି କବିତା ଭଳି ଏକ ସୂକ୍ଷ୍ମକଳାକୁ ଆଦରିନେଲି। କବିତାରେ ଶୈଳୀ ଅପେକ୍ଷା ଭାବକୁ ମୁଁ ଅଧିକ ଗୁରୁତ୍ଵ ଦେଇଥାଏ। ସେଭଳି କୌଣସି ବାଦ ବା ନିର୍ଦ୍ଧିଷ୍ଟ ସୀମା ଭିତରେ ନରହି ଯେତେବେଳେ ଯେଉଁ କଥାଟି ମୋ ହୃଦୟକୁ ଆନ୍ଦୋଳିତ ଅଥବା ଆନନ୍ଦିତ କରେ ତାହାକୁ ମୁଁ କବିତାର ରୂପ ଦେବାକୁ ଚେଷ୍ଟା କରେ।”

କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଉନ୍ମୋଚନ ଉତ୍ସବରେ କୌଣସି ଶ୍ରୋତାଙ୍କୁ ନିମନ୍ତ୍ରଣ କରାଯାଇନଥିଲା।  ଆଗ୍ରହୀ ପାଠକମାନେ ଏ କବିତା ପୁସ୍ତକଟିକୁ ଆମାଜନ ମାଧ୍ୟମରେ କିଣି ପଢ଼ି ପାରିବେ ବୋଲି ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here