ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଣାକାରମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ। ଏହି ପ୍ୟାକେଜ ଅଧିନରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ହଜାର ବୁଣାକାର ଉପକୃତ ହେବେ। ଏଥିସହ ବୁଣାକାରମାନଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ଲେଖାଏଁ ଋଣ ଯୋଗାଇ ଦିଆଯିବ।
ଅଗ୍ରାଧିକାର ଭିତ୍ତିରେ ରାଜ୍ୟର ବୁଣାକାରମାନଙ୍କୁ ବାସଗୃହ ଯୋଗାଇ ଦିଆଯିବ। ଏଥିସହ ବୁଣାକାରଙ୍କ ଉପରେ ଯେପରି ଚାପ ନ ପଡିବ ସେଥିପାଇଁ ସେମାନଙ୍କୁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ପଙ୍ଖା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।
କରୋନା ମହାମାରୀ ପାଇଁ ବୁଣାକାରମାନେ ଦୀର୍ଘ ଦିନ ହେବ ହାତ ବାନ୍ଧି ବସିଛନ୍ତି। ଫଳରେ ସେମାନଙ୍କ ରୋଜଗାର ବାଧାପ୍ରାପ୍ତ ହେବାସହ ଏହାର ପ୍ରଭାବ ହସ୍ତତନ୍ତ ବ୍ୟବସାୟ ଉପରେ ପଡ଼ିଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ସହାୟତାର ହାତ ବଢ଼ାଇ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ପ୍ୟାକେଜରେ କଂକ୍ରିଟ୍ ହୋଇନଥିବା ୧୫,୦୦୦ ଲୁମପିଟକୁ ପର୍ଯ୍ୟାୟକ୍ରମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ। ପ୍ରତି ଲୁମପିଟକୁ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ। ବୁଣାକାରଙ୍କ ଉତ୍ପାଦନ ସାମଗ୍ରୀ ରଖିବା ପାଇଁ ରାଜ୍ୟ ସରକାର ସିଏଫସି, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ନିର୍ମାଣ କରିବେ।
ଓଡ଼ିଶାର କଳା, ସଂସ୍କୃତିର ପ୍ରସାରରେ ବୁଣାକାରଙ୍କ ଅବଦାନ ପ୍ରଶଂସନୀୟ। ତେଣୁ ଏହି ସ୍ୱତନ୍ତ୍ର ପ୍ୟାକେଜ ଦ୍ୱାରା ବୁଣାକାରଙ୍କ ପରିବାର ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।


















