ଓଡ଼ିଶାଲାଇଭ୍ ବ୍ୟୁରୋ
- ଅଗଷ୍ଟ ୨୦ରୁ ସେପ୍ଟେମ୍ଵର ୪ ଯାଏଁ ଅନ୍ଲାଇନ ଆବେଦନ
- ସେପ୍ଟେମ୍ଵର ୯ ପ୍ରଥମ, ୨୧ରେ ଦ୍ଵିତୀୟ ମେରିଟ୍ ଲିଷ୍ଟ
ଯୁକ୍ତ ତିନିରେ ନାମଲେଖା ନିମନ୍ତେ ଅଗଷ୍ଟ ୨୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହା ସେପ୍ଟେମ୍ଵର ୪ ଯାଏଁ ଚାଲିବ। ଯୁକ୍ତ ତିନିରେ ନାମ ଲେଖାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗର ଓ୍ଵେବସାଇଟ୍ www.dheodisha.gov.in ରେ ଅନ୍ଲାଇନ୍ ଯୋଗେ ଆବେଦନ କରିପାରିବେ। ଏନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି।ବିଭାଗୀୟ ବିଜ୍ଞପ୍ତି ଅନୁସାରେ ଅଗଷ୍ଟ ୨୦ରୁ ସେପ୍ଟେମ୍ଵର ୪ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିବ। ଏହାପରେ ସେପ୍ଟେମ୍ଵର ୯ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ସେପ୍ଟେମ୍ଵର ୯ରୁ ୧୪ ତାରିଖ ମଧ୍ୟରେ ନାମଲେଖା ଫି’ ଦାଖଲ କରିବେ। ଏହାପରେ ସେପ୍ଟେମ୍ଵର ୨୧ରେ ଦ୍ଵିତୀୟ ମେରିଟ୍ ଲିଷ୍ଟ ବାହାରିବ।
କରୋନା ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେଣୁ ବିକଳ୍ପ ବ୍ୟବସ୍ଥା ଆଧାରରେ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ଘୋଷଣା ହୋଇଛି। ବିଜ୍ଞାନ, ବାଣିଜ୍ୟ ଏବଂ କଳା ଆଦି ସବୁ ଷ୍ଟ୍ରିମ୍ର ଫଳ ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ ତିନି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।