ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମୁକାବିଲା କ୍ଷେତ୍ରରେ ଟିକାକୁ ଏକମାତ୍ର ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଯେଉଁମାନେ ଟିକାର ଉଭୟ ଡୋଜ୍ ନେଇସାରିଛନ୍ତି ସେମାନେ ପୁଣିଥରେ ସଂକ୍ରମିତ ହେଉଛନ୍ତି, ଆଉ ସେମାନଙ୍କ ମଧ୍ୟରେ ଭୁବନେଶ୍ଵରର ଅନେକ ଆକ୍ରାନ୍ତ ରହିଛନ୍ତି। ତେଣୁ ଟିକାର ପ୍ରଭାବ ଓ ବିଶେଷଜ୍ଞମାନଙ୍କର ଭିନ୍ନ ଭିନ୍ନ ମତକୁ ନେଇ ଏବେ ପୁଣିଥରେ ସାଧାରଣରେ ପ୍ରଶ୍ନ ଉଠିଛି।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଏଯାବତ୍ ରାଜ୍ୟରୁ ଟିକା ନେବା ପରେ ୩୧ହଜାର ୭୧୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପ୍ରଥମ ଡୋଜ ଟିକା ନେବା ପରେ ୧୭ହଜାର ୮୨୪ ଜଣ ଚିହ୍ନଟ ହୋଇଥିବାବେଳେ,  ୧୩ ହଜାର ୮୮୮ ଜଣ ଦ୍ୱିତୀୟ ଡୋଜ ଟିକା ନେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଭୁବନେଶ୍ୱରର ସର୍ବାଧିକ ରହିଛନ୍ତି। କିନ୍ତୁ ଆଶ୍ଵସ୍ତିକର ଖବର ଏହା ଯେ, ଟିକା ନେଇଥିବା ବ୍ୟକ୍ତି ପୁଣିଥରେ ପଜିଟିଭ୍ ଚିହ୍ନଟ ହେଲେ, ସେମାନଙ୍କ କ୍ଷେତ୍ରରେ ଏହା ଗୁରୁତର ହେଉନାହିଁ କିମ୍ବା ଅନେକାଂଶରେ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଯିବାକୁ ମଧ୍ୟ ପଡ଼ୁନାହିଁ।

ସାମଗ୍ରିକ ଭାବେ ଦେଖିବାକୁଗଲେ ରାଜ୍ୟରେ ଟିକା ନେଇ ୧ ପ୍ରତିଶତରୁ କମ୍ ଲୋକ ସଂକ୍ରମିତ ହୋଇଛନ୍ତି, ଯାହାକି ନଗଣ୍ୟ।

ଏହିଭଳି ସନ୍ଦେହ ଓ ଦ୍ଵନ୍ଦ୍ଵ ଭିତରେ ଓଡ଼ିଶା କୋଭିଡ୍ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୨କୋଟିରୁ ଅଧିକ ହିତାଧିକାରୀଙ୍କୁ ଟିକା ଦିଆସରିଲାଣି। କିନ୍ତୁ ଓଡ଼ିଶା ସରକାର ମୋଟ ୩ କୋଟି ୯ ଲକ୍ଷ ୮୫ ହଜାର ୫୩୮ ହିତାଧିକାରୀଙ୍କୁ ଟିକା ଦେବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଉପଲବ୍ଧ ରହିଲେ ରାଜ୍ୟରେ ଡିସେମ୍ବର ସୁଦ୍ଧା ଟିକାକରଣ ସରିବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here