ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବର୍ଷାର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ଯାହାର ପ୍ରଭାବ ସିଧାସଳଖ ଭାବେ କୃଷି ଉପରେ ପଡ଼ିଛି। ତେଣୁ ଏହାକୁ ନେଇ ଚିନ୍ତିତ ଚାଷୀକୁଳ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଜୁଲାଇ ୧ରୁ ଅଗଷ୍ଟ ୨୨ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷାଠାରୁ ୩୦ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି।

ସେପଟେ ସମ୍ଭାବ୍ୟ ମରୁଡ଼ି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସ୍ଵତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଉକ୍ତ ବୈଠକରେ କୃଷି ସଚିବ ସୁରେଶ କୁମାର ବଶିଷ୍ଟ ଉପସ୍ଥିତ ରହି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “୧୫ଜିଲ୍ଲାର ୩୦ବ୍ଲକରେ ସ୍ୱାଭାବିକ ବର୍ଷା ଠାରୁ କମ୍ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଯେଉଁଠି କମ୍ ବର୍ଷା ହୋଇଛି, ସେହି ସ୍ଥାନମାନଙ୍କରେ ଉଠାଜଳସେଚନ ବ୍ୟବସ୍ଥା ସକ୍ରିୟ କରାଯିବ। ପ୍ରତି ପାଣି ପଞ୍ଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ କରାଯିବ। ଏଥିସହ କୃଷି ଶ୍ରମିକମାନଙ୍କୁ ମନରେଗା ଏବଂ ଅନ୍ୟ ଯୋଜନାରେ କାମ ଯୋଗାଇ ଦିଆଯିବ।”ଅନ୍ୟପକ୍ଷରେ ବିଭାଗର ସୂଚନା ଅନୁସାରେ ଯାଜପୁର, ଭଦ୍ରକ, ବଲାଙ୍ଗିର, କେନ୍ଦୁଝର, ଅନୁଗୁଳର ଜିଲ୍ଲାରେ ବର୍ଷାର ପରିମାଣ ସବୁଠାରୁ ଉଦବେଗଜନକ ରହିଛି। ଏହି ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷାର ପରିମାଣଠାରୁ ୪୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଏଥିସହ ଯାଜପୁର ଜିଲ୍ଲାରେ ସର୍ବନିମ୍ନ ବୃଷ୍ଟିପାତ ହୋଇଛି। ଯାଜପୁରରେ ସ୍ୱାଭାବିକ ବର୍ଷାଠୁ ୫୪ପ୍ରତିଶତ, ଭଦ୍ରକରେ ୫୦ପ୍ରତିଶତ, ବଲାଙ୍ଗିରରେ ୪୩ପ୍ରତିଶତ କମ୍ ବର୍ଷା ହୋଇଛି। ସେହିପରି କେନ୍ଦୁଝରରେ ସ୍ୱାଭାବିକ ବର୍ଷାର ପରିମାଣଠାରୁ ୪୨ପ୍ରତିଶତ ଓ ଅନୁଗୁଳରରେ ୪୦ପ୍ରତିଶତ  କମ୍ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଏଭଳି ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ପାଣି ଅଭାବରୁ ଫସଲ ନଷ୍ଟ ସହ ମରୁଡି ଆଶଙ୍କା ଦେଖା ଦେଲାଣି। ଯଦି ଆଉ କିଛି ଦିନ ମଧ୍ୟରେ ବୃଷ୍ଟିପାତ ସ୍ୱାଭାବିକ ନହୁଏ ତେବେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ।

କୃଷି ବିଭାଗର ଆକଳନ ଅନୁସାରେ ନିଅଣ୍ଟିଆ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ କୃଷି କର୍ମ ବାଧାପ୍ରାପ୍ତ ହୋଇଛି। ତଥ୍ୟ ଅନୁଯାୟୀ ରାଜ୍ୟରେ ଜୁଲାଇ ୩୧ଶେଷ ସୁଦ୍ଧା ପ୍ରାୟ ୨୦ଲକ୍ଷ ହେକ୍ଟରରେ ଧାନ ବୁଣା ହୋଇଛି। ଗତ ବର୍ଷ ଏହି ସମୟବେଳକୁ ଏହାର ପରିମାଣ ଥିଲା ୨୫ଲକ୍ଷ ହେକ୍ଟରରୁ ଅଧିକ ରହିଥିଲା। ଉଲ୍ଲେଖ କରାଯାଇପାରେ ଯେ ୨୦୧୮ ମସିହାରେ ଓଡ଼ିଶାରେ ମରୁଡ଼ି ପଡିଥିଲା ଓ ପଶ୍ଚିମଓଡ଼ିଶାର ୯ ଜିଲ୍ଲାରେ ଚାଷୀ ଫସଲ ହାନିର ସମ୍ମୁଖୀନ ହୋଇଥିଲେ।

LEAVE A REPLY

Please enter your comment!
Please enter your name here