ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଚାଲିଛି। ପ୍ରତ୍ୟେକ ଦିନ ପ୍ରାୟ ୩୦ରୁ ୪୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଚଳିତ ମାସ ଶେଷ ଆଡ଼କୁ କରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଏଥିରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ ବୋଲି କୁହାଯାଉଥିବା ବେଳେ ଓଡ଼ିଶାରେ ଆଗୁଆ ସଙ୍କେତ ଦିଶିଲାଣି। କାରଣ ସରକାରୀ ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରତ୍ୟେକ ଦିନ ୧୦୦ରୁ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି।
ଗତ ୪ ଦିନର ସରକାରୀ କୋଭିଡ ରିପୋର୍ଟ ଦେଖିଲେ ତୃତୀୟ ଲହରର ଆଭାସ ମିଳୁଛି। କାରଣ ଗତ ୨୨ ତାରିଖରେ ରାଜ୍ୟରେ ୧୦୧, ୨୩ରେ ୮୦, ୨୪ରେ ୧୩୧, ୨୫ରେ ୧୦୩, ୨୬ରେ ୧୦୬ ଜଣ ଶିଶୁ ଚିହ୍ନଟ ହୋଇଛନ୍ତି।
ସଂକ୍ରମିତ ହୋଇପାରନ୍ତି ୯୨ ହଜାର ଶିଶୁ
କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ରାଜ୍ୟରେ ୯୨ ଶିଶୁ କରୋନାରେ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଛି। ତୃତୀୟ ଲହର ନେଇ ବିଭିନ୍ନ ମଡେଲରେ ଭିନ୍ନ ଭିନ୍ନ ତଥ୍ୟ ଆସୁଛି। ଏହି ପରିପ୍ରେକ୍ଷୀର ରାଜ୍ୟ ସରକାରଙ୍କ ପକ୍ଷରୁ ଜରୁରୀକାଳିନ କୋଭିଡ ପ୍ରତିକ୍ରିୟା ଯୋଜନା ବା ଏନସିଆରପି-୨କୁ ମଞ୍ଜୁରି ମିଳିଛି। ଏଥିରେ ଡାଏଗ୍ନୋଷ୍ଟିକ, ଟେଲିମେଡିସିନ୍, ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର, କୋଭିଡ କେୟାର ସେଣ୍ଟର, ଅକ୍ସିଜେନ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି।
କରୋନାରେ ଶିଶୁ ମୃତ୍ୟୁ ବଢ଼ାଇଲା ଚିନ୍ତା
ଶୁକ୍ରବାର କରୋନାରେ ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଉଭୟ ପିଲା ମୟୂରଭଞ୍ଜ ଜିଲ୍ଲାର ଥିଲେ। କରୋନା ଆକ୍ରାନ୍ତ ହେବା ପରେ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତୃତୀୟ ଲହର ଦୈନିକ ସଂକ୍ରମଣ ୧୯ ହଜାର ଛୁଇଁପାରେ
ତୃତୀୟ ଲହର ଶୀର୍ଷ ଛୁଇଁଲା ବେଳକୁ ଦେଶରେ ସର୍ବାଧିକ ଦୈନିକ ୪ ଲକ୍ଷ ମାମଲା ଆସିପାରେ ବୋଲି ଆକଳନ କରାଯାଉଛି। ଓଡ଼ିଶାର ଜନସଂଖ୍ୟା ଦେଶର ୩.୬ ପ୍ରତିଶତ ହୋଇଥିବାରୁ ସେପ୍ଟେମ୍ବର ଅକ୍ଟୋବର ବେଳକୁ ରାଜ୍ୟରେ ଦିନକୁ ୧୯ ହଜାର ପ୍ରାୟ ମାମଲା ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି।
ସମ୍ଭାବ୍ୟ ତୃତୀୟ ଲହର ନେଇ କେନ୍ଦ୍ର ସରକାର ସତର୍କ କରାଇବା ପରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟରେ ଯେମିତି କରୋନା ବେକାବୁ ନ ହୁଏ ସେଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।