ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍‌ ପହିଲାରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ୨୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ୨୩ ବର୍ଷ ପରେ ରାଜ୍ୟରେ ପୁଣିଥରେ ବର୍ଷାର ଏପରି ସ୍ଥିତି ଦେଖାଦେଇଛି। ଏହି ସମୟ ମଧ୍ୟରେ ସ୍ୱାଭାବିକ ଭାବେ ରାଜ୍ୟରେ ୯୨୮.୭ ମିମି ବର୍ଷା  ହେବା କଥା। କିନ୍ତୁ ଏ ବର୍ଷ ମାତ୍ର ୬୬୧.୧ ମିମି ବର୍ଷା ହୋଇଛି। ୧୯୯୮ ମସିହା ଅଗଷ୍ଟ ଶେଷ ବେଳକୁ ରାଜ୍ୟରେ ୨୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା। ସେହିବର୍ଷ ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ମାତ୍ର ୬୫୭.୫ ମିମି ବର୍ଷା ହୋଇଥିଲା

ମୌସୁମୀ ସକ୍ରିୟ ହେବା  ଯୋଗୁଁ ଜୁଲାଇ ଓ ଅଗଷ୍ଟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥାଏ।  ଅଗଷ୍ଟ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥାଏ। କିନ୍ତୁ ଏବର୍ଷ ଅଗଷ୍ଟରେ ଗୋଟିଏ ବି ଦିନ ‌ମୌସୁମୀ ସକ୍ରିୟ ନଥିବାରୁ ରାଜ୍ୟରେ ‌ଉତ୍କଟ ବର୍ଷାଭାବ ଦେଖିବାକୁ ମିଳିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ‘‘ସ୍ୱାଭାବିକ ଭାବେ ଅଗଷ୍ଟରେ ୫ରୁ ୬ଟି ଲଘୁଚାପ ସୃଷ୍ଟି ହୋଇଥାଏ। ଗତବର୍ଷ ରାଜ୍ୟରେ କେବଳ ଅଗଷ୍ଟରେ ୫ଟି ଲଘୁଚାପ ସୃଷ୍ଟି ହୋଇଥିବା ‌ବେଳେ ପ୍ରତି ଲଘୁଚାପ ପିଛା ୫୫ ମିମିରୁ ୬୦ମିମି ବର୍ଷା ହୋଇଥିଲା। ଲଘୁଚାପ ଯୋଗୁଁ ମୌସୁମୀ ବି ସକ୍ରିୟ ରହିଥିଲା। ଫଳରେ ଗତବର୍ଷ ଅଗଷ୍ଟରେ ୪୨%ରୁ ଅଧିକ ବର୍ଷା ରେକର୍ଡ ହୋଇଥିଲା।

କିନ୍ତୁ ଚଳିତ ବର୍ଷ ଅଗଷ୍ଟରେ ମାତ୍ର ୨ଟି ଲଘୁଚାପ ସୃଷ୍ଟି ହୋଇଥିବା ‌ବେଳେ ଗୋଟିଏ ଲଘୁଚାପ ପିଛା ମାତ୍ର ୨୦ରୁ ୨୫ ମିମି ଯାଏ ବର୍ଷା ହୋଇଛି। ମୌସୁମୀର ଟ୍ରଫ୍‌ ଲାଇନ ସାଧାରଣ ଅବସ୍ଥାନଠାରୁ ପାଖାପାଖି ୨୪ଦିନ ଉତ୍ତରାଭିମୁଖୀ ରହିଥିବା ବେଳେ ୭ ଦିନ ସ୍ୱାଭାବିକ ସ୍ଥାନରେ ରହିଲା। ଫଳରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇ ପାରିନଥିଲା ଓ ବର୍ଷା କମ୍‌ ହୋଇଛି’’।

ସାଧାରଣତଃ ମୌସୁମୀ ଟ୍ରଫ୍‌ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ମଧ୍ୟ ଦେଇ ଉତ୍ତର ଓଡ଼ିଶା ହୋଇ ବଙ୍ଗୋପସାଗରରେ ମିଶିଲେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥାଏ। କିନ୍ତୁ ଅଗଷ୍ଟରେ ମୌସୁମୀ ଟ୍ରଫ୍‌ ବିଲ୍‌କୁଲ୍‌ ଏହି ଅବସ୍ଥାନକୁ ଆସିଲା ନାହିଁ ଓ ବର୍ଷା କମ୍‌ ହେଲା। ପାଣିପାଗ ବିଭାଗର ତାଜା ଆକଳନ ଅନୁସାରେ ସେପ୍ଟେମ୍ବରରେ   ବର୍ଷାର ସ୍ଥିତିରେ ଉନ୍ନତି ଆସିପାରେ।

Comment