ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୦ ହାତୀଙ୍କୁ ହତ୍ୟା କରିବ ଜିମ୍ବାୱେ। ଆଉ ତାହା ପୁଣି ପେସାଦର ଶିକାରୀ ଓ ବନ ଅଧିକାରୀଙ୍କ ସହାୟତାରେ। ଖାଲି ହତ୍ୟା କରାଯିବନି, ସେମାନଙ୍କ ମାଂସକୁ ଦେଶରେ ଖାଇବାକୁ ପାଉ ନଥିବା ଲୋକଙ୍କ ମଧ୍ୟରେ ବଣ୍ଟାଯିବ। ଜିମ୍ବାୱେ ସରକାର ନେଇଛନ୍ତି ଏଭଳି ଚରମ ନିଷ୍ପତ୍ତି। ତେବେ ଏତେ ମାତ୍ରାରେ ହାତୀମାନଙ୍କୁ ହତ୍ୟା ଯୋଜନା ପଛରେ ସରକାରଙ୍କର କ’ଣ ରହିଛି ଅସଲ ଉଦ୍ଦେଶ୍ୟ ଆସନ୍ତୁ ଜାଣିବା।

ଜିମ୍ବାୱେ ଆଫ୍ରିକା ମହାଦେଶର ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ଏକ ଦେଶ। ଏହି ଦେଶର ମୋଟ୍ ଜନସଂଖ୍ୟା ୧.୬୩ କୋଟି। ଦେଶବାସୀଙ୍କ ପ୍ରଧାନ ଖାଦ୍ୟ ମକା ଓ ଏଥିରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ହୋଇଥିବାବେଳେ ମୁଖ୍ୟ ଜୀବିକା ହିସାବରେ ଏମାନେ କୃଷି ଉପରେ ନିର୍ଭରଶୀଳ। ଖାଲି ମକା ନୁହେଁ, ଏହା ସହିତ ଗହମ, କପା, ସୋୟାବିନ୍‌, ସରଘୁମ୍‌, ବାଜରା ଆଦି ମଧ୍ୟ ଚାଷ କରନ୍ତି।

ତେବେ ଚଳିତବର୍ଷ ପାଣିପାଗ ପରିବର୍ତ୍ତନ ତଥା ‘ଏଲ୍‌ନିନୋ’ ପ୍ରଭାବ ଯୋଗୁଁ ଦେଶରେ ଆବଶ୍ୟକତାରୁ ଖୁବ୍ କମ୍ ପରିମାଣର ବର୍ଷା ହୋଇଛି। ଫଳରେ ଦେଶର ଅଧିକାଂଶ ଜମି ପଡ଼ିଆ ପଡ଼ିବା ସହ ଋତୁକାଳୀନ ଚାଷ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ଜଳାଭାବ ଉତ୍କଟ ହେବାରୁ ମରୁଡ଼ି ସ୍ଥିତି ଉପୁଜିଛି ଏବଂ ଦେଶରେ ଖାଇବା ପାଇଁ ହାହାକାର ପଡ଼ିଛି। ଏଣୁ ଦେଶରୁ ଖାଦ୍ୟାଭାବ ଦୂର କରିବା ପାଇଁ ହାତୀମାନଙ୍କୁ ମାରିବା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଜିମ୍ବାୱେ ସରକାର।

୪ ଦଶନ୍ଧିରେ ସବୁଠାରୁ ଭୟଙ୍କର ମରୁଡ଼ି

ଗତ ୪ ଦଶନ୍ଧି ମଧ୍ୟରେ ଦେଶ କେବେ ହେଲେ ଏଭଳି ମରୁଡ଼ିର ସମ୍ମୁଖୀନ ହୋଇ ନ ଥିଲା ବୋଲି ଜିମ୍ବାୱେ ସରକାରଙ୍କ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ମରୁଡ଼ି ଯୋଗୁଁ ଦେଶର ୭୬ ଲକ୍ଷ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି। ଏହାସହ ଦେଶରେ ଅନାହାର ମୃତ୍ୟୁ ଆଶଙ୍କା ମଧ୍ୟ ଦେଖାଦେଇଛି। ଏଣୁ ଏହି ‘ଖାଦ୍ୟାଭାବକୁ ରୋକିବା ପାଇଁ ଜିମ୍ବାୱେ ସରକାର ୨୦୦ ହାତୀଙ୍କୁ ହତ୍ୟା କରିବା ସହ ହାତୀମାଂସକୁ ମରୁଡ଼ିପୂର୍ଣ୍ଣ ଅଞ୍ଚଳରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ଏହି ଯୋଜନାକୁ କିପରି ସୁଫଳ କରିହେବ ସେହି ଦିଗରେ ଆମେ କାମ କରୁଛୁ’ ବୋଲି କହିଛନ୍ତି ଜିମ୍ବାୱେ ବନ୍ୟପ୍ରାଣୀ ପ୍ରାଧିକରଣର ମୁଖପାତ୍ର ତିନାଶୀ ଫରାଓ।

ଅପରପକ୍ଷେ ଜିମ୍ବାୱେର ବିଭିନ୍ନ ଅଞ୍ଚଳରେ ଏଯାବତ୍ ୮୪,୦୦୦ରୁ ଅଧିକ ହାତୀ ରହୁଛନ୍ତି। ଏମାନଙ୍କ ସଂଖ୍ୟା ବୃଦ୍ଧି କାରଣରୁ ବିଭିନ୍ନ ସମୟରେ ହାତୀମାନେ ଚାଷଜମି ନଷ୍ଟ କରୁଛନ୍ତି। ବିଭିନ୍ନ ସମୟରେ ହାତୀ ଘଉଡ଼ାଇବାକୁ ଯାଇ କିଛି ଲୋକ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି।

ଗତବର୍ଷ ଜିମ୍ବାୱେର ହ୍ୱାଙ୍ଗେ, ଏମ୍ବାୟାର୍‌, ସୋଲୋତ୍‌ସୋ ଏବଂ ଚିରେଜି ଜିଲ୍ଲାଗୁଡ଼ିକରେ ହାତୀଙ୍କ ଆକ୍ରମଣ ଯୋଗୁଁ ୫୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହିସବୁ ଜିଲ୍ଲାଗୁଡ଼ିକରୁ ହାତୀମରା ଅଭିଯାନ କରାଯିବ ବୋଲି ବନ୍ୟପ୍ରାଣୀ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଜିମ୍ବାୱେ ସରକାର ୨୦୦ ହାତୀଙ୍କୁ ମାରିବା ପାଇଁ ଯୋଜନା କରୁଥିବା ବେଳେ ୨୦୧୯ରେ ମଧ୍ୟ ମରୁଡ଼ି, ଖାଦ୍ୟ, ଜଳାଭାବ ଓ ଟାଣ ଖରା ଯୋଗୁଁ ପାଖାପାଖି ୧୬୦ ହାତୀଙ୍କ ମୃତ୍ୟୁ ହୋଇଛି।

ମରୁଡ଼ି ପଛରେ ‘ଏଲ୍‌ନିନୋ’ ପ୍ରଭାବ

ଡବ୍ଲ୍ୟୁପିଏଫ୍ ବା ବିଶ୍ୱ ଖାଦ୍ୟ ଯୋଜନା ପକ୍ଷରୁ ପ୍ରସ୍ତୁତ ହୋଇଥିବା ରିପୋର୍ଟ ଅନୁଯାୟୀ ‘ଏଲ୍‌ନିନୋ’ ପ୍ରଭାବ ଯୋଗୁଁ ଜିମ୍ବାୱେରେ କୃଷି ଉତ୍ପାଦ ହାରାହାରି ଠାରୁ ବହୁତ କମ୍ ଉତ୍ପାଦନ ହୋଇଛି। ୨୦୧୫-୧୬ ଏବଂ ୨୦୧୯ରେ ମଧ୍ୟ ଏଲ୍‌ନିନୋ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଚାଷ ପ୍ରଭାବିତ ହୋଇଥିଲା। ତେବେ ୨୦୨୪ରେ ଜଳବାୟୁରେ ଯେଉଁ ପରିବର୍ତ୍ତନ ଘଟିଛି ତାହାର ପରିଣାମ ଏବେ ସାରା ଦେଶବାସୀ ଭୋଗୁଛନ୍ତି।

୨୦୨୩ରେ ବିଳମ୍ବିତ ଗ୍ରୀଷ୍ମକାଳୀନ ବର୍ଷା ଯୋଗୁଁ ଚାଷ ଜମିରେ ଗଛ ଗଜା ହେବାରେ ସମସ୍ୟା ଉପୁଜିଥିଲା। ବର୍ଷର ଶେଷ ସୁଦ୍ଧା ବା ଡିସେମ୍ବର ପର୍ଯ୍ୟନ୍ତ ଏହି ପରିସ୍ଥିତି ଲାଗି ରହିଥିଲା। ଏଥିଲାଗି ଜମିରେ ଜଳାଭାବ ଦେଖାଦେବା ସହ ଜମିରେ ଧିରେ ଧିରେ ଚାଷ ନଷ୍ଟ ହେବାକୁ ଲାଗିଲା।

ମୁଖ୍ୟତଃ ଡିସେମ୍ବର ଶେଷ ସପ୍ତାହ ଏବଂ ଜାନୁଆରୀ ପ୍ରଥମ ସପ୍ତାହରେ ଚାଷୀମାନେ ମକା ମଞ୍ଜି ବୁଣିଥା’ନ୍ତି। ତେବେ ଅସ୍ୱାଭାବିକ ପାଣିପାଗ ପରିବର୍ତ୍ତନ ଯୋଗୁଁ ୨୦୨୩ ଫେବ୍ରୁଆରି ବେଳକୁ ସ୍ଥିତି ଭୟଙ୍କର ହୋଇଥିଲା। ଏହାପରେ ଜୁନ୍ ଓ ଅକ୍ଟୋବର ବେଳକୁ ପାଣିର ଘୋର ଅଭାବ ଯୋଗୁଁ ଚରାଭୂଇଁ ବା ଗୋଚର ଭୂମି ମଧ୍ୟ ଶୁଖିବାରେ ଲାଗିଲା। ଫଳରେ ଦେଶର ପ୍ରାଣୀସମ୍ପଦ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଲା । ଖାଦ୍ୟାଭାବ ଯୋଗୁଁ ଦେଶବାସୀ ନିଜ ପାଇଁ ଓଳିଏ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଲା।

ଗତମାସରେ ଜିମ୍ବାୱେର ପଡ଼ୋଶୀ ଦେଶ ନାମ୍ବିଆରେ ମଧ୍ୟ ମରୁଡ଼ି ଓ ଖାଦ୍ୟାଭାବ ଯୋଗୁଁ ସେଠାକାର ସରକାର ୮୩ ହାତୀଙ୍କ ସମେତ ୭୦୦ରୁ ଅଧିକ ଜୀବଜନ୍ତୁଙ୍କୁ ମାରିବା ପାଇଁ ଯୋଜନା କରିଥିଲେ। ନାମ୍ବିଆକୁ ଅନୁସରଣ କରି ଏବେ ଜିମ୍ବାୱେ ସରକାର ମଧ୍ୟ ହାତୀ ଶିକାର ପାଇଁ ଘୋଷଣା କରିଛନ୍ତି।

Tags: #Zimbabwe #FoodCrisis #AnimalCulling #Elephants #Drought #Africa

LEAVE A REPLY

Please enter your comment!
Please enter your name here