ଓଡ଼ିଶାଲାଇଭ୍ ବ୍ୟୁରୋ

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଅର୍ଥନୀତି ଡୁବିବା ଅବସ୍ଥାରେ ପହଞ୍ଚି ସାରିଛି। ଅର୍ଥନୀତିକୁ ସୁଧାରିବା ପାଇଁ ସମସ୍ତ ନିୟନ୍ତ୍ରଣ ନୀତି କାମ ନ କରିବା ପରେ ବିଶ୍ୱ ସମୁଦାୟ ସମ୍ମୁଖରେ ତ୍ରାହିତ୍ରାହି ଡାକିସାରିଲାଣି ପାକିସ୍ତାନ

ଦୁଇ ଦଶନ୍ଧି ଧରି ଦୋହଲୁଥିବା ପାକିସ୍ତାନର ଅର୍ଥନୀତି ଏବେ ପତନର ଶେଷ ସୀମାରେ ଆସି ପହଞ୍ଚିଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରର ଅବସ୍ଥା ସାଂଘାତିକ। ମୁଦ୍ରାସ୍ଫୀତି ୨୮ ପ୍ରତିଶତ ଉପରକୁ ଯାଇ ସର୍ବକାଳୀନ ଶୀର୍ଷରେ ପହଞ୍ଚିସାରିଛି। ପାକିସ୍ତାନୀ ମୁଦ୍ରାର ମୂଲ୍ୟ ଏବେ ଦିନକୁ ଦିନ ଖସିବାରେ ଲାଗିଛି। ଜାନୁଆରୀ ମାସ ଶେଷ ସୁଦ୍ଧା ଏହା ଡଲାର ତୁଳନାରେ ଏକାଥରକେ ୯.୬ ପ୍ରତିଶତ ହ୍ରାସ ପାଇଥିଲା।

ଦୁଇ ଦଶନ୍ଧିରେ ଦେଶର ବୈଦେଶିକ ଋଣ ବୋଝ ୧୪ ପ୍ରତିଶତ ହାରରେ ୨୦ ଗୁଣା ବଢ଼ିସାରିଛି। ଏବେ ପାକିସ୍ତାନ ମୁଣ୍ଡ ଉପରେ ୨୪୭ ବିଲିୟନ ଡଲାରର ବୈଦେଶିକ ଋଣ ବୋଝ ଅଛି। ଏହା  ଦେଶର ମୋଟ ଜିଡିପିର ୯୭ ପ୍ରତିଶତ ଅଟେ। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ମାତ୍ର ୪.୩ ବିଲିୟନ ଡଲାର ରହିଛି।

ବିଭିନ୍ନ ଦେଶ ସହ ପାକିସ୍ତାନର ବାଣିଜ୍ୟିକ କାରବାର ହ୍ରାସ ପାଇଥିବାରୁ ବିଭିନ୍ନ ଜରୁରୀ ସାମଗ୍ରୀ ପାଇଁ ଦେଶବାସୀ ସଂକଟର ସମ୍ମୁଖୀନ ହେଉଛନ୍ତି। ଜୁନ୍ ମାସ ସୁଦ୍ଧା କିଛି କଠୋର ନିଷ୍ପତ୍ତି ଓ ଦୃଢ଼ ପଦକ୍ଷେପ ନ ନେଲେ ପାକିସ୍ତାନ ଦେବାଳିଆ ହୋଇଯିବାର ଆଶଙ୍କା ରହିଛି।

ଖାଦ୍ୟ ସଂକଟ

ପାକିସ୍ତାନରେ ବହୁତ ଦିନ ଧରି ନୂଆ ନିଯୁକ୍ତି ବନ୍ଦ ରହିଛି। ଅନେକ ଲୋକେ ରୋଜଗାର ହରାଉଛନ୍ତି। ଅନ୍ୟପଟେ ବିଭିନ୍ନ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଅଟା କେଜି ୩୦୦ ଟଙ୍କା ଟପିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ବି ପାଖାପାଖି ୩୦୦ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି। ପରିବହନ ବାବଦକୁ ଖର୍ଚ୍ଚ ବଢୁଥିବାରୁ ସମସ୍ତ ଜରୁରୀ ସାମଗ୍ରୀର ମୂଲ୍ୟ ବଢ଼ିବାରେ ଲାଗିଛି।

ଖାଦ୍ୟ ପଦାର୍ଥ କିଣିବା ପାଇଁ ଲୋକେ ଲମ୍ବା ଲାଇନରେ ଠିଆ ହେଉଛନ୍ତି। ଔଷଧ ମୂଲ୍ୟ ମଧ୍ୟ ଦୃତ ଗତିରେ ବଢ଼ୁଥିବାରୁ ସାଂଘାତିକ ସ୍ୱାସ୍ଥ୍ୟ ସଂକଟ ଦେଖା ଦେଇଛି। ଆଗକୁ ଦେଶର ଅବସ୍ଥା ଆହୁରି ଖରାପ ହେବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଚେତାବନୀ ଦେଇସାରିଛନ୍ତି।

ଶକ୍ତି ସଂକଟ

ପାକିସ୍ତାନରେ ପାଓ୍ୱାରପ୍ଲାଣ୍ଟର ସଂଖ୍ୟା କିଛି କମ ନୁହେଁ, କିନ୍ତୁ ଏସବୁ ପେଟ୍ରୋଲିୟମ ଉପରେ ନିର୍ଭରଶୀଳ। ଏବେ ଏସବୁରେ ନିବେଶ କରିବା ପାଇଁ ପାକିସ୍ତାନ ପାଖରେ ଅର୍ଥ ନାହିଁ। ତେଣୁ ଧୀରେ ଧୀରେ ପାଓ୍ୱାର ପ୍ଲାଣ୍ଟ ସବୁ ବନ୍ଦ ହେଉଥିବା ବେଳେ ଦେଶରେ ବିଜୁଳି ସଂକଟ ଦେଖା ଦେଇଛି।

ବାରମ୍ବାର ବିଦ୍ୟୁତ୍ କାଟ୍ ପାଇଁ ପାକିସ୍ତାନର ଶିଳ୍ପ ସଂସ୍ଥାର ଉତ୍ପାଦନ ବନ୍ଦ ହେବାରେ ଲାଗିଛି। ବିଜୁଳି ଅଭାବ ପାଇଁ ଏଥିରେ ଶିଳ୍ପସଂସ୍ଥାକୁ ମିଳୁଥିବା ରିହାତି ଉଚ୍ଛେଦ ହୋଇସାରିଛି। ଖାସ୍ ଏଥିପାଇଁ ପାକିସ୍ତାନ ଅର୍ଥନୀତିକୁ ବଡ଼ ଯୋଗଦାନ କରୁଥିବା ବୟନ ଶିଳ୍ପର ଉତ୍ପାଦନ ୫୦ ପ୍ରତିଶତ ହ୍ରାସ ପାଇଛି। ୧୬୦୦ରୁ ଅଧିକ କପଡ଼ା ମିଲ୍ ବନ୍ଦ ହୋଇସାରିଛି। ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ୫୦ ଲକ୍ଷରୁ ଅଧିକ ଲୋକ ସେମାନଙ୍କ ରୋଜଗାର ହରାଇଛନ୍ତି।

ଅନ୍ୟପଟେ ପାକିସ୍ତାନର ଅଟୋମୋବାଇଲ କ୍ଷେତ୍ରର ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହେବା ଅବସ୍ଥାରେ ପହଞ୍ଚିସାରିଛି। ଖାଲି ସେତିକି ନୁହଁ, ବଡ଼ ବଡ଼ ସପିଂ ମଲ୍ ବନ୍ଦ ହେବାରେ ଲାଗିଛି। ରାତି ୮ଟା ୩୦ ସୁଦ୍ଧା ସମସ୍ତ ମଲ୍ ବନ୍ଦ କରିବାକୁ ସରକାରୀ ଭାବେ ନିର୍ଦେଶ ଦିଆଯାଇଛି।

ଏମିତି କାହିଁକି ହେଲା ?

୧୦ ବର୍ଷ ତଳୁ ପାକିସ୍ତାନ ଅର୍ଥନୀତିର ପତନ ଧୀରେ ଧୀରେ ଆରମ୍ଭ ହୋଇଥିଲା। କିନ୍ତୁ ଏହାକୁ ସୁଧାରିବା ପାଇଁ କିଛି କଠୋର ନିଷ୍ପତ୍ତି ନେଇ ପାରି ନଥିଲା ପାକିସ୍ତାନ। ଆତଙ୍କବାଦକୁ ପ୍ରୋତ୍ସାହନ ଓ ପ୍ରତିରକ୍ଷା ପାଇଁ ଦିଆଯାଉଥିବା ବଜେଟର ଏକ ବୃହତ ଅଂଶ ଆଜି ଦେଶର ଅର୍ଥନୀତିକୁ ବିପଦକୁ ଠେଲି ଦେଇଥିଲା।

ଦେଶର ଅର୍ଥନୀତିକୁ ସୁଧାରିବାକୁ ପ୍ରତିଶ୍ରୁତି ଦେଇ ଇମ୍ରାନ ଖାନଙ୍କ ସରକାର ଆସିବା ପରେ ମଧ୍ୟ ସ୍ଥିତିରେ କିଛି ପରିବର୍ତ୍ତନ ଆସି ନଥିଲା। ସେ ବିନା ଅନ୍ତର୍ଜାତୀୟ ସହାୟତାରେ ଦେଶର ଅର୍ଥନୀତିକୁ ସଜାଡ଼ିବେ ବୋଲି କହିଥିଲେ ମଧ୍ୟ ବିଫଳ ହୋଇଥିଲେ। ବରଂ ତାଙ୍କ ସରକାର ଦ୍ଵାରା ବିଭିନ୍ନ ଅପବ୍ୟୟ ପାଇଁ ଅର୍ଥନୀତି ବିଗିଡ଼ି ଥିଲା ବୋଲି ବର୍ତ୍ତମାନର ସରକାର ଅଭିଯୋଗ କରୁଛନ୍ତି।

ଇମ୍ରାନ୍ ଖାନ ବିତାଡ଼ିତ ହେବା ପରେ ଦେଶର ସ୍ଥିତି ଆହୁରି ବିଗିଡ଼ିଥିଲା। ରାଜନୈତିକ ଅସ୍ଥିରତା ଦେଶର ଅର୍ଥନୀତିକୁ ଆହୁରି ସାଂଘାତିକ ସ୍ଥିତିକୁ ଠେଲି ଦେଇଥିଲା। ବିଭିନ୍ନ ରିହାତି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲେ ମଧ୍ୟ ଆଗକୁ ନିର୍ବାଚନ ଆସୁଥିବାରୁ ପୁଣି ରିହାତି ବ୍ୟବସ୍ଥା ଫେରିବାରୁ ଏହା ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇଛି।

ଏହା ଛଡ଼ା ପୂର୍ବବର୍ଷ ହୋଇଥିବା ବନ୍ୟା ପାଇଁ ମଧ୍ୟ ଦେଶର ଅର୍ଥନୀତିକୁ ବିରାଟ କ୍ଷତି ପହଞ୍ଚାଇଛି। ଅନ୍ୟପଟେ କରୋନା ପରବର୍ତ୍ତୀ ମାନ୍ଦା ଅବସ୍ଥାକୁ ମୁକାବିଲା କରିବାରେ ବିଫଳ ହୋଇଥିବା ପାକିସ୍ତାନ ପାଇଁ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆହୁରି ସଂକଟ ଆଣି ଦେଇଛି।

କେମିତି ଉଧୁରିବ ପାକିସ୍ତାନ

ପାକିସ୍ତାନ ଉପରେ ଋଣ ବୋଝର ପାହାଡ଼। ବିଭିନ୍ନ ସଂସ୍ଥାରୁ ଆଣିଥିବା ଋଣର କିସ୍ତି ଓ ସୁଧ ଦେବାକୁ ବିଫଳ ହୋଇଥିବାରୁ ଆଉ ନୂଆ ଋଣ ପାକିସ୍ତାନକୁ ମିଳିବା ସମ୍ଭବ ହେଉନାହିଁ। କୌଣସି ଅନ୍ତର୍ଜାତୀୟ ସଂସ୍ଥା କିମ୍ବା ଦେଶ ଆଉ ପାକିସ୍ତାନକୁ ଋଣ ଦେବାକୁ ରାଜିହେଉ ନାହାନ୍ତି।

ଦେଶର ଅର୍ଥନୈତିକ ସ୍ଥିତି ଓ ରାଜନୈତିକ ଅସ୍ଥିରତା ପାଇଁ ବିଦେଶୀ କମ୍ପାନି ଏଠାରେ ଆଉ ନିବେଶ କରିବାକୁ ଚାହୁଁନାହାନ୍ତି। ଏମିତି ସ୍ଥିତିରେ ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ଖାଲି ଥିବାରୁ କୌଣସି ଦେଶ ସହ ବାଣିଜ୍ୟିକ କାରବାର କରିବାରେ ବି ସମର୍ଥ ନୁହେଁ ପାକିସ୍ତାନ। ଏ ସ୍ଥିତିରେ ଦେଶକୁ ଆସନ୍ତା ୧୨ ମାସ ପାଇଁ ୨୦ ବିଲିୟନ ଡଲାରର ଆବଶ୍ୟକତା ରହିଛି।

ପାକିସ୍ତାନ ଆଗରେ ଦୁଇଟି ବିକଳ୍ପ ଅଛି। ଗୋଟେ ହେଲା ଆଇଏମଏଫ୍ ଓ ଅନ୍ୟଟି ଚୀନ୍। ଆଇଏମଏଫ ପ୍ରତିଷ୍ଠା ହେବା ପରଠାରୁ ପାକିସ୍ତାନ ଏକାଧିକ ବାର ବେଲ୍ ଆଉଟ ପ୍ୟାକେଜ ନେଇଛି। ଏଥରର ଅର୍ଥନୈତିକ ସଂକଟରୁ ଉଧୁରିବା ପାଇଁ ମଧ୍ୟ ଆଇଏମ୍ଏଫର ଶରଣ ପଶିଛି।

ପାକିସ୍ତାନ ଆଇଏମ୍ଏଫଠାରୁ ୭ ବିଲିୟନ ଡଲାରର ବେଲ୍ ଆଉଟ୍ ପ୍ୟାକେଜ ପାଇଁ ଅନୁରୋଧ କରିଛି। ଏଥିପାଇଁ ଆଇଏମ୍ଏଫ୍ ରଖିଥିବା ବିଭିନ୍ନ ସର୍ତ୍ତକୁ ନେଇ ଆଲୋଚନା ଚାଲିଛି। ପୂର୍ବରୁ ପାକିସ୍ତାନ ଚୀନ ତହରୁ ୩୦ ବିଲିୟନ ଋଣ ନେଇଥିବାବେଳେ ଏଥର ମଧ୍ୟ ନିଜର ସ୍ୱାର୍ଥ ପାଇଁ ଋଣ ଦେବାକୁ ପ୍ରସ୍ତୁତ ଅଛି ଚୀନ, କିନ୍ତୁ ଚୀନର ସର୍ତ୍ତ ମାନିବା ପାକିସ୍ତାନ ପକ୍ଷେ କେତେ ଦୂର ସମ୍ଭବ ତାହା ଦେଖିବାକୁ ହେବ।

ଭାରତ ଉପରେ ପ୍ରଭାବ

ଭାରତ ଓ ପାକିସ୍ତାନ ମଧ୍ୟରେ ବାର୍ଷିକ ଦେଢ଼ ବିଲିୟନ ଡଲାରର ବାଣିଜ୍ୟିକ କାରବାର ହେଉଥିବା ବେଳେ ଏବେ ଏହା ପ୍ରଭାବିତ ହୋଇଛି। ଏହାଛଡ଼ା ପାକିସ୍ତାନରେ ଖାଦ୍ୟ ସଂକଟ ଦେଖା ଦେଇଥିବାରୁ ସେଠାକାର ଲୋକେ ଭାରତରେ ଶରଣ ନେବାକୁ ଚେଷ୍ଟା କରିବା ଆଶଙ୍କା ରହିଛି। ସେଥିପାଇଁ ସୀମାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ଏହା ସହିତ ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ପାକିସ୍ତାନ ଚୀନରୁ ଋଣ ନେଲେ ସେଠାରେ ଚୀନର ଆଧିପତ୍ୟ ବଢ଼ିବ ଯାହା ଭାରତ ଉପରେ ମଧ୍ୟ ପ୍ରଭାବ ପକାଇବ।

ପାକିସ୍ତାନକୁ ଏହି ଜଟିଳ ପରିସ୍ଥିତିରେ କିଏ ସହାୟତାର ହାତ ବଢ଼ାଇବ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ପାକିସ୍ତାନ ପାଖରେ ଆଉ ବେଶୀ ସମୟ ନାହିଁ ତାହା ସ୍ପଷ୍ଟ ହୋଇସାରିଛି।

Tags: #Pakisatn #EconomicCrisis #Inflation #FoodCrisis #ForeignExchangeReserve #ExternalDebt #IMF

Comment