ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମ୍‌ଏଫ୍‌)ର ନୂଆ ଏମ୍‌ଡି ହୋଇପାରନ୍ତି। ଯଦି ଏହା ସତ ହେବ, ତେବେ ରଘୁରାମ ଆଇଏମ୍‌ଏଫ୍‌ର ଏମ୍‌ଡି ଭାବେ ପ୍ରଥମ ଭାରତୀୟ ହେବେ। ବ୍ରିଟିଶ୍‌ ମିଡିଆ ଖବର ଅନୁଯାୟୀ, ରଘୁରାମ ରାଜନଙ୍କ ନାଁ ଏହି ଲିଷ୍ଟ୍‌ର ଆଗଧାଡ଼ିରେ ରହିଛି।

ବ୍ରିଟେନ୍‌ ବୈଦେଶିକ ମନ୍ତ୍ରାଳୟ ଏହି ପଦ ପାଇଁ ଜଣେ ଭାରତୀୟଙ୍କୁ ସମର୍ଥନ କରିବାକୁ ଆଗ୍ରହୀ ହୋଇଥିଲା। ଏହାପରଠୁ ଆଇଏମ୍‌ଏଫ୍‌ର ନୂଆ ଏମ୍‌ଡି ପାଇଁ ରଘୁରାମ ରାଜନଙ୍କ ନାଁ ଚର୍ଚ୍ଚାର ଘେରକୁ ଆସିଛି।

ରାଜନଙ୍କ ବ୍ୟତୀତ ଏହି ରେସ୍‌ରେ ଅଛନ୍ତି ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ଣ୍ଣୀ, ନେଦରଲାଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ଜେରୋଇନ୍ ଡିଜସେଲ୍‌ବ୍ଲୋଏମ୍‌ ଏବଂ ଡେଭିଡ୍ କୈମରୁନ ସରକାର ସମୟରେ ଚାନସେଲର ରହିସାରିଥିବା ଜର୍ଜ ଓସବୋର୍ଣ୍ଣ।

ରଘୁରାମ ରାଜନ ୨୦୧୩ ମସିହା ସେପ୍ଟେମ୍ବର ୪ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୩ ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।  ୨୦୧୬ ମସିହା ସେପ୍ଟେମ୍ବର ୪ରେ ରାଜନ ନିଜ ପଦରୁ ଇସ୍ତଫା ଦେବା ପରେ ଉରଜିତ୍‌ ପଟେଲ୍‌ ଆରବିଆଇର ନୂଆ ଗଭର୍ଣ୍ଣର ହୋଇଥିଲେ। ବର୍ତ୍ତମାନ ଓଡ଼ିଶା ପୁଅ ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ଅଛନ୍ତି। ବର୍ତ୍ତମାନ ରଘୁରାମ ରାଜନ ଚିକାଗୋ ୟୁନିଭରସିଟିରେ ପ୍ରଫେସର ଅଛନ୍ତି।

ଗତ ସପ୍ତାହରେ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ୍‌ (ଆଇଏମ୍‌ଏଫ)ର ଏମ୍‌ଡି କ୍ରିଷ୍ଟୀନ ଲେଗାର୍ଡ ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପତ୍ର ୧୨ ସେପ୍ଟେମ୍ବରରେ କାର୍ଯ୍ୟକାରୀ ହେବ। ତେବେ ଏହା ପୂର୍ବରୁ ରଘୁରାମ ରାଜନଙ୍କ ନାଁ ଏହି ପଦ ପାଇଁ ଚର୍ଚ୍ଚାକୁ ଆସିଛି। ଅନ୍ୟପକ୍ଷରେ ରାଜନ ଏହି କଥାକୁ ଖଣ୍ଡନ କରିଛନ୍ତି।

ଯଦି ରଘୁରାମ ରାଜନ୍‌ ଆଇଏମ୍‌ଏଫ୍‌ର ନୂଆ ଏମ୍‌ଡି ହୁଅନ୍ତି, ତେବେ ପ୍ରଥମ ଭାରତୀୟ ଭାବେ ସେ ଏହି ପଦରେ ରହିବେ।

Comment