ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଦେଶରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏବେ ବିଭିନ୍ନ ଧରଣର ଭାବନା ଉପୁଜିଛି। କେତେକ ସ୍ଥାନରେ ବ୍ୟବସାୟୀମାନେ ଆଉ ୨ ହଜାର ଟଙ୍କିଆ ନୋଟ ନେଉନଥିବା ଦେଖାଦେଇଛି। ତେବେ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାରକୁ ନେଇ ଲୋକମାନଙ୍କୁ ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବା ନିଷ୍ପତ୍ତି ପରେ ସୋମବାର ଦିନ ପ୍ରଥମଥର ପାଇଁ ଶକ୍ତିକାନ୍ତ ଦାସ ମିଡିଆ ସମ୍ମୁଖରେ ଏହାକୁ ନେଇ ବୟାନ ରଖିଛନ୍ତି। ସେ ଏହାକୁ ନେଇ ଲୋକମାନଙ୍କୁ ଭୟବିତ ନହେବାକୁ ପରାମର୍ଶ ଦେଇଛନ୍ତି।

“୨ ହଜାର ଟଙ୍କିଆ ନୋଟ ଏ ଯାଏଁ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇନାହିଁ। ଲୋକମାନେ ଏହି ନୋଟଗୁଡ଼ିକୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରିପାରିବେ କିମ୍ବା ବଦଳାଇପାରିବେ। ଏହାକୁ ବଦଳାଇବା ପାଇଁ ଲୋକଙ୍କ ପାଖରେ ୪ ମାସରୁ ଅଧିକ ସମୟ ରହିଛି। ଲୋକେ ଟଙ୍କା ବଦଳାଇବା ପାଇଁ ତରବାରିଆ ଭାବେ ବ୍ୟାଙ୍କ ଆସି ଭିଡ଼ ଲଗାଇବାର ଆବଶ୍ୟକତା ନାହିଁ”, କହିଛନ୍ତି ଶକ୍ତିକାନ୍ତ ଦାସ।

ସେ ଆହୁରି ମଧ୍ୟ କହିଛନ୍ତି, “୨୦୧୬ ମସିହାରେ ହୋଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟର ବିମୁଦ୍ରିକରଣ ପରେ ଅଧିକ ପରିମାଣରେ ନୋଟର ଆବଶ୍ୟକତା ଥିବାରୁ ୨ ହଜାର ଟଙ୍କିଆ ନୋଟ ଅଣାଯାଇଥିଲା। ଏବେ ଦେଶରେ ପ୍ରଚଳିତ ନୋଟଗୁଡ଼ିକ ମଧ୍ୟରେ ଏହାର ଭାଗ ୧୦.୮ ପ୍ରତିଶତ ରହିଛି। ୨୦୧୮-୧୯ ଆର୍ଥିକ ବର୍ଷରୁ ୨ ହଜାର ଟଙ୍କିଆ ନୋଟର ଛାପା ବନ୍ଦ ହୋଇଯାଇଛି। ଏହା ବଦଳରେ ଏବେ ଅର୍ଥବ୍ୟବସ୍ଥାରେ ଅନ୍ୟ ନୋଟଗୁଡ଼ିକୁ ଅଧିକ ପରିମାଣରେ ମହଜୁଦ ଅଛି।”

ସେ ଆହୁରି କହିଛନ୍ତି, “ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ୨ ହଜାର ଟଙ୍କିଆ ନୋଟ ବଦଳି ହୋଇଯିବ ବୋଲି ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଭାରତୀୟ ଅର୍ଥନୀତି ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। ଅନ୍ୟପଟେ ନୋଟ ବଦଳିବା ପାଇଁ ଆସୁଥିବା ଲୋକଙ୍କ ପାଇଁ ଆବଶ୍ୟକୀୟ ବ୍ୟାବସ୍ଥା କରିବାକୁ ବ୍ୟାଙ୍କଗୁଡ଼ିକୁ ଆରବିଆଇ ପକ୍ଷରୁ ନିର୍ଦେଶ ଦିଆଯାଇଛି।”

ବ୍ୟାଙ୍କରେ ପ୍ରତିଦିନ କେତେ ପରିମାଣର ୨ ହଜାର ଟଙ୍କିଆ ନୋଟ ଜମା ବା ବଦଳି ହେବ ତାହାକୁ ନେଇ ତଥ୍ୟ ଆରବିଆଇକୁ ଦେବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଲୋକମାନଙ୍କୁ ଦିନକୁ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଅନୁମତି ଦିଆଯାଇଛି।

ଶୁକ୍ରବାର ଦିନ ଆରବିଆଇ ପକ୍ଷରୁ ଦେଶରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ବଦଳାଇବା ପାଇଁ ମେ’ ମାସ ୨୩ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ସମୟ ଧାର୍ଯ୍ୟ କରାଯାଇଛି।

Tags: #RBI #2000RupeesNote #CurrencyCirculation #RBIGovernor #IndianMarket

 

Comment