ଭାସ୍କର ପରିଚ୍ଛା

ଭାରତରେ ବିଭିନ୍ନ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସବସିଡି ପ୍ରଦାନ କରାଯାଉଛି। କୃଷି, ସ୍ୱାସ୍ଥ୍ୟ, ଖାଦ୍ୟ ଯୋଗାଣ ଆଦିରେ ମାଗଣା ସେବା ସହ ବିଭିନ୍ନ ସାମଗ୍ରୀ ଉପରେ ଲୋକେ ଏହି ସବସିଡି ପାଉଛନ୍ତି। ତେବେ ଅତ୍ୟଧିକ ମାତ୍ରାରେ ସବସିଡି ଯୋଗାଇବା ଦେଶର ରାଜକୋଷ ଉପରେ ଚାପ ପକାଉଛି। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।     

ଦେଶର ଆର୍ଥିକ ସ୍ଥିତିର ସମୀକ୍ଷା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିକଟରେ କେତୋଟି ପ୍ରସଙ୍ଗ ଉପରେ ଅନୁଧ୍ୟାନ କରାଯାଇଥିଲା। ବିଶେଷକରି ଆର୍ଥିକ ପରିଚାଳନା ଓ ତତ୍ ସମ୍ପର୍କିତ ବିଭିନ୍ନ ବିଷୟକୁ ନେଇ ଏହି ସର୍ଭେ ହୋଇଥିଲା। ସର୍ଭେ ଅନୁସାରେ ଦେଶର ପାଞ୍ଚ ରାଜ୍ୟର ଆର୍ଥିକ ପରିଚାଳନା ଓ ଅବସ୍ଥା ଗୁରୁତର। ଏହି ରାଜ୍ୟଗୁଡ଼ିକ ହେଲେ ବିହାର, କେରଳ, ପଞ୍ଜାବ, ରାଜସ୍ଥାନ ଓ ପଶ୍ଚିମବଙ୍ଗ।

ରାଜ୍ୟମାନଙ୍କର ପ୍ରକୃତ ଆର୍ଥିକ ସ୍ଥିତି ଜାଣିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ଅନୁଧ୍ୟାନ କରିଥିଲା। ନଗଦ ଆକାରରେ ସବସିଡି ପ୍ରଦାନ, ମାଗଣା ସେବା ଯୋଗାଇବା, ପୁରୁଣା ପେନସନ ନୀତିକୁ ଲାଗୁ କରିବା ଓ ବ୍ୟାଙ୍କ ଗ୍ୟାରେଣ୍ଟି ଆଦି କାରଣ ଯୋଗୁଁ ଏହି ରାଜ୍ୟମାନଙ୍କର ଆର୍ଥିକ ଅବସ୍ଥା ବିଗିଡିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଖୁସିର ବିଷୟ ଯେ ଏହି ସର୍ଭେରେ ଓଡ଼ିଶାର ସ୍ଥିତି ଭଲ ରହିଛି। ହିତାଧିକାରୀଙ୍କୁ ସବସିଡି ବାଣ୍ଟିବାରେ ଏବେ ଆଗରେ ଓଡ଼ିଶା। ଗତ ତିନ ବର୍ଷ ମଧ୍ୟରେ ଝାଡଖଣ୍ଡ, କେରଳ, ଓଡ଼ିଶା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ସବସିଡରେ ସର୍ବାଧିକ ବୃଦ୍ଧି ପାଇଛି। ହେଲେ ଏହିସବୁ ରାଜ୍ୟର ସଠିକ ଆର୍ଥିକ ପରିଚାଳନା ଯୋଗୁଁ ସ୍ଥିତି ଭଲ ରହିଛି।

ଅନ୍ୟପଟେ ଗୁଜୁରାଟ ଓ ଛତିଶଗଡ଼ ସେମାନଙ୍କ ରାଜସ୍ୱର ୧୦ ପ୍ରତିଶତରୁ ଅଧିକ ଅର୍ଥ ସବସିଡି ବାବଦରେ ଖର୍ଚ୍ଚ କରିଛନ୍ତି। ଏହି ସବୁ ରାଜ୍ୟର ସରକାରମାନେ ଦେଉଥିବା ସବସିଡିର ବଡ଼ ଭାଗ ମାଗଣା ଯୋଜନାରେ ପ୍ରଦାନ କରୁଥିବା ରିପୋର୍ଟରେ କୁହାଯାଇଛି।

ତେବେ ମାଗଣା ଦିଆଯାଉଥିବା ସବସିଡିରେ କୌଣସି ଅର୍ଥନୈତିକ ଲାଭ ମିଳେ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ବିଶେଷକରି ବିଦ୍ୟୁତ୍, ପାଣି, ପରିବହନ, ଋଣ ଛାଡ଼ ଆଦିରେ ଅଧିକ ସବସିଡି ପ୍ରଦାନ କରାଯାଉଛି। ତେବେ ଏହି ସବସିଡି ଲାଗି ଅର୍ଥ ଯୋଗାଡ଼ କରିବା ପାଇଁ ସରକାରଙ୍କୁ ପେଟ୍ରୋଲ, ଡିଜେଲ୍ ଓ ଅନ୍ୟ ସେବାଗୁଡ଼ିକ ଉପରେ ଟିକସ ବଢ଼ାଇବାକୁ ପଡ଼ିଥାଏ, ଯାହା ପରବର୍ତ୍ତୀ ସମୟରେ ମୁଦ୍ରାସ୍ଫୀତିକୁ ବୃଦ୍ଧି କରିଥାଏ। ଅର୍ଥନୀତି ପାଇଁ ଏହା ଶୁଭ ହୋଇନଥାଏ।

ଏଭଳି ମାଗଣା ଯୋଜନା ମାଧ୍ୟମରେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରହିଲେ, ତାହା ରାଜକୋଷ ଉପରେ ଚାପ ପକାଇବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସତର୍କ କରାଯାଇଛି। ତେଣୁ ଦୀର୍ଘମିଆଦୀ ଯୋଜନାରେ ବ୍ୟୟର ଢାଞ୍ଚାକୁ ବଦଳାଇବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #Subsidies #RevenueExpenditure #Inflation #Economy #RBI #India

Comment