ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କ୍ରମାଗତ ଭାବେ ତୃତୀୟଥର ପାଇଁ ଅପରିବର୍ତ୍ତିତ ରହିଲା ‘ରେପୋ’ ରେଟ୍‌। ଏହି ଦର ପୂର୍ବଭଳି ୬.୫ ପ୍ରତିଶତ ରହିବ। ଏନେଇ ଗୁରୁବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଆଗକୁ ଦେଶରେ ବଢ଼ିବାକୁ ଥିବା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟି ବୈଠକରେ ଦେଶରେ ‘ରେପୋ’ ରେଟ୍‌ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। କମିଟିର ୬ ଜଣ ସଦସ୍ୟ ସର୍ବସମ୍ମତିରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ସପକ୍ଷରେ ମତ ଦେଇଥିଲେ।

“ଦେଶରେ ଅର୍ଥ ବ୍ୟବସ୍ଥାରେ ଆଗକୁ ମୁଦ୍ରାସ୍ଫୀତିର ହାରକୁ ସାମାନ୍ୟ ବୃଦ୍ଧି ପାଇବ। ଆର୍ଥିକବର୍ଷ ୨୦୨୩-୨୪ରେ ଖୁଚୁରା ମୁଦ୍ରାସ୍ଫୀତି ୫.୧ ରହିବ ବୋଲି ପୂର୍ବରୁ ଅନୁମାନ କରାଯାଇଥିଲା। ହେଲେ ଏହା ଏବେ ୫.୪ ପ୍ରତିଶତ ରହିବାର ସମ୍ଭାବନା ରହିଛି। ଏଥିପାଇଁ ରେପୋ ରେଟରେ କିଛି ପରିବର୍ତ୍ତନ କରାନଯାଇ, ଏହାକୁ ୬.୫ ପ୍ରତିଶତ ହିଁ ରଖାଯାଇଛି। ଏହାଦ୍ୱାରା ମୁଦ୍ରାସ୍ଫୀତିକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ”, କହିଛନ୍ତି ଶକ୍ତିକାନ୍ତ ଦାସ।

ଦେଶରେ ଜୁନ ଓ ଜୁଲାଇ ମାସରେ ପନିପରିବା ଓ ବିଭିନ୍ନ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ବଢ଼ିଛି। ହେଲେ ଆଗକୁ ଖାଉଟି ସାମଗ୍ରୀର ଦର କମିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।

ଗୁରୁବାର ରେପୋ ରେଟ ଅପରିବର୍ତ୍ତିତ ରହିବାସହ ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ (ଏସଡିଏଫ୍‌) ରେଟ୍‌ ୬.୨୫ ପ୍ରତିଶତ ଏବଂ ‘ମାର୍ଜିନାଲ୍‌ ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ (ଏମଏସଏଫ୍‌) ରେଟ୍‌ ଏବଂ ବ୍ୟାଙ୍କ ରେଟ୍‌ ୬.୭୫ ପ୍ରତିଶତ ରହିଛି।

ରିଜର୍ଭ ବ୍ୟାଙ୍କ ୨୦୨୨ ମସିହା ଏପ୍ରିଲ ମାସରୁ ଏ ପର୍ଯ୍ୟନ୍ତ ରେପୋ ରେଟରେ ୨୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ଚଳିତବର୍ଷ ଫେବ୍ରୁଆରି ମାସରେ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବଢ଼ିଥିଲା।

ଦେଶରେ ଆର୍ଥିକ ସ୍ଥିତି ତଥା ମୁଦ୍ରାସ୍ଫୀତିର ଆକଳନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ପ୍ରତି ଦୁଇ ମାସରେ ବୈଠକ ଅନୁଷ୍ଠିତ ହୋଇଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ୧୯୩୪ର ଅନୁଚ୍ଛେଦ ୪୫ ଅନୁସାରେ ଏହି ବୈଠକ ହୋଇଥାଏ। ଏଠାରେ ରେପୋ ରେଟ୍ ଓ ଅନ୍ୟାନ୍ୟ ବ୍ୟାଙ୍କ ଦରକୁ ନେଇ ନିଷ୍ପତ୍ତି ନିଆଯାଏ।

Tags: #RBI #Reporate #Inflation #MonetaryPolicyCommitte #India

LEAVE A REPLY

Please enter your comment!
Please enter your name here