ଓଡ଼ିଶାଲାଇଭ୍ ବ୍ୟୁରୋ

ଆରବିଆଇର ପୂର୍ବ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ୩୦ ଅର୍ଥାତ ଆଜି ଦିନକ ପରେ ଆଉ ବଜାରରେ ଚଳିବ ନାହିଁ ୨ ହଜାର ଟଙ୍କିଆ ନୋଟ

କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ୩୦ ପରେ ଆଉ ବଜାରରେ ଚଳିବ ନାହିଁ ୨ ହଜାର ଟଙ୍କିଆ ନୋଟ। ଯଦି ଆପଣଙ୍କ ପାଖରେ ଏହି ନୋଟ ରହିଯାଇଛି ତେବେ ତୁରନ୍ତ ବ୍ୟାଙ୍କରେ ଏକ୍ସଚେଞ୍ଜ କରାଇ ନିଅନ୍ତୁ, ନହେଲେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ପକ୍ଷରୁ ୨୦୨୩ ମେ’ ୧୯ତାରିଖରେ ୨୦୦୦ ଟଙ୍କିଆ ନୋଟ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା। ଏହାପରେ ମେ’ ୨୩ରୁ ନୋଟ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନୋଟଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସେପ୍ଟେମ୍ବର ୩୦ଯାଏଁ ସମୟ ଦିଆଯାଇଥିଲା, ଯାହା ଶନିବାର ଶେଷ ହେଉଛି।

ଗତ ମେ’ରେ ବଜାରରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ ଥିଲା। ମିଳିଥିବା ସୂଚନା ଅନୁସାରେ ସେଥିରୁ ୯୩ ପ୍ରତିଶତ ନୋଟ ବ୍ୟାଙ୍କ ପାଖକୁ ଫେରିଯାଇଛି। ଏବେବି ଅନେକ ଲୋକେ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କରେ ଜମା କରିନାହାନ୍ତି।

ନୋଟ ବନ୍ଦୀ ପରେ ନଭେମ୍ବର ୨୦୧୬ରୁ ବଜାରକୁ ୨ ହଜାର ଟଙ୍କିଆ ନୋଟ ‍ଆସିଥିଲା। ଏହାସହ ୧୦୦୦ଟଙ୍କା ଓ ପୁରୁଣା ୫୦୦ ଟଙ୍କିଆ ନୋଟକୁ ବନ୍ଦ କରିଦିଆଯାଇଥିଲା। ତେବେ ୨୦୨୩ ସେପ୍ଟେମ୍ବର ୩୦ ପରେ ୨୦୦୦ ଟଙ୍କିଆ ନୋଟ ମଧ୍ୟ ଆଉ ଚଳିବ ନାହିଁ ବୋଲି ଆରବିଆଇ ପକ୍ଷରୁ ଘୋଷଣା ହୋଇଥିଲା। ତେବେ ଏହି ନୋଟ ବଦଳାଇବା ଓ ଜମା କରିବାର ସମୟ ସୀମାକୁ ଆଉ ଏକ ମାସ ବଢ଼ାଇବା ବିଷୟରେ ରିଜର୍ଭ ବ୍ୟାଙ୍କ ବିଚାର କରୁଥିବା ଆଲୋଚନା ହେଉଛି।

Tags: #rbi #2000note #notebandi #shasikantadas

Comment