ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର। ଏବେ ଦେଶକୁ ଆମଦାନୀ ହେଉଥିବା ରିଫାଇନଡ ସୋୟାବିନ ତେଲ ଓ ସନଫ୍ଲାୱାର ତେଲ ଉପରେ ୫ ପ୍ରତିଶତ ଆମଦାନୀ ଶୁଳ୍କ କମିଛି। ଏହାଫଳରେ ଆଗାମୀ ଦିନରେ ଖାଇବା ତେଲ ଦର ହ୍ରାସ ପାଇବ। ଏନେଇ ଗୁରୁବାର ଦିନ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ସୋୟାବିନ ଓ ସନଫ୍ଲାୱାର ତେଲ ଉପରେ ଅମଦାନୀ ଶୁଳ୍କ ୧୭.୫ ପ୍ରତିଶତରୁ ହ୍ରାସ ପାଇ ୧୨.୫ ପ୍ରତିଶତ ହୋଇଛି। ଏହି ପରିବର୍ତ୍ତିତ ଆମଦାନୀ ଶୁଳ୍କ ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ବଳବତ୍ତର ରହିବ। ଦେଶର ଘରୋଇ ବଜାରରେ ଖାଇବା ତେଲର ଦର କମାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

କୋରୋନା ମହାମାରୀର ପରବର୍ତ୍ତୀ ସମୟରେ ଖାଇବା ତେଲର ଚାହିଦା ବଢ଼ିବାରୁ ଅନ୍ତର୍ଜାତୀୟ ବଜାରରେ ଏହାର ଅଭାବ ଦେଖାଦେଇଥିଲା। ଏହାପରେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଖାଇବା ତେଲର ମୂଲ୍ୟ ମଧ୍ୟ ବଢ଼ି ଯାଇଥିଲା। ଏହାଛଡ଼ା ଏଥିରେ ଆଗରୁ ଲାଗୁଥିବା ଆମଦାନୀ ଶୁଳ୍କ ପାଇଁ ଭାରତରେ ଏହାର ଦର ଆକାଶ ଛୁଆଁ ହୋଇଥିଲା।

ଅନ୍ୟପଟେ କେନ୍ଦ୍ର ସରକାର ୨୦୨୧ ମସିହା ସେପ୍ଟେମ୍ବର ମାସରେ ଖାଇବା ତେଲର ଆମଦାନୀ ଶୁଳ୍କକୁ ୩୨.୫ ପ୍ରତିଶତରୁ କମାଇ ୧୭.୫ ପ୍ରତିଶତ କରିଥିଲେମଧ୍ୟ ସେତେବେଳେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ଅଧିକ ଥିବାରୁ ଦର ଉପରେ ବିଶେଷ ପ୍ରଭାବ ପଡ଼ିନଥିଲା। ଏବେ ତେଲର ଦର ହ୍ରାସ ହେଉଥିବାବେଳେ ଆମଦାନୀ ଶୁଳ୍କ କମିବା ଗ୍ରାହକଙ୍କୁ ଫାଇଦା ଦେବ ବୋଲି ଆଶା କରାଯାଉଛି।

Tags: #CookingOil #ImportDuty #OilPrices #IndianMarket #ConsumerWelfare

 

LEAVE A REPLY

Please enter your comment!
Please enter your name here