ଓଡ଼ିଶାଲାଇଭ୍ ବ୍ୟୁରୋ

ବୌଦ୍ଧରେ ଏବେବି ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ବଡ଼ମାଳ ଗ୍ରାମର ତେଲି ସମ୍ପ୍ରଦାୟ।

(ବୌଦ୍ଧରୁ ଦେବବ୍ରତ ଦାଶ): ପୁରାତନ ଜ୍ଞାନ କୌଶଳରେ ନିର୍ମିତ କାଠଘଣା ସାହାଯ୍ୟରେ ମହୁଲ ଫଳ (ଟୋଲ) କୁ ପେଡ଼ି ପ୍ରସ୍ତୁତ ହେଉଛି ମହୁଲ ତେଲ। ଏହାକୁ ଖାଇବା ତେଳ ଭାବେ ବ୍ୟବହାର କରାଯାଉଛି। ଆଧୁନିକ ଯୁଗରେ ଏଭଳି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ମୁଣ୍ଡାପଡ଼ା ପଞ୍ଚାୟତ ଅନ୍ତର୍ଗତ ବଡ଼ମାଳ ଗ୍ରାମର ତେଲି ସମ୍ପ୍ରଦାୟର ଲୋକେ।

ଯୁଗ ବଦଳିବା ସହ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସୁଛି। କିନ୍ତୁ ପୂର୍ବ ପରମ୍ପରାକୁ ଛାଡ଼ି ପାରୁନାହାନ୍ତି ବୌଦ୍ଧ ଜିଲ୍ଲା ବଡ଼ମାଳ ଗ୍ରାମର ତେଲି ସମ୍ପ୍ରଦାୟର ଲୋକେ। ଏବେ ନିଜ କୌଳିକ ବୃତ୍ତିକୁ ସେମାନେ ବଞ୍ଚାଇ ରଖିଛନ୍ତି।

ପୁରାତନ ଜ୍ଞାନକୌଶଳରେ ନିର୍ମିତ କାଠଘଣା ସାହାଯ୍ୟରେ ମହୁଲ ଫଳ (ଟୋଲ)କୁ ପେଡ଼ି ସେଥିରୁ ଖାଇବା ତେଲ ପ୍ରସ୍ତୁତ କରୁଛନ୍ତି।

ଆସନ୍ତୁ ଜାଣିବା ମହୁଲ ଫଳରୁ କେମିତି ପ୍ରସ୍ତୁତ ହେଉଛି ତେଲ?

ମହୁଲ ଫଳକୁ ଗୋରା ବା ଟୋଲ ମଧ୍ୟ କୁହାଯାଏ। ପ୍ରଥମେ ଗୋରାକୁ ଦୁଇଟି ମାଟି ହାଣ୍ଡିରେ ଏକତ୍ରିତ କରି କାଠ ଚୁଲିରେ ସିଝା ହୋଇଥାଏ। ଏହାକୁ କୁଲା ସାହାଯ୍ୟରେ କାଠରେ ନିର୍ମିତ ଘଣାରେ ଭର୍ତ୍ତି କରାଯାଏ। ପରେ ବଳଦ ସାହାଯ୍ୟରେ ଘଣାକୁ ବୁଲାଇ ସେଥିରୁ ତେଲ ବାହାର କରାଯାଇଥାଏ।

୪୦ କିଲୋଗ୍ରାମ ଗୋରାକୁ ପେଡ଼ିବା ପରେ ସେଥିରୁ ଗୋଟିଏ ଟିଣ ତେଲ ବାହାରି ଥାଏ। ଏଥିପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥାଏ ବୋଲି କହିଛନ୍ତି ତେଲ ପ୍ରସ୍ତୁତକାରୀ। ଗୋରା ତେଲ ପ୍ରସ୍ତୁତି କରିବା ପାଇଁ ଲାଗି ପଡ଼ନ୍ତି ପରିବାରର ସମସ୍ତ ସଦସ୍ୟ। କିନ୍ତୁ ଏବେ କଞ୍ଚାମାଲର ଅଭାବ ଦେଖାଦେଉଥିବାରୁ କିଛି ପରିବାର ଏହି କାର୍ଯ୍ୟରୁ ବିମୁଖ ହେଉଥିବା ଜଣାପଡ଼ିଛି।

ବଡ଼ମାଳ ଗ୍ରାମର କିଛି ତେଲି ସମ୍ପ୍ରଦାୟର ଲୋକେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି। ବଜାରରେ ଗୋରା ତେଲର ଚାହିଦା କମ ରହିଥିବାରୁ ଲିଟର ପିଛା ଏହା ୧୦୦ ଟଙ୍କାରେ ବିକ୍ରି ହେଉଛି। ଏହି ତେଲ ପ୍ରସ୍ତୁତ କରୁଥିବା ପରିବାର ବର୍ଷ ସାରା ପାଇଁ ଏହାକୁ ସାଇତି ରଖିଥାନ୍ତି ଏବଂ ବଳକା ତେଲକୁ ବଜାରରେ ବିକ୍ରି କରିଥାନ୍ତି। କିଛି ଗ୍ରାହକ ଟୋଲ ତେଲ ସିଧାସଳଖ କିଣିବା ପାଇଁ ବଡ଼ମାଳ ଗାଁକୁ ଆସୁଥିବା କହିଛନ୍ତି ଗ୍ରାମବାସୀ।

ଖାଲି ଗୋରା ନୁହେଁ ବିଭିନ୍ନ ସମୟରେ ଏମାନେ ସୂର୍ଯ୍ୟମୁଖୀ, ରାଶି, ସୋରିଷ ଆଦି ତୈଳ ବୀଜ ପେଡ଼ି ସେଥିରୁ ତେଲ ବାହାର କରିଥାନ୍ତି। ସମବାୟ ଜରିଆରେ ସରକାର କଞ୍ଚାମାଲ ଯୋଗାଇବା ନିମନ୍ତେ ବ୍ୟବସ୍ଥା କଲେ ଏହି କୌଳିକ ବୃତ୍ତି ବଞ୍ଚିରହିବା ସହ ବେଶ ଦୁଇ ପଇସା ରୋଜଗାର ହୋଇପାରନ୍ତା ବୋଲି କହିଛନ୍ତି ତେଲ ପେଡ଼ୁଥିବା ଶାନ୍ତିଲତା।

ପୂର୍ବରୁ ଅନେକ ଲୋକ ମହୁଲ ଗଛରୁ ଟୋଲ ସଂଗ୍ରହ କରି କାଠଘଣାରେ ପେଡ଼ି ତେଲ ବାହାର କରୁଥିଲେ। ବର୍ତ୍ତମାନ ବଜାରରେ ଅଧିକ ସଂଖ୍ୟକ ମେସିନ ବ୍ୟବହାର ଯୋଗୁଁ କାଠଘଣା ତେଲର ଚାହିଦା ଧୀରେ ଧୀରେ କମିବାକୁ ଲାଗିଛି। କିନ୍ତୁ ବଡ଼ମାଲ ଗ୍ରାମର ପାଞ୍ଚଟି ପରିବାର ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି।

Tags: #Boudh #MahuaOil #TraditionalMethod #CookingOil

Comment