ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଗିରଫ ହେଲେ କୋଟିପତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ବସନ୍ତ କୁମାର ମହାପାତ୍ରଙ୍କ ଘର ସମେତ ୧୦ଟି ଠିକଣାରେ ଚଢ଼ଉ କରିଥିଲା ଭିଜିଲାନ୍ସ ବିଭାଗ।

ଚଢ଼ଉ ବେଳେ ବସନ୍ତ କୁମାର ମହାପାତ୍ରଙ୍କ ୧୯ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ। ଏଥିରେ ରହିଛି ୧୪ କୋଟି ୫୦ ଲକ୍ଷ ଟଙ୍କା ମୂଲ୍ୟର ଫ୍ଲାଟ, ୪ କୋଟି ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା, ଗାଡ଼ି ଏବଂ ଆସବାବପତ୍ର ରହିଛି।

ଗୁରୁବାର ଦିନ ବୌଦ୍ଧ ସହର ଜଗନ୍ନାଥ ବିହାର ସ୍ଥିତ ଭଡ଼ାଘର ଓ କାର୍ଯ୍ୟାଳୟ, ଗଞ୍ଜାମ ସ୍ଥିତ ପୈତୃକ ଘର, ବ୍ରହ୍ମପୁର, ଭଞ୍ଜନଗର ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଘରେ ଚଢ଼ଉ କରାଯାଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ୬ ମାସ ତଳେ ବସନ୍ତ କୁମାର ମହାପାତ୍ରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ବସନ୍ତ କୁମାର ମହାପାତ୍ରଙ୍କର ପାହାଳ ଅଞ୍ଚଳରେ ଥିବା ଉତ୍କଳ ସିଗନେଚରରେ ୩ ହଜାର ବର୍ଗଫୁଟରେ ନିର୍ମିତ କୋଟିଏ ଟଙ୍କାର ଫ୍ଲାଟ, ଗୌତମନଗର ଅଞ୍ଚଳରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ୨ କୋଟି ଟଙ୍କା ମୂଲ୍ୟର ୨,୫୦୦ ବର୍ଗଫୁଟର ସପିଂ କମ୍ପ୍ଲେକ୍ସ, କଳ୍ପନା ସ୍ଥିତି ଉତ୍କଳ ରୟାଲ୍ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଫ୍ଲାଟ, ଶୈଳଶ୍ରୀ ବିହାରରେ ଥିବା ୱେଷ୍ଟ ଆଣ୍ଡ ଆପାର୍ଟମେଣ୍ଟରେ ଗୋଟିଏ ୨ ବିଏଚକେ ଫ୍ଲାଟ ରହିଛି।

ସେହିପରି କଳାରାହଙ୍ଗ ଅଞ୍ଚଳରେ ଜେଡ୍-ଓ୍ଵାନ ଇଷ୍ଟେଟରେ ୫ ବିଏଚକେ ଫ୍ଲାଟ୍ ଏବଂ ବେଙ୍ଗାଳୁରୁରେ ଓଜୋନ ଏଲିଗାଣ୍ଟରେ ଗୋଟିଏ ଫ୍ଲାଟ ପାଇଁ ବସନ୍ତ କୁମାର ମହାପାତ୍ର ୧ କୋଟି ୩୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବା ଚଢ଼ଉ ବେଳେ ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩ କୋଟିରୁ ଅଧିକ ଟଙ୍କାର ଜମା ରହିଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି।

ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କର ଭୁବନେଶ୍ୱର ଆକ୍ସିସ ବ୍ୟାଙ୍କରେ ସର୍ବାଧିକ ୨ କୋଟି ୧୧ ଲକ୍ଷ ୭୯ ହଜାର ଟଙ୍କା ଜମା ରହିଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର ଟଙ୍କା ଏବଂ ଏସବିଆଇରେ ୩୯ ଲକ୍ଷ ୫୫ ହଜାର ଟଙ୍କା ରହିଛି। ଇନସ୍ୟୁରାନ୍ସ ଓ ବଣ୍ଡ ଜମା ମଧ୍ୟ ଠାବ କରାଯାଇଛି।

ତାଙ୍କ ଘରୁ ନଗଦ ୧ ଲକ୍ଷ ୧୬ ହଜାର ୭୦୦ ଟଙ୍କା,  ୬୦୦ ଗ୍ରାମର ସୁନା ଗହଣା, ୩୧୮ ଗ୍ରାମର ରୁପା, ୯ ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୧୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Tags: #VigilanceRaid #Boudh #BoudhRTO #BasantKumarMohapatra #Odisha

LEAVE A REPLY

Please enter your comment!
Please enter your name here