ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲାଣି ବୌଦ୍ଧ ଜିଲ୍ଲାରେ ରାଜନୈତିକ ପାଣିପାଗ, କ୍ଷମତା ହାତେଇବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ।

(ବୌଦ୍ଧରୁ ଦେବବ୍ରତ ଦାଶ): ସାଧାରଣ ନିର୍ବାଚନ ୨୦୨୪ ଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ରାଜନୈତିକ ମାହୋଲ। ବୌଦ୍ଧ ଜିଲ୍ଲାରେ ନିର୍ବାଚନୀ ବିଜୟ ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ଅଙ୍କକଷା। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଏଥର ରାଜନୈତିକ ଲଢ଼େଇ ହେବ ଜୋରଦାର।

ବୌଦ୍ଧ ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ବୌଦ୍ଧ ଓ କଣ୍ଟାମାଳ। ଜିଲ୍ଲାର ପ୍ରମୁଖ ବୌଦ୍ଧ ବିଧାନସଭା ଆସନରେ ଏଥରେ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ବୌଦ୍ଧ ବିଧାନସଭା ଆସନରେ ପ୍ରଦୀପ କୁମାର ଅମାତଙ୍କୁ ବିଜେଡି ପୁଣି ପ୍ରାର୍ଥୀ କରିଥିବାବେଳେ ବିଜେପି ସରୋଜ ପ୍ରଧାନ ଏବଂ ବରିଷ୍ଠ ନେତା ନବ ମିଶ୍ରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ସେହିପରି କଣ୍ଟାମାଳ ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ମହୀଧର ରଣା, ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଏବଂ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟଙ୍କ ମଧ୍ୟ ପ୍ରତିଦ୍ଵନ୍ଦ୍ଵିତା ହେବ।

ବୌଦ୍ଧରେ ନିର୍ବାଚନୀ ବିଜୟ ପାଇଁ ଆରମ୍ଭ ହୋଇଛି ପ୍ରଚାର କାର୍ଯ୍ୟ। ନିଜ ନିଜ କର୍ମୀଙ୍କୁ ସାଙ୍ଗରେ ନେଇ ପ୍ରଚାର ଆରମ୍ଭ କଲେଣି ପ୍ରାର୍ଥୀ।

ବୌଦ୍ଧ ବିଧାନସଭା ଆସନ ପୁଣି ହାତେଇବାକୁ ବିଜେଡି ଲକ୍ଷ୍ୟ ରଖିଥିବାବେଳେ ବିଜେପି ଏବଂ କଂଗ୍ରେସ ଗଡ଼ ଦଖଲ ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ। ଘରକୁ ଘର ବୁଲି ଭୋଟରଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ।

ତେବେ ଚଳିତ ବର୍ଷ ବୌଦ୍ଧ ଗଡ଼କୁ ହାତେଇବା ଏତେ ସହଜ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ବିଜେଡିର ଗଡ଼ କୁହାଯାଉଥିବା ବୌଦ୍ଧ ବିଧାନସଭା ଆସନରେ ଏଥର କିଏ ବାଜି ମାରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ବୌଦ୍ଧ ବିଧାସନଭା ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରଦୀପ କୁମାର ଅମାତଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜେଡି। ପାଞ୍ଚପାଳି ହେଲା ପ୍ରଦୀପ କୁମାର ଅମାତ ଏହି ଆସନରେ ବିଜୟୀ ହୋଇଛନ୍ତି। ବୌଦ୍ଧ ବିଧାନସଭା ଆସନ ପୁଣି ଅକ୍ତିଆର କରିବାକୁ ଆଶା ବାନ୍ଧିଛନ୍ତି ପ୍ରଦୀପ।

ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ପ୍ରଦୀପ କୁମାର ଅମାତ ବୌଦ୍ଧ ସହରର ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି କ୍ୟାମ୍ପେନ କରୁଛନ୍ତି।

ସେପଟେ ବୌଦ୍ଧ ବିଧାନସଭା ଆସନ ନିଜ ଅଧୀନକୁ ନେବା ଲାଗି ରଣନୀତି ପ୍ରସ୍ତୁତ କରିଛି ବିଜେପି। ଏହି ଆସନ ପାଇଁ ସରୋଜ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ବିଜେପି। ନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସରୋଜ।

ନିର୍ବାଚନ ମଇଦାନରେ ବିଜେଡି ଏବଂ ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛି କଂଗ୍ରେସ। ବୌଦ୍ଧ ବିଧାନସଭା ଆସନ ଲାଗି ବରିଷ୍ଠ ନେତା ନବ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ଦଳ।

ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ମୋଟ ୧ ଲକ୍ଷ ୬୪ ହଜାର ୮ ଶହ ୫୪ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ହଜାର ୭୨ ଜଣ ମହିଳା ଭୋଟର ରହିଥିବାବେଳେ ୮୪ ହଜାର ୭ ଶହ ୭୪ ପୁରୁଷ ଭୋଟର ଓ ୮ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

ବୌଦ୍ଧ ବିଧାନସଭା ଆସନ ଲାଗି ଏଥର ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ହେବ। ତେବେ ବିଜେଡି ଅଧୀନରେ ରହିଥିବା ଏହି ନିର୍ବାଚନ ମଣ୍ଡଳୀରେ ପୁଣି ଦଳ କବଜା କରିବ ନା, ଏଥର ବିଜେପି କିମ୍ବା କଂଗ୍ରେସର ପାଳି ପଡ଼ିବ ତା’ ଉପରେ ରହିଛି ସମସ୍ତଙ୍କର ନଜର।

Tags: #Politics #OdishaPolitics #Boudh #Election #AssemblyElection #BJD #BJP #Congress

Comment