ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ରବିନାରାୟଣ ପାଢ଼ୀ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ରବିନାରାୟଣଙ୍କୁ ଧରିଛନ୍ତି ବୌଦ୍ଧ ଭିଜିଲାନ୍ସ ବିଭାଗ ଅଧିକାରୀ।

ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରୁବୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନସୂୟା ନାୟକ ଏକ କାମ ପାଇଁ ବାରମ୍ବାର ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଥିଲେ। ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହୋଇଥିଲେ ସେ। ପରେ ଶିକ୍ଷୟିତ୍ରୀଙ୍କ କାମ କରାଇଦେବାକୁ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ରବିନାରାୟଣ ପାଢ଼ୀ ୪୦ ହଜାର ଟଙ୍କା ଦାବି କରିଥିଲେ।

ଶିକ୍ଷୟିତ୍ରୀ ଅନସୂୟା ନାୟକ ଏ ସମ୍ପର୍କରେ ବୌଦ୍ଧ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଶୁକ୍ରବାର ଦିନ ଅନସୂୟା ନାୟକ ବରିଷ୍ଠ କିରାଣୀ ରବିନାରାୟଣ ପାଢ଼ୀଙ୍କୁ ୨୦ ହଜାର ଟଙ୍କା ଦେଉଥିବାବେଳେ କାବୁ କରିଥିଲେ ସେଠାରେ ଛପି ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀ।

ପରେ ରବିନାରାୟଣଙ୍କ ବୁଟୁପାଲି ସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଅନ୍ୟପକ୍ଷରେ ହରଭଙ୍ଗା ବ୍ଲକ ଶିକ୍ଷାଅଧିକାରୀ ଅଜୟ କୁମାର ଲୋହାଙ୍କୁ କାର୍ଯ୍ୟାଳୟକୁ ନେଇ ପଚରା ଉଚରା ଜାରି ରଖିଛନ୍ତି ଭିଜିଲାନ୍ସ ବିଭାଗ ଅଧିକାରୀ।

Tags: #VigilanceTrap #VigilanceRaid #Boudh #HarabhangaBEOffice #RabinarayanPadhiInVigilanceTrap

Comment