ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲ ଗଲେ ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍ ଧୀମାନ ଚକମା। ଲାଞ୍ଚ ନେବା ଅଭିଯୋଗରେ ଗତକାଲି ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇଛନ୍ତି ଭିଜିଲାନ୍ସ କୋର୍ଟ।
ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ନେବା ସମୟରେ ଧୀମାନ ଚକମାଙ୍କୁ ଧରିଥିଲେ ଭିଜିଲାନ୍ସ ଟିମ୍। ପରେ ଚଢ଼ଉ ସମୟରେ ତାଙ୍କ ଘରୁ ମିଳିଥିଲା ଆଉ ୪୭ ଲକ୍ଷ ଟଙ୍କା।
ଆଇଏଏସ୍ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ମାଗିବା। ଜୟପାଟଣା ବ୍ଲକ ଆମଯୋର ଅଞ୍ଚଳର ଜଣେ କ୍ରସୟ ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା। ତେବେ ଦୁଇଟି କିସ୍ତିରେ ଏହି ଟଙ୍କା ଦେବାକୁ ସହମତି ପ୍ରକାଶ କରିଥିଲେ କ୍ରସର ମାଲିକ।
ଏ ସମ୍ପର୍କରେ କ୍ରସର ମାଲିକ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ କ୍ରସର ମାଲିକ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ୧୦ ଲକ୍ଷ ଟଙ୍କା ଦେବା ସମୟରେ ମାଡ଼ି ବସିଥିଲେ ଭିଜିଲାନ୍ସ ଟିମ୍। ଟଙ୍କା ଜବତ କରିବା ସହ ଉପଜିଲ୍ଲାପାଳଙ୍କ ବାସଭବନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ତାଙ୍କ ଘରୁ ନଗଦ ୪୭ ଲକ୍ଷ ଟଙ୍କା ମିଳିଥିଲା। ପରେ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।
ଧୀମାନ ଚକମା ହେଉଛନ୍ତି ୨୦୨୧ ବ୍ୟାଚର ଆଇଏଏସ୍ ଅଫିସର। ତାଙ୍କ ଘର ତ୍ରିପୁରା କାଞ୍ଚନପୁର ଅଞ୍ଚଳରେ।
Tags: #IASDhimanChakma #Arrest #VigilanceRaid #BribeCase #Dharmagarh