ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଏଣିକି ମାଗଣାରେ ଇଂରାଜୀ ମାଧ୍ୟମରେ ପାଠ ପଢ଼ିବାର ସୁଯୋଗ ପାଇବେ ବୌଦ୍ଧ ଜିଲ୍ଲାର ଗରିବ ଶ୍ରେଣୀର ଛାତ୍ରଛାତ୍ରୀ। ବୌଦ୍ଧ ଜିଲ୍ଲା ଲୁଣିବାହାଲଠାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ୍‌) ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିଦ୍ୟାଳୟର ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା, ଜିଲ୍ଲା ପରିଷଦ ସଭାପତି ପ୍ରଭାସିନୀ ଦାସ, ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଜିଲ୍ଲାର ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାଗଣାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲାଗି କିସ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏକ ଉତ୍ତମ ମାଧ୍ୟମ ହେବ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଏହି ବିଦ୍ୟାଳୟ ଭୁବନେଶ୍ଵରସ୍ଥିତ କିସ ଦ୍ଵାରା ପରିଚାଳିତ ହେବ। ଚଳିତ ଶିକ୍ଷାବର୍ଷଠାରୁ ଏହି ବିଦ୍ୟାଳୟରେ ନାମଲେଖା ଆରମ୍ଭ ହୋଇ ଶିକ୍ଷାଦାନ କରାଯାଇପାରିବ ବୋଲି ସେ କହିଥିଲେ। ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ କିଟ୍‌ରେ ପଢ଼ିବାର ସୁଯୋଗ ପାଇବେ ବୋଲି ଅଚ୍ୟୁତ ସାମନ୍ତ କହିଥିଲେ।  

ସେହିପରି ବୌଦ୍ଧ ଜିଲ୍ଲାର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଲୁଣିବାହାଲଠାରେ ୧୦୦ କୋଟି ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ହେବାକୁ ଯାଉଛି। ଭୁବନେଶ୍ଵରସ୍ଥିତ କିମ୍ସ ହସ୍ପିଟାଲ ପକ୍ଷରୁ ଏହି ହସ୍ପିଟାଲ ପରିଚାଳନା କରାଯିବ ବୋଲି ସାଂସଦ ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି ।

Tags: #Education #KISSCBSESchool #Boudh #Odisha

LEAVE A REPLY

Please enter your comment!
Please enter your name here