ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିର୍ବାଚନ ଲାଗି ଚାଲିଛି ପ୍ରସ୍ତୁତି। ଚଳିତ ଥର କଡ଼ା ସୁରକ୍ଷା ବଳୟ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ହେବ ନିର୍ବାଚନ। ଚିହ୍ନଟ ହୋଇଛି ୬୮ଟି ମାଓବାଦୀ ପ୍ରବଣ ବୁଥ। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ତିଆରି ହୋଇଛି ୧୦ଟି ଅସ୍ଥାୟୀ ହେଲିପ୍ୟାଡ। ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହେବେ ୨ କମ୍ପାନି ସିଆରପିଏଫ ଯବାନ।

ମାଓବାଦୀ ପ୍ରବଣ ଅଞ୍ଚଳ ଓ ସମ୍ବେଦନଶୀଳ ବୁଥଗୁଡ଼ିକରେ କଡ଼ାକଡ଼ି ହେବ କମ୍ବିଂ ଅପରେସନ ଓ ଫ୍ଲାଗ ମାର୍ଚ୍ଚ। ସବୁ ବୁଥରେ ସିସିଟିଭି ଲଗାଯିବ। ଜିଲ୍ଲାରେ ୧୦ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ବୁଲିବ। ବେଆଇନ ଟଙ୍କା ରୋକିବା ପାଇଁ ତିଆରି ହୋଇଛି ୧୦ଟି ବର୍ଡର ଚେକ ପୋଷ୍ଟ। ଏ ନେଇ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି।

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଆସନ୍ତା ମେ’ ୨୦ ତାରିଖରେ ମତଦାନ ହେବ। ଜିଲ୍ଲାରେ ସମୁଦାୟ ୩ ଲକ୍ଷ ୩୩ ହଜାର ୫ ଶହ ୫୭ ଭୋଟର ରହିଛନ୍ତି।

କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୨୧୭ଟି ମତଦାନ କେନ୍ଦ୍ର ଓ ବୌଦ୍ଧରେ ୧୯୪ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିବେ ଭୋଟର। ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାରେ ୪୧୧ ଜଣ ପ୍ରିଜାଇଡିଂ ଅଫିସର, ୨,୦୫୫ ଜଣ ପୋଲିଂ ଅଫିସର ଏବଂ ୫୯ ଜଣ ସେକ୍ଟର ଅଫିସରଙ୍କୁ ତାଲିମ ଦିଆଯାଇଛି।

ଏପ୍ରିଲ ୨୬ ତାରିଖରେ ନିର୍ବାଚନୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମେ’ ୩ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିବ। ସେହିପରି ମେ’ ୪ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ମେ’ ୬ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ରହିଛି। ମେ’ ୨୦ ତାରିଖ ନିର୍ବାଚନ ହେବ। ଜୁନ ୪ ତାରିଖରେ ଭୋଟ ଗଣତି ହେବ। ଭୋଟ ଗଣତି ବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

Tags: #Politics #OdishaPolitics #Boudh #ElectionPreparation #Odisha

LEAVE A REPLY

Please enter your comment!
Please enter your name here