ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ୨ ହଜାର ଟଙ୍କିଆ ନୋଟ ବଦଳ ପ୍ରକ୍ରିୟା। ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶ ଅନୁସାରେ ଲୋକମାନେ ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇ ଅନ୍ୟ ନୋଟ ନେଉଛନ୍ତି। ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ମଧ୍ୟ ଏଥିପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

ଭୁବନେଶ୍ଵର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ମୁଖ୍ୟ ଶାଖାରେ ମଧ୍ୟ ଲୋକମାନେ ଟଙ୍କା ବଦଳାଉଛନ୍ତି। ଏନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ଷ୍ଟେଟ ବ୍ୟାଙ୍କର ଭୁବନେଶ୍ଵର ମଣ୍ଡଳ ସିଜିଏମ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି।

“ଷ୍ଟେଟ ବ୍ୟାଙ୍କ ତରଫରୁ ୨ ହାଜର ଟଙ୍କିଆ ନୋଟ ବଦଳାଇବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ଓଡ଼ିଶାରେ ଷ୍ଟେଟ ବ୍ୟାଙ୍କର ୮୯୦ଟି ଶାଖାରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ଏବେ ଓଡ଼ିଶାରେ ଷ୍ଟେଟ ବ୍ୟାଙ୍କ ପାଖରେ ୧୨ ହଜାର କୋଟି ଟଙ୍କାର ଅନ୍ୟ ନୋଟ ମହଜୁଦ ଅଛି। ଯଦି ଦରକାର ପଡ଼େ ତେବେ ରିଜର୍ଭ ବ୍ୟାଙ୍କରୁ ଆହୁରି ନୋଟ ଅଣାଯିବ”, କହିଛନ୍ତି ଚନ୍ଦ୍ରଶେଖର ଶର୍ମା

ସେ ଆହୁରି ମଧ୍ୟ କହିଛନ୍ତି, “ଏବେ ନୋଟ ବଦଳାଇବା ପାଇଁ ୪ ମାସରୁ ଅଧିକ ସମୟ ଅଛି, ତେଣୁ ଲୋକମାନେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଲୋକମାନେ ଥରକେ ୨୦ ହଜାର ଟଙ୍କା କରି ଦିନକୁ ଏକାଧିକ ଥର ୨ ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ, ନେଚତ ଏହାକୁ ନିଜ  ଆକାଉଣ୍ଟରେ ଜମା କରିପାରିବେ। ଏହାଛଡ଼ା ଏଟିଏମ ମେସିନରେ ମଧ୍ୟ ନୋଟ ଜମା କରିବା ପାଇଁ ବ୍ୟବସ୍ଥା କରାଯାଇଛି।”

ଓଡ଼ିଶାରେ ଷ୍ଟେଟ ବ୍ୟାଙ୍କ ଛଡ଼ା ଅନ୍ୟ ବ୍ୟାଙ୍କରେ ମଧ୍ୟ ୨ ହାଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ଏଥିରେ ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ସାମିଲ ଅଛନ୍ତି।

ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ ଦେଶରେ ପ୍ରଚଳିତ ୨ ହଜାର ଟଙ୍କିଆ ନୋଟଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ନୋଟଗୁଡ଼ିକୁ ବଦଳାଇବା ପାଇଁ ମେ’ ମାସ ୨୩ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ସମୟ ଧାର୍ଯ୍ୟ କରାଯାଇଛି।

Tags: #2000RupeesNoteExchange #SBI #CurrencyCirculation #Odisha #RBIGovernor #IndianMarket

 

Comment