ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦା ଅବସ୍ଥା ଯୋଗୁଁ ରିୟଲ ଇଷ୍ଟେଟ ସେକ୍ଟର ବାରୁଦ ଗଦା ଉପରେ ବସିଛି। ଯେ କୌଣସି ସମୟରେ ଏହା ଫୁଟିପାରେ ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଏକ ଚେତାବନୀ ଦେଇ ସେ କହିଛନ୍ତି ଯେ ରିୟଲ ଇଷ୍ଟେଟ, ନିର୍ମାଣ ଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ର ବର୍ତ୍ତମାନ ଘୋର ସଙ୍କଟ ଦେଇ ଗତି କରୁଛି। କେତେବେଳେ କ’ଣ ହେବ ତାହା କୁହାଯାଇପାରିବ ନାହିଁ।

ରାଜନ ଆହୁରି କହିଛନ୍ତି ଯେ ରିୟଲ ଇଷ୍ଟେଟ ସେକ୍ଟରକୁ ବେଶୀ ଋଣ ଆସିଛି ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ମାନଙ୍କ ଠାରୁ। ଏଥିପାଇଁ ଏନବିଏଫ୍‌ସିଗୁଡ଼ିକ ସଙ୍କଟରେ ପଡ଼ିଛନ୍ତି। ସେମାନେ ଯେଉଁ ଛାୟା ବ୍ୟାଙ୍କିଙ୍ଗ କାରବାର କରୁଛନ୍ତି ତା’ଉପରେ ତର୍ଜମା କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଦିନକୁ ଦିନ ବ୍ୟାଡ ଲୋନ ବଢ଼ିବାରେ ଲାଗିଛି ଓ ଏଥିପାଇଁ ଏହି ଅଣ ବ୍ୟାଙ୍କିଙ୍ଗ କମ୍ପାନିମାନେ ନୂଆ ଋଣ ଦେଇପାରୁନାହାନ୍ତି। ରିଜର୍ଭ ବ୍ୟାଙ୍କକୁ ପରାମର୍ଶ ଦେଇ ସେ ଏକଥା ମଧ୍ୟ କହିଛନ୍ତି ଯେ ଏନବିଏଫ୍‌ସିଗୁଡ଼ିକର ସମ୍ପତ୍ତିର ଗୁଣାତ୍ମକ (ଆସେଟ କ୍ୱାଲିଟି)ଦିଗ ଉପରେ ଦୃଷ୍ଟି ଦେବାକୁ ହେବ।

ଖବର ଅନୁସାରେ ଭାରତର ରିୟଲ ଇଷ୍ଟେଟ କ୍ଷେତ୍ରରେ ପ୍ରାୟ ୩.୩ ଲକ୍ଷ କୋଟି ଟଙ୍କା ଫସି ରହିଛି। ପ୍ରାୟ ୫ ଲକ୍ଷ ଘର ନିର୍ମାଣ ନହୋଇ ଅଧାରେ ଅଟକିଛି। ରିପୋର୍ଟ ଅନୁସାରେ ଏହି ସବୁ ଘର ଶେଷ ହେବା ପାଇଁ ଦୁଇରୁ ଆଠ ବର୍ଷ ଲାଗିଯିବ।

Comment