ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ପକ୍ଷରୁ ଗୁରୁବାର ପାଳିତ ହୋଇଛି ‘ରେରା’ ଦିବସ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସରକାରୀ କର୍ମଚାରୀମାନେ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵକୁ ସଠିକ୍ ଭାବରେ ପାଳନ କରିବାକୁ ସେ ଆହ୍ଵାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଓରେରାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଗୋପାଳଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସେ ଗୃହକ୍ରେତାମାନଙ୍କର ସ୍ଵାର୍ଥ ରକ୍ଷା ସହିତ କର୍ମକ୍ଷେତ୍ରରେ ସଚ୍ଛତା ବଜାୟ ରଖାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ।

ଏହି ଅବସରରେ ଓରେରା କର୍ମଚାରୀମାନେ କର୍ମ କ୍ଷେତ୍ରରେ ସାଧୁତା, ସ୍ଵଚ୍ଛତା ଓ ନିଷ୍ଠା ପାଳନ ପାଇଁ ଶପଥ ପାଠ କରିଥିଲେ।

କାର୍ଯ୍ୟକ୍ରମରେ ଓରେରାର ପ୍ରଶାସନିକ ସଦସ୍ୟ ପ୍ରଦୀପ ବିଶ୍ଵାଳ ଓ ଅର୍ଥନୈତିକ ଯୁଗ୍ମସଚିବ ଦୀପକ ବେଶ୍ରା ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଓରେରାର ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

୨୦୧୭ ମସିହା ମେ’ ୧ ତାରିଖରେ ଭାରତରେ ପ୍ରଥମଥର ପାଇଁ ‘ରେରା’ ଆଇନ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା। ଏଥିପାଇଁ ମେ’ ୧ ତାରିଖକୁ ‘ରେରା’ ଦିବସ ଭାବରେ ପାଳନ କରାଯାଇଥାଏ।

Tags: #RERADay #ORERA #RealEstate #Bhubaneswar #Odisha

Comment