ବିଶ୍ଵଜିତ ସାହୁ

  • ଗ୍ଲୋବାଲ ନେଟଓ୍ଵର୍କ ଅଫ୍ ଅନ୍ତ୍ରୋପ୍ରିନିୟର୍ସ ଆଣ୍ଡ୍ ପ୍ରଫେସନାଲସ୍ ଫର୍ ଓଡ଼ିଶା (ନିପୋ)
  • ଜାତୀୟ ଏବଂ ଅନ୍ତର୍ଜାତୀୟ ନେଟଓ୍ଵର୍କିଂ ଉପରେ ଗୁରୁତ୍ଵ
  • ଓଡ଼ିଶାର ଷ୍ଟାର୍ଟଅପ୍‌ମାନଙ୍କୁ ନୂଆ ଦିଗ ଦେବା ଲାଗି ମେଣ୍ଟରସିପ୍ କାର୍ଯ୍ୟକ୍ରମ

ଶିଳ୍ପ ବିକାଶ ଓ ପୁଞ୍ଜି ନିବେଶ ଲାଗି କ୍ଷେତ୍ର ପ୍ରସ୍ତୁତି ତଥା ଷ୍ଟାର୍ଟଅପ୍ ବିଜିନେସ୍‌କୁ ବ୍ୟାପକ କରିବା – ଏ ସବୁ କ୍ଷେତ୍ରରେ ଓଡ଼ିଶା ଆଜି ଭାରତର ଏକ ପ୍ରମୁଖ ରାଜ୍ୟ ଭାବେ ପରିଚୟ ହାସଲ କରିଛି। ସାମଗ୍ରିକ ଭାବେ ରାଜ୍ୟରେ ଉଦ୍ୟୋଗ ବିକାଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ନୂଆ ପିଢ଼ିର ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍‌ ଫାଉଣ୍ତରମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଲାଗି ଏବେ ଉଚିତ ସମୟ ଆସିଛି। ତେଣୁ ଉଦ୍ୟୋଗ ଦୁନିଆ ସହ ସଂପୃକ୍ତ ସବୁ ଅଂଶୀଦାରମାନେ ଯୋଡ଼ି ହୋଇ କାମ କଲେ ଆଗାମୀ ଦିନରେ ଓଡ଼ିଶା ଏ କ୍ଷେତ୍ରରେ ବିଶେଷ ସଫଳତା ପାଇପାରିବ। ଗ୍ଲୋବାଲ ନେଟଓ୍ଵର୍କ ଅଫ୍ ଅନ୍ତ୍ରୋପ୍ରିନିୟର୍ସ ଆଣ୍ଡ୍ ପ୍ରଫେସନାଲସ୍ ଫର୍ ଓଡ଼ିଶା (ନିପୋ) ଅନ୍ତର୍ଜାତୀୟ ଫୋରମର ଶୁଭାରମ୍ଭ ବେଳେ ବିଶେଷଜ୍ଞମାନେ ଏ ବିଷୟରେ ଗୁରୁତ୍ଵ ଦେଇଛନ୍ତି।ମାର୍ଚ୍ଚ ୩୦ ତାରିଖ ଦିନ ଭୁବନେଶ୍ଵରସ୍ଥିତ କିଟ୍ ଡିମ୍‌ଡ ବିଶ୍ଵବିଦ୍ୟାଳୟର କ୍ୟାମ୍ପସ୍-୧୧ ପରିସରରେ ଥିବା ଅଡିଟୋରିୟମରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନିପୋ ଫୋରମର ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶାର ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାର ଶୁଭାରମ୍ଭ କରିଥିଲେ।

ଗ୍ଲୋବାଲ ନେଟଓ୍ଵର୍କ ଅଫ୍ ଅନ୍ତ୍ରୋପ୍ରିନିୟର୍ସ ଆଣ୍ଡ୍ ପ୍ରଫେସନାଲସ୍ ଫର୍ ଓଡ଼ିଶା (ନିପୋ) ହେଉଛି ନୂଆକରି ଗଢ଼ି ଉଠିଥିବା ଏକ ଗ୍ଲୋବାଲ ଫୋରମ। ଏହାର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶାରେ ଶିଳ୍ପ ବିକାଶର ପରିବେଶକୁ ଅନୁକୂଳ କରିବା ସହ ବିଭିନ୍ନ ଷ୍ଟାର୍ଟଅପ୍ ସଂସ୍ଥାକୁ ବୈଷୟିକ ସହଯୋଗ ଯୋଗାଇ ଦେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା। ବିଶେଷକରି, କୌଣସି ନୂତନ ଶିଳ୍ପର ବିକାଶ ଲାଗି ନେଟଓ୍ଵର୍କିଂ ଏବଂ ମେଣ୍ଟରସିପ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥାଏ।ତେଣୁ ଓଡ଼ିଶା ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ବିଭିନ୍ନ ପେସାଦାର କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ଯୋଡ଼ିବା ପାଇଁ ନିପୋ ଉଦ୍ୟମ କରିବ। ଏହି ଶିଳ୍ପୋଦ୍ୟୋଗୀ ଏବଂ ପ୍ରଫେସନାଲ୍‌ମାନଙ୍କୁ ନେଇ ଗଠିତ ମଞ୍ଚ ନିପୋ ଆଗାମୀ ଦିନରେ ଓଡ଼ିଶାରେ ଶିଳ୍ପ ବିକାଶର ପାଣିପାଗକୁ ଅନୁକୂଳ କରିବା କ୍ଷେତ୍ରରେ ଉଦ୍ୟମ କରିବ ବୋଲି ଏହି ଫୋରମର ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରବାସୀ ଓଡ଼ିଆ ଡକ୍ଟର ଅଜୟ କୁମାର ମହାନ୍ତି ଏହି ଅବସରରେ ସୂଚନା ଦେଇଥିଲେ।

ଆମେରିକାର ସିକାଗୋ ସହରରୁ ଭିଡିଓ ମାଧ୍ୟମରେ ଯୋଡ଼ି ହୋଇଥିଲେ ପ୍ରବାସୀ ଭାରତୀୟ, ଜଣାଶୁଣା ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିଳ୍ପ ବିଶେଷଜ୍ଞ ତଥା ଓଡ଼ିଶା ସରକାରଙ୍କର ପୂର୍ବତନ ବୈଷୟିକ ପରାମର୍ଶଦାତା ସାମ୍ ପିଟ୍ରୋଡା। ସେ କହିଥିଲେ ଯେ, ଓଡ଼ିଶାରେ ଶିଳ୍ପ ବିକାଶ ଲାଗି ସବୁ ପ୍ରକାର ଉପାଦାନ ରହିଛି। ତେଣୁ ବର୍ତ୍ତମାନ ସମୟକୁ ଦୃଷ୍ଟିରେ ରଖି ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ସହଯୋଗ ସହ ମେଣ୍ଟରିଂ ସହାୟତା ଯୋଗାଇଦେଲେ ରାଜ୍ୟରେ ଶିଳ୍ପ ବିକାଶ ବିଶେଷ ତ୍ଵରାନ୍ଵିତ ହୋଇପାରିବ। ତେଣୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଥିବା ସଫଳ ଉଦ୍ୟୋଗୀ ଓ ପେସାଦାରମାନଙ୍କୁ ଓଡ଼ିଶା ସହ ଯୋଡ଼ିବାରେ ନିପୋ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଓଡ଼ିଶା ସରକାର ବର୍ତ୍ତମାନ ରାଜ୍ୟର ୧୦ଟି ପ୍ରମୁଖ ଶିଳ୍ପାଞ୍ଚଳର ସଂପୂର୍ଣ୍ଣ ଉନ୍ନତୀକରଣ କରୁଛନ୍ତି। ସେହିଭଳି ୨୦୨୫ ଅଧୀନରେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାର ଆଇଟି ତଥା ଅନ୍ୟାନ୍ୟ ଏମ୍‌ଏସ୍‌ଏମ୍‌ଇ ଶିଳ୍ପର ବିକାଶ ଲାଗି ଅନୁକୂଳ ନୀତି ପ୍ରସ୍ତୁତ କରୁଛନ୍ତି। ତେଣୁ ଓଡ଼ିଶାକୁ ଜାତୀୟ ସ୍ତରର ଏକ ଶିଳ୍ପ ବିକାଶ କ୍ଷେତ୍ର ଭାବେ ଓଡ଼ିଶା ସରକାର ତିଆରି କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ନିପୋ ଉଦ୍‌ଘାଟନୀ ଅବସରରେ କହିଥିଲେ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା।ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର (ଏମ୍‌ଏସ୍‌ଏମ୍‌ଇ) ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା କହିଥିଲେ ଯେ, ଓଡ଼ିଶାରେ ବର୍ତ୍ତମାନ ୧୯ ଲକ୍ଷରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ରହିଛନ୍ତି। ସେମାନେ ୩୩ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ସେହିପରି ଷ୍ଟାର୍ଟଅପ୍ ବିକାଶ କ୍ଷେତ୍ରରେ ଜାତୀୟ ସ୍ତରରେ ନାଁ କରିଛି। ଷ୍ଟାର୍ଟ୍ଅପ୍ ଓଡ଼ିଶା ଅଧୀନରେ ପଞ୍ଜୀକୃତ ୧୨ ଶହରୁ ଅଧିକ ସଂସ୍ଥା ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ନୂତନ ଉତ୍ସାହ ସୃଷ୍ଟି କରିଛନ୍ତି। ତେଣୁ ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ତଥା ଷ୍ଟାର୍ଟଅପ୍ ବିଜିନେସ୍‌ର କିଭଳି ଅଧିକରୁ ଅଧିକ ବିକାଶ ହୋଇପାରିବ ସେ ଦିଗରେ ଓଡ଼ିଶା ସରକାର ଯତ୍ନବାନ ଅଛନ୍ତି।ଓଡ଼ିଆମାନେ ଆଜି ଶିଳ୍ପ ବା ଉଦ୍ୟୋଗ ବିକାଶ କ୍ଷେତ୍ରରେ ପଛୁଆ ହୋଇ ରହିନାହାନ୍ତି। ଓଡ଼ିଶାର ଉଦ୍ୟୋଗୀମାନେ ଦେଶ ବିଦେଶରେ ସେମାନଙ୍କର ଅଭିନବ ଚିନ୍ତା, କଠିନ ପରିଶ୍ରମ ଏବଂ ପେସାଦାର ମନୋଭାବ ପାଇଁ ସ୍ଵତନ୍ତ୍ର ପରିଚୟ ହାସଲ କରିଛନ୍ତି। ତେଣୁ ନୂତନ ଶିଳ୍ପ ପ୍ରତିଷ୍ଠା, ଏହାର ସଫଳ ପରିଚାଳନା ତଥା ଓଡ଼ିଶାରେ ଗଢ଼ି ଉଠିଥିବା ଉଦ୍ୟୋଗକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନେଇ ପହଞ୍ଚାଇବା ଲାଗି ଆଜି ଉପଯୁକ୍ତ ସମୟ ଆସିଛି ବୋଲି ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର କହିଥିଲେ।ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ଵରସ୍ଥିତ ସଫ୍ଟଓ୍ଵେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆର (ଏସ୍‌ଟିପିଆଇ) ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା କହିଥିଲେ ଯେ, ଆଜି ରାଜ୍ୟରେ ଷ୍ଟାର୍ଟଅପ୍‌ର ବିକାଶ ଲାଗି ଅନେକ ଇନ୍‌କ୍ୟୁବେସନ ସେଣ୍ଟର ରହିଛି। ନୂଆ ପିଢ଼ିର ଷ୍ଟାର୍ଟଅପ୍ ଫାଉଣ୍ଡରମାନେ ବିଭିନ୍ନ ଅଭିନବ ବିଷୟରେ କାମ କରୁଛନ୍ତି। ତେବେ ସେମାନଙ୍କ ପାଇଁ ଉପଯୁକ୍ତ ଗ୍ଲୋବାଲ ନେଟ୍‌ଓ୍ଵର୍କିଂ ଏବଂ ମେଣ୍ଟରସିପ୍‌ର ସୁଯୋଗ ଯୋଗାଇଦେଲେ ସେମାନେ କମ୍ ଦିନରେ ସେମାନଙ୍କ ଲକ୍ଷ୍ୟ ପୂରଣ କରିବା ଦିଗରେ ସଫଳ ହୋଇପାରିବେ।ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା, ଉଦ୍ୟୋଗ ପ୍ରତିଷ୍ଠା ଏବଂ ଏହାର ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ଅଧିକ ସଫଳତା ହାସଲ କରିଛି। ବିଶେଷକରି ଆଗାମୀ ଦିନରେ ଆମ ରାଜ୍ୟ ଦେଶର ଏକ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ହେବାକୁ ଯାଉଛି ବୋଲି ନିପୋର ସହପ୍ରତିଷ୍ଠାତା ତଥା ତତ୍ଵ ଟେକ୍ନୋଲୋଜିର ପରିଚାଳନା ନିର୍ଦ୍ଦେଶକ ଅୟସ୍‌କାନ୍ତ ମହାନ୍ତି। ତେଣୁ ବର୍ତ୍ତମାନ ସମୟର ସଦୁପଯୋଗ କରି ଶିଳ୍ପ କ୍ଷେତ୍ର ସହ ଯୋଡ଼ି ହୋଇଥିବା ସବୁ ଅଂଶୀଦାରମାନେ ଏକାଠି ଆଗକୁ ବଢ଼ିଲେ ଆମେ ବିଶେଷ ସଫଳତା ପାଇପାରିବା ବୋଲି ସେ କହିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ନିପୋର ସହପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ତଥା କିଟ୍ ଟିବିଆଇର ସିଇଓ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ସ୍ଵାଗତ ଭାଷଣ ଦେଇ ବର୍ତ୍ତମାନ ସମୟରେ ଏହି ଫୋରମର ଆବଶ୍ୟକତା ଓ ଆଭିମୁଖ୍ୟ ବିଷୟରେ କହିଥିଲେ। ପ୍ରାୟ ୫ ବର୍ଷ ଧରି ଏଭଳି ଏକ ପ୍ଲାଟଫର୍ମ ଆରମ୍ଭ କରିବା ଲାଗି ଯେଉଁ ଉଦ୍ୟମ ଓ ପ୍ରସ୍ତୁତି ହୋଇ ଆସୁଥିଲା, ଆଜି ତାହା ପୂର୍ଣ୍ଣାଙ୍ଗ ରୂପ ନେଇଛି। କୋଭିଡ୍ ପରବର୍ତ୍ତୀ ସମୟରେ ଓଡ଼ିଶାକୁ ପୃଥିବୀର କୋଣ ଅନୁକୋଣ ସହ ଯୋଡ଼ି ଆମ ରାଜ୍ୟର ଉଦ୍ୟୋଗ ବିକାଶଧାରାକୁ ଆଉ ଏକ ପାହାଚକୁ ନେଇଯିବା କ୍ଷେତ୍ରରେ ନିପୋ ଉଦ୍ୟମ କରିବ ବୋଲି ଡକ୍ଟର ସୁଆର କହିଥିଲେ।

ନିପୋର ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡକ୍ଟର ଅଜୟ କୁମାର ମହାନ୍ତି ଏହି ଫୋରମ ଗଠନ ପଛର ଉଦ୍ଦେଶ୍ୟ ଏବଂ ଆଗାମୀ ଦିନର କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇଥିଲେ। ସେହିପରି ଫୋରମର ଅନ୍ୟତମ ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରବାସୀ ଓଡ଼ିଆ ଡକ୍ଟର ଅମୀୟ ନାୟକ କାର୍ଯ୍ୟକ୍ରମ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସେ ନିପୋର ସାଙ୍ଗଠନିକ ଢାଞ୍ଚା ସହ ଏହାକୁ କିପରି ସାରା ପୃଥିବୀର ବଛା ବଛା ଉଦ୍ୟୋଗୀ ଏବଂ ପେସାଦାରଙ୍କୁ ଯୋଡ଼ା ଯାଇପାରିବ ସେହି ସଂପର୍କରେ ଗୁରୁତ୍ଵ ଦେଇଥିଲେ।  ଏହି କାର୍ଯ୍ୟକ୍ରମ ଅବସରରେ ‘ଡେଭେଲପିଙ୍ଗ, ମେଣ୍ଟରିଂ ଆଣ୍ଡ ନର୍ଚରିଂ ଆନ୍ ଅନ୍ତ୍ରୋପ୍ରିନିୟରସିପ୍ ଇକୋସିଷ୍ଟମ ଇନ୍ ଓଡ଼ିଶା – ଏ ଟାଞ୍ଜିବିଲ୍ ପ୍ରେମଓ୍ଵର୍କ’ ଶୀର୍ଷକରେ ଏକ ଟେକ୍ନିକାଲ ସେସନ କରାଯାଇଥିଲା। ଏସ୍‌ଟିପିଆଇ ଭୁବନେଶ୍ଵରର ବରିଷ୍ଠ ପରାମର୍ଶଦାତା ପ୍ରଫେସର ଅଶୋକ ପଣ୍ଡା ଏହି ଆଲୋଚନାର ସଂଚାଳନ କରିଥିଲେ। ଟାଇ ଭୁବନେଶ୍ଵରର ଚାପ୍ଟରର ସଭାପତି ଦେବାଶିଷ ପଟ୍ଟନାୟକ, ଜେଏସ୍‌ଡବ୍ଲ୍ୟୁ ଓଡ଼ିଶା ସିଏସ୍‌ଆର୍ ମୁଖ୍ୟ ପ୍ରଶାନ୍ତ ବିଶ୍ଵାଳ, ନିପୋର ସହପ୍ରତିଷ୍ଠାତା ତଥା ତତ୍ଵ ଟେକ୍ନୋଲୋଜିର ପରିଚାଳନା ନିର୍ଦ୍ଦେଶକ ଅୟସ୍‌କାନ୍ତ ମହାନ୍ତି, ପ୍ରଫେସର ସରୋଜ ନାୟକ, ଶୁଭମ ଆଚାର୍ଯ୍ୟ ଏବଂ ଡକ୍ଟର ସୁମୋନା କାର୍ଜି ମିଶ୍ର ଏହି ଆଲୋଚନାରେ ଭାଗ ନେଇ ନିଜର ମତ ରଖିଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବା ତଥା ଅଭିନବ ଚିନ୍ତାକୁ ବ୍ୟବସାୟର ରୂପ ଦେବା ଲାଗି ପ୍ରୋତ୍ସାହିତ କରିବା ଲାଗି ‘ଓପନ୍’ ଶୀର୍ଷକରେ ଏକ ବୁଟ୍ କ୍ୟାମ୍ପର ଶୁଭାରମ୍ଭ କରାଯାଇଥିଲା।ଏହି ରାଜ୍ୟସ୍ତରୀୟ ଅନ୍ତଃ-ଶିକ୍ଷାନୁଷ୍ଠାନ ପ୍ରତିଯୋଗିତା ୬୦ ଦିନ ଧରି ଚାଲିବ। ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦ଟି ଶ୍ରେଷ୍ଠ ବିଜିନେସ୍ ଆଇଡିଆକୁ ବିଶେଷଜ୍ଞଙ୍କ ନିକଟରେ ଉପସ୍ଥାପନା କରିବା ଲାଗି ଆମନ୍ତ୍ରଣ କରାଯିବ। ଏହା ମାଧ୍ୟମରେ ଉଦ୍ୟୋଗୀ ମନୋଭାଗ ସଂପର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର, ଫେଲୋସିପ୍ ଏବଂ ପୁଞ୍ଜି ସଂଗ୍ରହ ଲାଗି ସୁଯୋଗ ମିଳିବ।

Tags: #GNEPO #NEPO #GlobalNetworksofEntrepreneurs #Odisha #Startup #Entrepreneurship #KIITTBI #STPI #OdiaDiaspora #FundRaising #EntrepreneurialEcoSystem #SamPitroda #MSME #Science&Technology #Electronics&IT #StartupForum #BusinessNews

Comment