ଭାସ୍କର ପରିଚ୍ଛା

ଅର୍ଥନୀତି ଉପରେ କରୋନା ମାଡ଼।

କରୋନା ସଂକ୍ରମଣକୁ ରୋକିବା ପାଇଁ ଯେଉଁ ଲକଡାଉନ ଘୋଷଣା  କରାଯାଇଥିଲା ତାହା ୨୦ ଦିନରେ ପହଞ୍ଚି ଥିବା ବେଳେ  ଶେଷ ହେବାକୁ ଆହୁରି ୧୮ ଦିନ ବାକି ଅଛି। କାରଣ ଓଡ଼ିଶା ସରକାର ଏହି ତାଲାବନ୍ଦକୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଇତି ମଧ୍ୟରେ କରୋନା ଯୋଗୁଁ  ରାଜ୍ୟରେ ସବୁ ରୋଜଗାର ବନ୍ଦ ରହିଛି ଓ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବା ନିଶ୍ଚିତ ଦେଖାଯାଉଛି।

ଯଦିଓ ଏହି ଲକଡାଉନ ଯୋଗୁଁ ଅର୍ଥନୀତି କେତେମାତ୍ରାରେ କ୍ଷତି ସହିଛି ତାର ହିସାବ ଏପର୍ଯ୍ୟନ୍ତ କରା ଯାଇନାହିଁ, ତେବେ  ସରକାରୀ ଆକଳନ ଅନୁସାରେ ଲକଡାଉନ ଫଳରେ କୃଷି କ୍ଷେତ୍ର ଉପରେ ସବୁଠାରୁ ବେଶୀ ମାଡ଼ ହେବ। ରବି ଫସଲ ପୂରା ମାଡ଼ ଖାଇଥିବା ବେଳେ ଆଗକୁ ଖରିଫ ଫସଲ ପାଇଁ ଚାଷୀମାନେ ପ୍ରଚୁର ଆର୍ଥିକ ସହାୟତା ଦରକାର କରିବେ।

ଜିଡିପି ଖସିବ

ଯଦିଓ ଓଡ଼ିଶା ସରକାରଙ୍କ ପକ୍ଷରୁ କୃଷି କ୍ଷେତ୍ରକୁ କରୋନା ପ୍ରଭାବରୁ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ ହୋଇଛି। ତଥାପି ଏହା ଯଥେଷ୍ଟ ନୁହେଁ। କୃଷି ବ୍ୟତୀତ ମତ୍ସ୍ୟ କ୍ଷେତ୍ରରେ ମଧ୍ୟ ବ୍ୟାପକ କ୍ଷତି ହେବା ଆକଳନ କରାଯାଇଛି। ଅବଶ୍ୟ ସରକାର ଏହି କ୍ଷେତ୍ରକୁ ମଧ୍ୟ କରୋନା କଟକଣାରୁ ମୁକ୍ତ ରଖିବା ପାଇଁ ଘୋଷଣା କରିଛନ୍ତି, ରାଜ୍ୟର ବାର୍ଷିକ ମୋଟ ଘରୋଇ ଉତ୍ପାଦ ବା ଜିଡିପିକୁ ୪.୫ ପ୍ରତିଶତରେ ରଖା ଯାଇପାରିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

ରବି ଅମଳ

ସରକାରୀ ମହଲରେ ହୋଇଥିବା ଆଲୋଚନା ଅନୁସାରେ ରବି ଫସଲ ଉପରେ ବହୁତ କିଛି ନିର୍ଭର କରୁଛି। ଅବଶ୍ୟ ରବି ଅମଳ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ମେ ୧୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବା ଦେଖାଯାଉଛି। ଏଣୁ ପୂରା ଅମଳ ପରେ ଯାଇ ଲାଭକ୍ଷତି ଆକଳନ କରାଯାଇ ପାରିବ। ରବି ଧାନ, ମକା ଓ ମାଣ୍ଡିଆ ଫସଲ  ଯଦିଓ ଭଲ ହୋଇଛି କିନ୍ତୁ ଲକଡାଉନ ସମୟରେ ଏହାର ବିକ୍ରିବଟାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି।

ଶିଳ୍ପ ଅବସ୍ଥା

କୃଷି କ୍ଷେତ୍ର ଭଳି ଶିଳ୍ପ କ୍ଷେତ୍ରରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ବଡ଼ ଶିଳ୍ପ, ଆଇଟି ଓ ଏମଏସଏମଇ ଭୀଷଣ ମାଡ଼ ଖାଇଛି। କେବଳ କ୍ଷୁଦ୍ର ଲଘୁ ଓ ମଧ୍ୟମ ଶିଳ୍ପ ସାମଗ୍ରୀର ରପ୍ତାନୀରୁ ଓଡ଼ିଶା ବାର୍ଷିକ ପ୍ରାୟ ୨ ହଜାର କୋଟି ଟଙ୍କା ରାଜସ୍ୱ ପାଇଥାଏ। ଅନୁରୂପ ଭାବରେ ଆଇଟି କ୍ଷେତ୍ରରେ ମଧ୍ୟ ସ୍ଥାଣୁ ଅବସ୍ଥା ପରିଲକ୍ଷିତ ହୋଇଛି। ଆଇଟି କର୍ମଚାରୀମାନଙ୍କୁ ଘରେ ରହି କାମ କରିବା ପାଇଁ କୁହାଯାଇଛି। ଆଉ କିଛି କର୍ମଚାରୀ ହାତ ବାନ୍ଧି ଘରେ ବସିଛନ୍ତି।

ଆମେରିକା ଓ ୟୁରୋପ କରୋନା ଯୋଗୁଁ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଭାରତକୁ ଆଉଟସୋର୍ସିଂ କରାଯାଇଥିବା ପ୍ରୋଜେକ୍ଟଗୁଡ଼ିକୁ ନବୀକରଣ କରାଯାଇନାହିଁ। ଏଣୁ ଏହି କ୍ଷେତ୍ରରେ ରାଜସ୍ୱ ମଧ୍ୟ ହ୍ରାସ ପାଇବ।ଏକ ଆକଳନ ଅନୁଯାୟୀ ଓଡ଼ିଶାରେ ଆଇଟି କ୍ଷେତ୍ରରେ ପ୍ରାୟ ୨୦ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି।

coronaଜୀବିକା ବିପନ୍ନ

କରୋନା ଯୋଗୁଁ ଜୀବିକା ନିର୍ବାହ ଓ ଚାକିରୀ କ୍ଷେତ୍ର ଉପରେ ଢେର ପ୍ରଭାବ ଦେଖିବାକୁ ମିଳିବ। ଓଡ଼ିଶାରେ ଅଣ ସଂଗଠିତ କ୍ଷେତ୍ରରେ ପ୍ରାୟ ଏକ କୋଟି ସତୁରି ଲକ୍ଷ ଶ୍ରମିକ ଅଛନ୍ତି। ଓଡ଼ିଶାର ମୋଟ କାର୍ମିକ ଲୋକଙ୍କ ମଧ୍ୟରୁ ଅଣ ସଂଗଠିତ ଶ୍ରମିକ ହେଉଛନ୍ତି ୯୨ ଭାଗ। ଏମାନଙ୍କ ମଧ୍ୟରୁ ୬୮ ଲକ୍ଷ ହେଉଛନ୍ତି କୃଷି ଶ୍ରମିକ ଯେଉଁ ମାନଙ୍କ ଭବିଷ୍ୟତ ଆଗାମୀ ଦିନରେ କଣ ହେବ ତାହା ଅନିଶ୍ଚିତ। ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଯେଉଁମାନେ ପଞ୍ଜୀକୃତ ହୋଇଛନ୍ତି ସେମାନଙ୍କୁ ସରକାରଙ୍କ ପକ୍ଷରୁ ୧୫୦୦ ଟଙ୍କା ଆର୍ଥିକ ସାହାଯ୍ୟ ଦେବା ପାଇଁ ସ୍ଥିର ହୋଇଛି। ଏହି ପଞ୍ଜୀକୃତ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୩୫ ଲକ୍ଷ। ତେବେ ଏହି ୧୫୦୦ ଟଙ୍କା ଆର୍ଥିକ ସହାୟତା ସମୁଦ୍ରକୁ ଶଙ୍ଖେ ଭଳି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment