ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଚତୁର୍ଥ ଅଧ୍ୟାୟରେ ଦେଖନ୍ତୁ ବାଲେଶ୍ୱର ସୋରର ଝିଅ ତଥା ବାୟୋଟେକ୍ ଷ୍ଟାର୍ଟଅପ୍ କମ୍ପାନି ‘ସାଇଜେନିକା’ର ପ୍ରତିଷ୍ଠାତା ନୁସରତ୍ ସଂଘମିତ୍ରାଙ୍କ କାହାଣୀ  

କ୍ୟାନସର ଚିକିତ୍ସାର ଏକ ପୁରୁଣା ପଦ୍ଧତି ହେଉଛି କେମୋଥେରାପି। କିନ୍ତୁ ଏହି କେମୋଥେରାପିର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ରୋଗୀମାନେ ବହୁ ଯନ୍ତ୍ରଣା ଓ ଅସୁବିଧା ଭୋଗିଥାନ୍ତି। ତା’ର ବଡ଼ କାରଣ ହେଉଛି, କେମୋଥେରାପି ବେଳେ ମଣିଷ ଶରୀରର କ୍ୟାନସରଗ୍ରସ୍ତ ସେଲ୍‌ ବା କୋଷକୁ ମାରିବାକୁ ଯେତିକି ଔଷଧ ଦିଆଯାଏ, ତା’ ଭିତରୁ କିଛି ପରିମାଣର ଔଷଧ ନିର୍ଦ୍ଦିଷ୍ଟ କୋଷ ବାହାରେ ରହିଯାଏ। ଫଳରେ, ଏହି ବିଷାକ୍ତ ପଦାର୍ଥ ଶରୀରର ସୁସ୍ଥ କୋଷକୁ ମଧ୍ୟ ପ୍ରଭାବିତ କରିଥାଏ। କିନ୍ତୁ ଏ ବିଷୟରେ ଗବେଷଣା କରି ସାରା ପୃଥିବୀକୁ ଏବେ ନୂଆ ଆଲୋକ ଦେଖାଇବାକୁ ବାହାରିଛନ୍ତି ଜଣେ ଓଡ଼ିଆ ଝିଅ – ନୁସରତ୍‌।ଏଭଳି ପ୍ରତିଭାବାନ ଯୁବ ଓଡ଼ିଆ ଉଦ୍ୟୋଗୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରସାରିତ ହେଉଛି ମାସିକ ୱେବ୍‌ ସିରିଜ୍‌ – ‘ଷ୍ଟାର୍ଟଅପ୍‌ ଷ୍ଟୋରି’। ଏହାର ଚତୁର୍ଥ ଅଧ୍ୟାୟର ଅତିଥି ହେଉଛନ୍ତି କ୍ୟାନସର ଚିକିତ୍ସା ଲାଗି ଏହି ଯୁଗାନ୍ତକାରୀ ରାସ୍ତା ଖୋଜି ବାହାର କରିଥିବା ତଥା ପୁନେଠାରେ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ କମ୍ପାନି ‘ସାଇଜେନିକା’ର ସିଇଓ ଓ ସିଏସଓ ଡକ୍ଟର ନୁସରତ୍ ଜେ ଏମ୍ ସଂଘମିତ୍ରା। ଜୁଲାଇ ୧ରେ ଓଡ଼ିଶାଲାଇଭ୍‌ର ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ସାକ୍ଷାତକାର ପ୍ରସାରିତ ହେବାକୁ ଯାଉଛି।

ମହିଳା ଉଦ୍ୟୋଗୀ ନୁସରତ୍ ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ଉଦ୍ୟୋଗୀ ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥାକୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।ନୁସରତ୍‌ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରର ଝିଅ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି, ତା’ ବଳରେ କେମୋଥେରାପି ବେଳେ ରୋଗୀର ଅସୁସ୍ଥ କୋଷକୁ ପୂରା ଔଷଧ ପହଞ୍ଚାଯାଇ ପାରିବ। ଫଳରେ, ଶରୀରର ସୁସ୍ଥ କୋଷ ପ୍ରଭାବିତ ହେବ ନାହିଁ। ତା’ ଛଡ଼ା, କେମୋ ଥେରାପି ବେଳେ ଜଣେ ରୋଗୀର ଯେତିକି ପରିମାଣରେ ଔଷଧ ଦରକାର ହେଉଥିଲା, ଏବେ ପ୍ରାୟ ଦଶ ଭାଗରୁ ଭାଗେ ଔଷଧ ଲାଗିବ। ନୁସରତ୍‌ଙ୍କ ଏହି ନୂତନ ଜ୍ଞାନକୌଶଳ ପରୀକ୍ଷା ନିରୀକ୍ଷା ହୋଇ ଆଗାମୀ କିଛି ବର୍ଷ ଭିତରେ କ୍ୟାନସର ଚିକିତ୍ସାରେ ଏକ ବଳିଷ୍ଠ ପ୍ରୟୋଗ ହେବାକୁ ଯାଉଛି।

ଭଦ୍ରକ ଜିଲ୍ଲା ଚରମ୍ପାର ଡଗର ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ପରେ ବାଲେଶ୍ଵର ଜିଲ୍ଲା ସୋର ରାଧାନାଥ ବିଦ୍ୟାପୀଠରେ ତାଙ୍କର ହାଇସ୍କୁଲ ଶିକ୍ଷା। ପରେ ପରେ ଭୁବନେଶ୍ଵର ଓ ବାଲେଶ୍ଵରରେ ଯଥାକ୍ରମେ ଉଚ୍ଚମାଧ୍ୟମିକ ଏବଂ ସ୍ନାତକ ଶିକ୍ଷା। ରସାୟନ ବିଜ୍ଞାନରେ ଯୁକ୍ତ ୩ ପରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ରସାୟନ ବିଜ୍ଞାନରେ ପିଏଚ୍‌ଡି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ବୃତ୍ତି ପାଇ ନିଜର ଉଚ୍ଚତ୍ତର ଶିକ୍ଷା ପରେ ସେ ଆରମ୍ଭ କରିଥିଲେ ତାଙ୍କର ଷ୍ଟାର୍ଟଅପ୍ କମ୍ପାନି ସାଇଜେନିକା।

ନିକଟରେ ଆୟରଲ୍ୟାଣ୍ଡର ଏକ ଫଣ୍ଡ ତାଙ୍କ କମ୍ପାନିରେ ନିବେଶ କରିବା ବିଷୟ ଜାତୀୟ ଖବର ଭାବେ ପ୍ରକାଶ ପାଇଥିଲା। ଭୁବନେଶ୍ଵରରେ ଥିବା କିଟ୍ ଟିବିଆଇରୁ ଯୁବ ଉଦ୍ୟୋଗୀ ଭାବେ ନିଜର ଯାତ୍ରା ଆରମ୍ଭ କରିଥିବା ନୁସରତ୍ ଆଜି ଦେଶ ବିଦେଶରେ କାମ କରୁଥିବା ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନଙ୍କ ମଧ୍ୟରେ ନିଜ ପାଇଁ ଅଲଗା ସ୍ଥାନ ତିଆରି କରିପାରିଛନ୍ତି।ପିଲାଟି ବେଳୁ ଡାକ୍ତର ହେବେ ବୋଲି ସ୍ଵପ୍ନ ଦେଖିଥିଲେ ନୁସରତ୍। କିନ୍ତୁ ତାଙ୍କର ଏ ସ୍ଵପ୍ନ ପୂରା ହୋଇପାରି ନଥିଲା। ହେଲେ ସେଥିରେ ଭାଙ୍ଗି ନଯାଇ କେମେଷ୍ଟ୍ରି ଓ ପରେ ବାୟୋଟେକ୍ନୋଲୋଜି ବିଷୟକୁ ଆୟତ୍ତ କରି ସେ କ୍ୟାନସର ଗବେଷଣା ପାଇଁ ମନ ବଳାଇଥିଲେ। ତାଙ୍କର ପ୍ରତିଭା ଓ ସାଧନା ବଳରେ ଆଜି ସେ ଏତେ କମ ବୟସରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ବିରାଟ ସମ୍ଭାବନା ରୂପେ ଠିଆ ହୋଇଛନ୍ତି।

ନୁସରତ୍‌ଙ୍କ ବାପା ଦିନେ କ୍ୟାନସର ରୋଗରେ ପିଡ଼ିତ ହୋଇଥିଲେ। ବାପାଙ୍କ କଷ୍ଟ ତାଙ୍କ ଭିତରେ ନିଜର ସ୍ଵପ୍ନକୁ ସାକାର କରିବା ପାଇଁ ଅଧିକ ଦୃଢ଼ତା ଆଣିଦେଇଥିଲା। ସେହି ବଳିଷ୍ଠ ଲକ୍ଷ୍ୟର ଏକ ସଫଳ ରୂପ ହେଉଛି ତାଙ୍କର ଷ୍ଟାର୍ଟଅପ୍ କମ୍ପାନି ‘ସାଇଜେନିକା’।

ଓଡ଼ିଶାଲାଇଭ୍ ଷ୍ଟାର୍ଟଅପ୍ ଷ୍ଟୋରି ଚତୁର୍ଥ ସଂସ୍କରଣର ପ୍ରୋମୋ ଭିଡିଓ ଓଡ଼ିଶାଲାଇଭ୍‌ର ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ ନିକଟରେ ପ୍ରସାରିତ ହୋଇଛି। ନୁସରତ୍‌ଙ୍କ ଏହି କାହାଣୀକୁ ସୋସିଆଲ ମିଡିଆରେ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ଉପସ୍ଥାପକ ସୁବ୍ରତ ବାଗ୍‌ଚୀ ଟୁଇଟ୍ କରି ନୁସରତ୍ ସଂଘମିତ୍ରାଙ୍କୁ ଜଣେ ବିଜୟିନୀ ଭାବେ ବର୍ଣ୍ଣନା କରିଛନ୍ତି। ଏଥିସହ ନୁସରତ୍‌ଙ୍କୁ ସେ ଭାରତୀୟ ବାୟୋଟେକ୍ନୋଲୋଜି ଜଗତର ମହାରାଣୀ ଭାବେ ପରିଚିତ କିରଣ ମଜୁମଦାର ସ’ଙ୍କ ସହ ତୁଳନା କରିଛନ୍ତି।

ନୁସରତ୍‌ଙ୍କ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀକୁ ପ୍ରଶଂସା କରିଛନ୍ତି ବାଲେଶ୍ଵର ଜିଲ୍ଲାପାଳ। ନୁସରତ୍‌ଙ୍କୁ ବାଲେଶ୍ୱର ମାଟିର ଗର୍ବ ବୋଲି କହି ତାଙ୍କୁ ଆଗାମୀ ଦିନରେ ଆହୁରି ସଫଳତା ମିଳୁ ବୋଲି ସେ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

‘ଷ୍ଟାର୍ଟଅପ୍‌ ଷ୍ଟୋରି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭ୍‌ରେ ପ୍ରସାରିତ ହେଉଛି ଜଣେ ଜଣେ ସଫଳ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର। ଉପସ୍ଥାପକ ସୁବ୍ରତ ବାଗ୍‌ଚୀ ପ୍ରତିଥର ଜଣେ ନୂଆ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କୁ ଖୋଜି ବାହାର କରିବା ସହିତ ଭିଡିଓ ସାକ୍ଷାତକାର ବେଳେ ତାଙ୍କର ଜୀବନ କାହାଣୀକୁ ସୁନ୍ଦର ଭାବେ ଆବିଷ୍କାର କରିବାକୁ ପ୍ରୟାସ କରୁଛନ୍ତି।

‘ଷ୍ଟାର୍ଟଅପ୍‌ ଷ୍ଟୋରି’ କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ‘ମୋ କଲେଜ’ ଅଭିଯାନ ଏହା ସହିତ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା। ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ରେଡିଓ ଚକ୍‌ଲେଟ୍‌। ରେଡିଓ ନମସ୍କାର, ରେଡିଓ ସୁରଭି ଓ ରେଡିଓ ବୁଲ୍‌ବୁଲ୍‌ ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି।

ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ ଏବଂ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହୋଇ ଏକ ବୃହତ୍ତର ପାଠକଙ୍କ ପାଖରେ ପହଞ୍ଚିପାରୁଛି।

Comment