ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ଵରରେ ଜି-୨୦ ଡିଜିଟାଲ ଇନୋଭେସନ କାର୍ଯ୍ୟକ୍ରମ
  • ଭାରତର ବିକାଶରେ ଡିଜିଟାଲ କ୍ରାନ୍ତିର ଅବଦାନ ସମ୍ପର୍କରେ ବିଶେଷ ଅଲୋଚନା
  • ଡିଜିଟାଲ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ଵ

ଭୁବନେଶ୍ଵରରେ ଆୟୋଜିତ ହୋଇଯାଇଛି ଜି-୨୦ ଡିଜିଟାଲ ଇନୋଭେସନ କାର୍ଯ୍ୟକ୍ରମ। ଗୁରୁବାର କିଟ୍ ବିଶ୍ଵବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। କିଟ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଜି-୨୦ ଡିଜିଟାଲ ଇନୋଭେସନ ଆଲାଏନ୍ସ (ଡିଆଇଏ) ଓ କିଟ୍-ଟିବିଆଇ ମିଳିତଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଏହି କାର୍ଯକ୍ରମରେ ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଷ୍ଟାର୍ଟଅପ୍ ଉଦ୍ୟୋଗୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ବାଣିଜ୍ୟ ତଥା ଶିଳ୍ପ ସହ ଜଡ଼ିତ ଅନେକ ଅଂଶୀଦାର ଯୋଗ ଦେଇଥିଲେ। ଭାରତର ବିକାଶରେ ଡିଜିଟାଲ କ୍ରାନ୍ତିର ଅବଦାନକୁ ନେଇ ଏହି କାର୍ଯକ୍ରମରେ ଚର୍ଚ୍ଚା କରଯାଇଥିଲା।

ଭାରତ ସମେତ ଜି-୨୦ ଦେଶଗୁଡ଼ିକରେ କାର୍ଯ୍ୟ କରୁଥିବା ଡିଜିଟାଲ ଷ୍ଟାର୍ଟଅପମାନଙ୍କୁ କିଭଳି ଆର୍ଥିକ ସହାୟତା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଦିଆଯାଇପାରିବ ସେ ବିଷୟରେ କାର୍ଯ୍ୟକ୍ରମରେ ଅଲୋଚନା କରାଯାଇଥିଲା। ଏଠାରେ ଡିଜିଟାଲ ଇନୋଭେସନ ଆଲାଏନ୍ସର ଏକ ଇମ୍ପାକ୍ଟ ରିପୋର୍ଟକୁ ଉନ୍ମୋଚନ କରଯାଇଥିଲା।

“ଆଜି ଆମ ରାଜ୍ୟ ତଥା ଦେଶରେ ନୂଆ ନୂଆ ଷ୍ଟାର୍ଟଅପ୍ ବାହାରୁଛନ୍ତି। ଆଜିର ପିଲାମାନେ ମଧ୍ୟ ଷ୍ଟାର୍ଟଅପ୍ ଆରମ୍ଭ କରିବା ପାଇଁ ଅଧିକ ଆଗ୍ରହୀ ହେଉଛନ୍ତି। ସେମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଦିଆଗଲେ ଆଗକୁ ଯାଇ ସେମାନେ ବଡ଼ କମ୍ପାନିରେ ପରିଣତ ହେବେ। କିଟ୍-ଟିବିଆଇ ଏ ପର୍ଯ୍ୟନ୍ତ ୩୮୦ ଷ୍ଟାର୍ଟଅପଙ୍କୁ ଆଗକୁ ବଢ଼ିବାରେ ସହାୟତା କରିଛି। ମୋର ବିଶ୍ଵାସ ଆଗକୁ ଆସୁଥିବା ଜି-୨୦ ଡିଜିଟାଲ ଇନୋଭେସନ ସମ୍ମିଳନୀରେ ଓଡ଼ିଶାର ଷ୍ଟାର୍ଟଅପମାନେ ବହୁତ କିଛି ଶିଖିବାକୁ ପାଇବେ”, କହିଛନ୍ତି ଅଚ୍ୟୁତ ସାମନ୍ତ।

ଭାରତରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଆର୍ଥିକ, ଡିଜିଟାଲ ତଥା ସାଇବର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପମାନଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମରେ ଏକ ଅଲୋଚନା ଚକ୍ରର ଆୟୋଜନ କରଯାଇଥିଲା। ଏଥିରେ ଷ୍ଟାର୍ଟଅପମାନଙ୍କ ଉନ୍ନତି ପାଇଁ ଅବଶ୍ୟକଥିବା ବିଭିନ୍ନ ବିଭାଗର ସହଭାଗିତା ତଥା ମିଳିତ ଉଦ୍ୟମ ଉପରେ ଚର୍ଚ୍ଚା କରଯାଇଥିଲା।

ଅନ୍ୟପଟେ ଭାରତର ଡିଜିଟାଲ ଅଗ୍ରଗତି କିଭଳି ଆମ ସମାଜର ଉନ୍ନତିରେ ସହାୟକ ହେଉଛି ସେ ବିଷୟରେ ଅଲୋଚନା କରାଯାଇଥିଲା। ଡିଜିଟାଲ କ୍ରାନ୍ତି ଦ୍ଵାରା ବିଶେଷକରି ଭାରତର ଛୋଟ ସହରଗୁଡ଼ିକରେ ଆସିଥିବା ପରିବର୍ତ୍ତନ ସମ୍ବନ୍ଧରେ ଅତିଥିମାନେ କହିଥିଲେ।

“ଡିଜିଟାଲ କ୍ରାନ୍ତି ହିଁ ଭବିଷ୍ୟତରେ ବିଭିନ୍ନ ଦେଶର ଆର୍ଥିକ ପ୍ରଗତିର ସାଧନ ହେବ। ଭାରତରେ ଏବେ ଡିଜିଟାଲ ଯୁଗ ଆରମ୍ଭ ହୋଇଛି। ଏବେ ଆଧାର, ୟୁପିଆଇ ଭଳି ସେବା ଭାରତର ପ୍ରାୟ ସବୁ କ୍ଷେତ୍ରକୁ ସୁବିଧା ଯୋଗାଉଛି। ଏବେ ଆମ ଦେଶରେ ଡିଜିଟାଲ କ୍ଷେତ୍ରରେ ଉନ୍ନତି ହୋଇଥିଲେ ମଧ୍ୟ ଆଗକୁ ଏଥିରେ ଆହୁରି ବିକାଶ କରିବାକୁ ପଡ଼ିବ”, କହିଛନ୍ତି ମେଇଟି ଷ୍ଟାର୍ଟଅପ୍ ହବର ସିଇଓ ଜିତ ବିଜୟ। 
ଏହି କାର୍ଯ୍ୟକ୍ରମରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ପୂର୍ବତନ ସଚିବ ଏଚ୍ କେ ମିତ୍ତଲ, କିଟ୍-ଟିବିଆଇର ସିଇଓ ଡକ୍ଟର ମୃତ୍ୟୁଞ୍ଜୟ ସୁଆର, ଆଇଆଇଟି ଭୁବନେଶ୍ଵରର ନିର୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଳକର, ତତ୍ତ୍ଵ ଟେକ୍ନୋଲୋଜିର ପ୍ରତିଷ୍ଠାତା ଅୟସକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

୨୦୨୩ ବର୍ଷ ପାଇଁ ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରୁଛି। ଜି-୨୦ ସମ୍ମିଳନୀ ଅବସରରେ ଅଗଷ୍ଟ ମାସରେ ବେଙ୍ଗାଳୁରୁଠାରେ ଡିଜିଟାଲ ଇନୋଭେସନ ସମିଟର ଆୟୋଜନ ହେବ। ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ପକ୍ଷରୁ ଏହାର ଆୟୋଜନ କରାଯିବ।

Tags: #G-20Digitalinnovationprogramme #DigitalinnovationAlliance #G-20Summit2023 #KIIT-TBI #DigitalStartups

Comment