ଓଡ଼ିଶାଲାଇଭ୍ ବ୍ୟୁରୋ 

ପ୍ରତିଭାବାନ ଯୁବ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରସାରିତ ହେଉଛି ମାସିକ ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’। ଏହାର ପଞ୍ଚମ ଅଧ୍ୟାୟର ଅତିଥି ଥିଲେ ନୋଏଡ଼ାଠାରେ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ କମ୍ପାନି ‘ଫାର୍ ଆଇ’ର ସହ ପ୍ରତିଷ୍ଠାତା ତଥା ସିଓଓ ଗୌତମ କୁମାର। ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଫେସବୁକ୍ ପେଜରେ ଏହି ଭିଡିଓ ସାକ୍ଷାତକାର ପ୍ରସାରିତ ହୋଇଛି।

ଯୁବ ଉଦ୍ୟୋଗୀ ଗୌତମ କୁମାର ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ଉଦ୍ୟୋଗୀ ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥାକୁ ଖୋଜି ବାହାରକରି ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।ଗୌତମ କୁମାର ଦେଶର ଷ୍ଟାର୍ଟଅପ୍ ଗ୍ୟାଲାକ୍ସିର ଜଣେ ସାଇନିଙ୍ଗ ଷ୍ଟାର୍। ଭୁବନେଶ୍ଵରସ୍ଥିତ କିଟ୍‌ ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟରିଂ ଆଉ ପରେ କିଟ୍ ଟିବିଆଇରୁ ନିଜର ଷ୍ଟାର୍ଟଅପ୍‌ର ଯାତ୍ରା ଆରମ୍ଭ କରିଥିଲେ ଗୌତମ କୁମାର। ଦୁଇଜଣ ସହଯୋଗୀଙ୍କ ସହ ମିଶି ୨୦୧୩ ମସିହାରେ ଆରମ୍ଭ କରିଥିଲେ ଷ୍ଟାର୍ଟଅପ୍ କମ୍ପାନି ‘ଫାର୍ ଆଇ’। ଓଡ଼ିଶାରୁ ବିକଶିତ ଏହି କମ୍ପାନି ଏବେ ଭାରତ ସହିତ ସାରା ବିଶ୍ଵରେ ଖ୍ୟାତି ଅର୍ଜନ କରିପାରିଛି।

ଗତ କିଛି ବର୍ଷ ମଧ୍ୟରେ ଭାରତରେ ଇ-କମର୍ସ ଡେଲିଭରିର ବ୍ୟାପକ ବିକାଶ ହୋଇପାରିଛି। ଆଜିର ଦିନରେ ବେଶ୍ ସହଜରେ ଆମେ ବିଭିନ୍ନ ଇ-କମର୍ସ ସାଇଟ୍‌ରୁ ଅର୍ଡର କରିପାରୁଛେ ଏବଂ ତାହା ଆମ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ତାର ସିପମେଣ୍ଟ ଡିଟେଲ୍‌ସ, ସେ ପ୍ରଡକ୍ଟର ନିର୍ମାତା କିଏ, କେବେ ତାହା ଆମ ପାଖରେ ପହଞ୍ଚିବ, କିଏ ପହଞ୍ଚାଇବ ଏସବୁ କିଛିକୁ ଟ୍ରାକ୍ କରିପାରୁଛେ। ଗୌତମଙ୍କ ଷ୍ଟାର୍ଟଅପ୍‌ ‘ଫାର୍ ଆଇ’ ଏ କ୍ଷେତ୍ରରେ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ଆଗଧାଡ଼ିର କମ୍ପାନି ଭାବେ ଠିଆ ହୋଇଛି।‘ଷ୍ଟାର୍ଟଅପ୍‌ ଷ୍ଟୋରି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭ୍‌ରେ ପ୍ରସାରିତ ହେଉଛି ଜଣେ ଜଣେ ସଫଳ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ବିଶେଷ ସାକ୍ଷାତକାର। ଏହା ପଛର ଅନ୍ୟ ଏକ ଆକର୍ଷଣ ହେଉଛନ୍ତି ଆଧୁନିକ ଶିଳ୍ପ ଜଗତରେ ଯୁବପିଢ଼ିଙ୍କ ପ୍ରେରଣା ସୁବ୍ରତ ବାଗ୍‌ଚୀ। ପ୍ରତିଥର ସେ ଜଣେ ନୂଆ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କୁ ଖୋଜି ବାହାର କରିବା ସହିତ ଭିଡିଓ ସାକ୍ଷାତକାର ବେଳେ ସେମାନଙ୍କ ଜୀବନ କାହାଣୀକୁ ସୁନ୍ଦର ଭାବେ ଆବିଷ୍କାର କରିବାକୁ ପ୍ରୟାସ କରୁଛନ୍ତି।

ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ। ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ‘ମୋ କଲେଜ’ ଅଭିଯାନ ଏହା ସହିତ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା।

ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ରେଡିଓ ଚକ୍‌ଲେଟ୍‌। ରେଡିଓ ନମସ୍କାର, ରେଡିଓ ସୁରଭି ଓ ରେଡିଓ ବୁଲ୍‌ବୁଲ୍ ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି। ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ ଏବଂ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହୋଇ ଏକ ବୃହତ୍ତର ଦର୍ଶକ ଓ ପାଠକଙ୍କ ପାଖରେ ପହଞ୍ଚିପାରୁଛି।

Comment