ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଘରର ଝିଅ ନୁସରତ୍ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି, ତାହା ଆଗାମୀ କିଛି ବର୍ଷ ଭିତରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ, ସାରା ପୃଥିବୀରେ, ଏକ ବଳିଷ୍ଠ ପ୍ରୟୋଗ ହେବାକୁ ଯାଉଛି। ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ଓ୍ଵେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଏକ ସାକ୍ଷାତକାରରେ ଏହି ଯୁବ ଉଦ୍ୟୋଗୀଙ୍କ କାହାଣୀ ସ୍ଥାନ ପାଇଛି।
ଓଡ଼ିଶାର ଗୋଟିଏ ସାଧାରଣ ମଧ୍ୟବିତ୍ତ ପରିବାରର ଝିଅ। ମଧ୍ୟବିତ୍ତ କହିଲେ ବି, ସହରର ଝିଅ ନୁହନ୍ତି ଆପଣ। ଆପଣଙ୍କ ବାପା ଭାରତୀୟ ଖାଦ୍ୟ ନିଗମର ଜଣେ କର୍ମଚାରୀ ହିସାବରେ ଓଡ଼ିଶାର ବିଭିନ୍ନ ମଫସଲ ଜାଗାରେ ଆପଣଙ୍କୁ ବଢ଼େଇଛନ୍ତି। ଆପଣଙ୍କର ପ୍ରଥମ ସ୍କୁଲଟି ହେଲା ଭଦ୍ରକ ଚରମ୍ପାର ଡଗରସାହି ଉଚ୍ଚପ୍ରାଥମିକ ସ୍କୁଲ ଏବଂ ପରବର୍ତ୍ତୀ କାଳରେ, ସମ୍ବଲପୁରର ନଟବର ମାଧ୍ୟମିକ ସ୍କୁଲ ଏବଂ ତା’ପରେ ପୁଣି ବାଲେଶ୍ୱରର ସୋର। ଏହି ପରିବେଶରୁ ଆପଣ ଯେଉଁଠି ଆଜି ପହଞ୍ଚିଛନ୍ତି, ସେ କଥା ପରେ ହେବା। କିନ୍ତୁ, ଆଗ କହନ୍ତୁ, ଆପଣଙ୍କ ନାଁଟି ପଛରେ କ’ଣ କାହାଣୀ ରହିଛି? ଏତେ ସୁନ୍ଦର ନାଁ କିଏ ଦେଇଥିଲା?
ମୋ ବାପା ମା’ଙ୍କର ମୁଁ ପ୍ରଥମ ସନ୍ତାନ। ତେଣୁ ମୋ ନାଁଟି କ’ଣ ଦିଆହେବ ସେ ନିଷ୍ପତ୍ତିରେ ସମସ୍ତେ ମିଶିଯାଇଥିଲେ। ମା’ କହିଲେ ନୁସରତ୍ – ଊର୍ଦ୍ଦୁରେ ଏହାର ଅର୍ଥ, ଯିଏ ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଏ, ଆରବିକ୍ ଭାଷାରେ ଶବ୍ଦଟିର ଅର୍ଥ ଯିଏ ବିଜୟିନୀ। ଆମ ପରିବାରର ଧର୍ମଗୁରୁ କହିଲେ, ନାଁଟିରେ ରହିବ ‘ମୋବାସ୍ରା’ ଅର୍ଥାତ ଯିଏ ସବୁବେଳେ ଶୁଭ ସୂଚନା ଆଣିଥାଏ। ବାପା କହିଲେ ସଂଘମିତ୍ରା। ସମ୍ରାଟ ଅଶୋକଙ୍କର ଝିଅ ଯିଏ ସାରା ବିଶ୍ୱରେ ବୌଦ୍ଧ ଧର୍ମ ପ୍ରଚାର କରି, ମଣିଷକୁ ସ୍ନେହ ଏବଂ ଭଲପାଇବାରେ ବାନ୍ଧିଥିଲେ।
ଆମ ଘରେ ସବୁ ଧର୍ମର ସମନ୍ୱୟ ଥିଲା। ଯଦିଓ ଆମେ ଅହମଦିଆ ମୁସଲିମ୍ ଧର୍ମ ପାଳନ କରୁ, ଘରେ ଭାଗବତ ଗୀତା, ବେଦ, ବାଇବେଲ ଆଦି ଧର୍ମଗ୍ରନ୍ଥର ସ୍ଥାନ ଥିଲା, ଚର୍ଚ୍ଚା ହେଉଥିଲା। ଗାୟତ୍ରୀ ମନ୍ତ୍ର ଏବଂ ଓମ୍ ଶବ୍ଦର ମାହାତ୍ମ୍ୟ ମୁଁ ପିଲାଟି ଦିନୁ ବାପାଙ୍କଠାରୁ ଜାଣିପାରିଲି।ଓଡ଼ିଆ ସ୍କୁଲରେ ପାଠ ପଢ଼ିଛନ୍ତି। ଡଗର ସାହି, ନଟବର ସ୍କୁଲର ମୂଳଦୁଆ ପରେ ଜୀବନ ଆପଣଙ୍କୁ କେଉଁଠିକି ନେଇଥିଲା?
ସ୍କୁଲ ସରିବା ପରେ, ଭୁବନେଶ୍ୱର ବେସିକ୍ ସାଇନ୍ସ କଲେଜରେ ଯୁକ୍ତ ୨ ଶିକ୍ଷା। ପରେ ମୁଁ ବାଲେଶ୍ୱରରେ ଫକୀରମୋହନ କଲେଜରେ ଯୁକ୍ତ ୩ ବିଜ୍ଞାନରେ ନାଁ ଲେଖାଇଲି। ମୋର ବହୁତ ଇଚ୍ଛାଥିଲା, ଡାକ୍ତରଟିଏ ହେବି, ରୋଗୀ ସେବା କରିବି। କିନ୍ତୁ ଉପଯୁକ୍ତ ଭାବରେ କୋଚିଙ୍ଗ୍ ପାଇପାରିଲି ନାହିଁ। ମନରେ କଷ୍ଟ ଆସିଥିଲା। କିନ୍ତୁ ତା’ରି ଭିତରେ ମତେ କେମେଷ୍ଟ୍ରି ପାଠ ପ୍ରତି ଆଗ୍ରହ ଆସିଲା। ମନ ପ୍ରାଣ ଦେଇ କେମେଷ୍ଟ୍ରି ବିଜ୍ଞାନ ପଢ଼ିଲି।
ବିଏସ୍ସି ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ ସରିଲା। ବାଣୀବିହାରର କେମେଷ୍ଟ୍ରି ବିଭାଗର ପାଠପଢ଼ା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ସେଠି ପଢ଼ିବା ବେଳେ ମନ ସ୍ଥିର କରିଥିଲି ଏମଏସ୍ସି ପରେ ଭାରତର ସର୍ବଶ୍ରେଷ୍ଠ ଶିକ୍ଷା ଓ ଗବେଷଣା ଅନୁଷ୍ଠାନରେ ଡକ୍ଟରେଟ୍ ପାଇଁ ଆବେଦନ କରିବି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ (ଆଇ.ଆଇ.ଏସ୍.ସି)ରେ ଗବେଷଣା କରିବାର ସୌଭାଗ୍ୟ ମିଳିଲା ଏବଂ ସେଇଠି ଶ୍ରେଷ୍ଠ ବୈଜ୍ଞାନିକ, ଗବେଷକଙ୍କ ସହିତ କାମ କରି ମୁଁ ଏକ ଭିନ୍ନ ଜଗତର ସ୍ୱାଦ, ସ୍ପର୍ଶ ପାଇଲି। ଆଖିରୁ ଡାକ୍ତର ନ ହେବାର ନିରାଶାତକ ଅପସରି ଗଲା। ସ୍ୱପ୍ନ ଦେଖିଲି ବାୟୋଟେକ୍ନୋଲୋଜି ଦୁନିଆର।ଆପଣଙ୍କୁ ଦେଖି ମୋ ମନକୁ ଆଉ ଜଣେ ଶ୍ରେଷ୍ଠ ମହିଳାଙ୍କ ଉଦାହରଣ ଆସିଯାଉଛି। ଦୁଇଜଣଙ୍କର ଜୀବନରେ ଅସାଧାରଣ ସାମଞ୍ଜସ୍ୟ ଦେଖିପାରୁଛି। ସେଇ ଜଣକ ହେଲେ ଶ୍ରୀମତୀ କିରନ ମଜୁମ୍ଦାର ସ’। ଆପଣ ଦୁଇ ଜଣଙ୍କ ପରିବାରରେ ଆପଣଙ୍କ ଆଗରୁ କେହି ଉଦ୍ୟୋଗୀ ନଥିଲେ। ଆପଣଙ୍କ ପରି କିରନ ଚାହିଁଥିଲେ ଡାକ୍ତରୀ ପଢ଼ିବେ। ମେରିଟ୍ ସିଟ୍ ଅଳ୍ପକେ ରହିଗଲା। ନିରାଶ ନ ହୋଇ ମାଇକ୍ରୋ ବାୟୋଲୋଜି ଶିଖିଲେ। ପାଠ ସରିବା ପରେ ଚାକିରି ଚେଷ୍ଟାରେ ଥିଲା ବେଳେ, ଗୋଟିଏ ଆଇରିସ୍ ଅର୍ଥାତ୍ ଆୟାରଲ୍ୟାଣ୍ଡର ସଂସ୍ଥା, ବାୟୋକନ୍ ସାଙ୍ଗରେ ସମ୍ପୃକ୍ତ ହୋଇ ହଠାତ୍ ବାୟୋଟେକ୍ନୋଲୋଜିର ପୃଥିବୀକୁ ଆସିଲେ; ଠିକ୍ ଯେପରି ଆପଣ ଆୟାରଲ୍ୟାଣ୍ଡର ଗବେଷଣାଗାର, ବିଭିନ୍ନ ଆଗଧାଡ଼ିର ସଂସ୍ଥା ସାଙ୍ଗରେ ଯୋଡ଼ି ହୋଇପାରିଛନ୍ତି। ଏତଦ୍ବ୍ୟତୀତ ରହିଛି ଆହୁରି ଏକ ସାମଞ୍ଜସ୍ୟ ଆଉ ସେଇଟି ହେଲା, କ୍ୟାନସର। କିରନଙ୍କ ସବୁଠାରୁ ବଡ଼ ସ୍ୱପ୍ନ ଥିଲା, ଭାରତବର୍ଷରେ ତିଆରି ପ୍ରଥମ କ୍ୟାନସର ଔଷଧ ତାଙ୍କର କମ୍ପାନିର ଲ୍ୟାବରୁ ବାହାରିବ। ଆପଣ ପାଠ ସାରି, ଗବେଷଣା ସାରି ଯେତେବେଳେ ଓଡ଼ିଶା ଫେରିଲେ, ଆପଣ ମଧ୍ୟ ଠିକ୍ କରିନେଲେ, ବାୟୋଟେକ୍ନୋଲୋଜିରେ, ନିଜର ଷ୍ଟାର୍ଟଅପ୍ ଠିଆ କରିବେ ଯାହା କର୍କଟ ରୋଗର ଚିକିତ୍ସା ଓ ଉପଶମରେ ଏକ ଭିନ୍ନ ଅଧ୍ୟାୟ ସୃଷ୍ଟି କରିବ। କ୍ୟାନସରର ପ୍ରତିକାର ହିଁ କାହିଁକି ଆପଣଙ୍କୁ ଟାଣିଲା?
ମୁଁ ପାଠ ପଢ଼ିଲା ବେଳେ, ବାପା କ୍ୟାନସରଗ୍ରସ୍ତ ହୋଇଥିଲେ। ଆମ ପରିବାର ପାଇଁ ଏଇଟା ଥିଲା ଗୋଟିଏ ବିରାଟ ବଡ଼ ଧକ୍କା। ମୁଁ ପ୍ରଥମେ ଭାଙ୍ଗି ପଡ଼ିଥିଲି। କିନ୍ତୁ ତା’ରି ଭିତରେ ମୋ ମାନସପଟରେ ପରିଷ୍କାର ଲେଖା ହୋଇଗଲା ମତେ କେମେଷ୍ଟ୍ରିର ଜ୍ଞାନକୁ ସମ୍ବଳ କରି କ୍ୟାନସର୍ ଚିକିତ୍ସାର ଏକ ନୂଆ ରାସ୍ତା ବାହାର କରିବାକୁ ପଡ଼ିବ। ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ବାୟୋଟେକ୍ ଇନକ୍ୟୁବେଟରରେ କାମ ଆରମ୍ଭ ହେଲା। ସେଠିକାର ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ବିଶେଷ ଭାବରେ ଉତ୍ସାହିତ କରିଥିଲେ। ସାହାଯ୍ୟ କରିଥିଲେ। ସେଇଠି ପ୍ରଥମ ପାଦ ରଖିଲା ‘ସାଇଜେନିକା’।
ପରବର୍ତ୍ତୀ ସମୟରେ ସାଇଜେନିକାକୁ ପୁନେରେ ସ୍ଥାନାନ୍ତରିତ କରି କାମ ବଢ଼ାଇଲି। ମୁଁ ଯେଉଁ କ୍ଷେତ୍ରରେ କାମ କରୁଛି, ସେଥିରେ ଦୁଇଟି ଜିନିଷର ବିଶେଷ ଆବଶ୍ୟକତା ରହିଛି। ପ୍ରଥମଟି ହେଲା, ଅତି ସୂକ୍ଷ୍ମ ବିଶ୍ଳେଷଣ କରିପାରୁଥିବା ଅତ୍ୟାଧୁନିକ ମେସିନ୍ ଏବଂ ଦ୍ୱିତୀୟଟି ହେଲା ଉଚ୍ଚକୋଟୀର ବୈଜ୍ଞାନିକ ମାନବ ସମ୍ବଳ। ଗୋଟିଏ ସ୍ତରରେ ପହଞ୍ଚିବା ପରେ ସାଇଜେନିକାକୁ ବିଶ୍ୱ ମାନର କରିବା ଲାଗି ପୁନେ ଆସିବାକୁ ପଡ଼ିଥିଲା। ଏଥର କହେ ସାଇଜେନିକା ବିଷୟରେ।
କ୍ୟାନସର ଏକ ଅତ୍ୟନ୍ତ ଦୁରୂହ ବ୍ୟାଧି। ଏହାର ଉପଶମ ପାଇଁ ଆମେ କେମୋଥେରାପି ବ୍ୟବହାର କରିଥାଉ। କେମୋଥେରାପିର ଅନ୍ୟ ଅନେକ କୁଫଳ ରହିଥାଏ। ଆଜିର କ୍ୟାନସର ଚିକିତ୍ସାରେ କେମୋ କେବଳ କର୍କଟ ରୋଗାକ୍ରାନ୍ତ କୋଷ ବା ସେଲ୍ମାନଙ୍କୁ ଧ୍ୱଂସ କରେ ତା ନୁହେଁ, ଏହି ଯୁଦ୍ଧରେ ସୁସ୍ଥ ସେଲମାନଙ୍କୁ ମଧ୍ୟ ଧ୍ୱଂସ କରିଥାଏ। ଏଥିପାଇଁ ସାଇଜେନିକା ତିଆରି କରୁଛି ଏପରି ଏକ ସୂକ୍ଷ୍ମ ଯନ୍ତ୍ର ଯାହା ଅତ୍ୟନ୍ତ କମ୍ ମାତ୍ରାରେ କେମୋ ବ୍ୟବହାର କରିବ ଏବଂ କେମୋ ଔଷଧକୁ ଠିକ୍ ରୋଗଗ୍ରସ୍ତ ସେଲ୍ର ବାହ୍ୟ ଆବରଣକୁ ଭେଦ କରି ଭିତରକୁ ନେଇଯିବ। ଏହା ଫଳରେ ଚିକିତ୍ସା ଅଧିକ ଫଳପ୍ରଦ ହେବା ସହିତ ରୋଗୀଙ୍କର କଷ୍ଟ ବହୁମାତ୍ରାରେ ଲାଘବ ହୋଇପାରିବ, ଖର୍ଚ୍ଚ ମଧ୍ୟ କମ୍ ହେବ।ସାଇଜେନିକା ଆଜି ଗୋଟିଏ ସଫଳ ଷ୍ଟାର୍ଟଅପ୍ ଭାବେ ଆନ୍ତର୍ଜାତିକ ଧ୍ୟାନ ଆକର୍ଷଣ କରପାରିଛି। ଆପଣଙ୍କ ଉପଦେଷ୍ଟା ବୋର୍ଡରେ ନୋବେଲ୍ ପୁରସ୍କାର ବିଜେତା ଖ୍ୟାତାନାମା ବୈଜ୍ଞାନିକଙ୍କଠାରୁ ଆରମ୍ଭକରି ବଡ଼ ବଡ଼ ଭେଞ୍ଚର କ୍ୟାପିଟାଲିଷ୍ଟ ରହିଛନ୍ତି। ଏତେ ଆଗକୁ ଚାଲିଯାଇଥିବା ଡଗରସାହିର ଝିଅଟିର ଚଲାପଥରେ ଅନେକ ବାଧା ଆସିଥିବ?
ହଁ, ପ୍ରଥମରୁ ମୋ ନିଜ ପରିବାରର ସଦସ୍ୟମାନଙ୍କୁ ଅନେକ ବୁଝାଇବାକୁ ପଡ଼ିଥିଲା। ଆମ ସମାଜରେ ଷ୍ଟାର୍ଟଅପ୍ ଜିନିଷଟି କ’ଣ ତାହା ଅଧିକାଂଶଙ୍କର ଧାରଣା ବହିର୍ଭୁତ। ସମସ୍ତେ ଭାବନ୍ତି, ପାଠ ପଢ଼ିଲ, ଏଥର ଚାକିରିଟିଏ କର। ଏବେ ଅବଶ୍ୟ ମୋ ପରିବାରର ସମସ୍ତଙ୍କର ସମ୍ପୂର୍ଣ୍ଣ ସମର୍ଥନ ରହିଛି। କିନ୍ତୁ ନିଜ ପରିବାରର ପରିଧି ବାହାରେ, ଜଣେ ଷ୍ଟାର୍ଟଅପ୍ ଏଣ୍ଟରପ୍ରେନିଅର୍ ଭାବରେ ଅନେକ ବାଧା, ଅନେକ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡ଼େ। ଅନେକ ବ୍ୟକ୍ତି ସାହାଯ୍ୟର ହାତ ନ ବଢ଼ାଇ ବରଂ ହତୋତ୍ସାହିତ କରିଥାନ୍ତି।
ଏମିତି ଥରେ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ, ଧନ୍ୟାଢ଼୍ୟ ବ୍ୟକ୍ତି ମତେ ସିଧାସଳଖ କହିଥିଲେ, “ଆପଣଙ୍କୁ ସଫଳତା ପାଇବାକୁ ହେଲେ ତିନୋଟି ବିରାଟ ବଡ଼ ଚ୍ୟାଲେଞ୍ଜ ସାଙ୍ଗରେ ଲଢ଼ିବାକୁ ହେବ। ପ୍ରଥମତଃ ଆପଣ ଜଣେ ଝିଅ। ଦ୍ୱିତୀୟତଃ ଆପଣଙ୍କ ମୁଣ୍ଡରେ ରହିଛି ହିଜାବ୍ ଏବଂ ତୃତୀୟତଃ ଆପଣ ଗୋଟିଏ ତୃତୀୟ ବିଶ୍ୱରେ ଅଟକି ପଡ଼ିଥିବା ଦେଶରୁ ଆସିଛନ୍ତି। ତାଙ୍କର କଥାଟି ମତେ ବାଧିଥିଲା, କିନ୍ତୁ ସେଥିରୁ ଆତ୍ମପ୍ରତ୍ୟୟ ଆସିଥିଲା, ତାଙ୍କର ଏହି ଉକ୍ତିକୁ ଦିନେ ନା ଦିନେ ହାର ମନେଇବ ସାଇଜେନିକା।ଜଣେ ଷ୍ଟାର୍ଟଅପ୍ ଉଦ୍ୟୋଗୀର ଜୀବନରେ ଅନେକ ହାଲ୍କା ମୁହୂର୍ତ୍ତ ମଧ୍ୟ ରହିଥାଏ, ଯାହାର ସ୍ମୃତି ଓଠରେ ହସ ଖେଳାଇଦିଏ। ଏହିପରି ଘଟଣାଟିଏ କହନ୍ତୁ।
ଥରେ ଫ୍ଲାଇଟ୍ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ଅପେକ୍ଷା କରିଥିଲି। ପାଖରେ ଜଣେ ଶିକ୍ଷିତ ବ୍ୟକ୍ତି ବସିଥିଲେ। ମୁଁ କେଉଁଠି ଯାଉଛି, କ’ଣ କରେ, ଏହି ସବୁ କଥା ପଚାରିଲେ। ମୁଁ କହିଲି, ଆଇ.ଆଇ.ଏସ୍.ସିରୁ ଡକ୍ଟରେଟ୍ ସାରି ନିଜର କିଛି କରିବାର ପରିକଳ୍ପନା କରୁଛି। ଭଦ୍ରବ୍ୟକ୍ତି ଦୁଃଖ ପ୍ରକାଶ କରି କହିଲେ, “ଆଇ.ଆଇ.ଏସ୍.ସିରେ ଡକ୍ଟରେଟ୍ କରି ମଧ୍ୟ ଚାକିରି ଖଣ୍ଡେ ପାଇପାରିଲେ ନାହିଁ”?ଓଡ଼ିଶା ମା’ର କୋଳରେ ବଢ଼ୁଥିବା ଆସନ୍ତାକାଲିର ହଜାର ହଜାର ନୁସରତ୍ ସଂଘମିତ୍ରାଙ୍କ ପ୍ରତି ଆପଣଙ୍କର କ’ଣ ସନ୍ଦେଶ ରହିବ?
ଆତ୍ମବିଶ୍ୱାସ ରଖିବ। ସ୍ୱପ୍ନ ଦେଖିବ। ନିରୁତ୍ସାହିତ କରୁଥବା ବ୍ୟକ୍ତିମାନଙ୍କୁ ଧୀରତାର ସହିତ, ନିଜର ଉତ୍କର୍ଷ ବଳରେ ଉଚିତ ଜବାବ ଦେବ। ଜୀବନରେ ଯେ କୌଣସି କର୍ମକ୍ଷେତ୍ରକୁ ଆପଣାର କର, କିନ୍ତୁ ସେଥିରେ ମାନବ ସେବାର ଅଭିପ୍ସା ରହିବା ଦରକାର। ସମସ୍ତେ ଯେମିତି ଦିନେ କହିବେ, ଆପଣଙ୍କ ଯୋଗୁଁ ଆମ ଜୀବନ ପ୍ରଭାବିତ ହୋଇପାରିଛି। ଆପଣଙ୍କ ଅବଦାନ ଯୋଗୁଁ ଆମେ ଉପକାର ପାଇଛୁ। ହଁ, ଏଥିପାଇଁ ଆମେ ସର୍ବଦା ମନେ ରଖିବାକୁ ହେବ, ଜୀବନରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ ହିଁ ଏକମାତ୍ର ଉପାୟ।
Tags: StartupStory #NusratSanghamitra #StartupOdisha #Cancer