ଅଭିଷେକ ରାୟ

(ଭୁବନେଶ୍ୱର): ଓଡ଼ିଶାର ଷ୍ଟାର୍ଟଅପ୍ ଶିଳ୍ପ କ୍ଷେତ୍ରରେ ଆଜି ଅନେକ ସମ୍ଭାବନା ଦେଖିବାକୁ ମିଳୁଛି। ବିଶେଷକରି ଯୁବପିଢ଼ି ଉଦ୍ୟୋଗ ଜଗତରେ ପାଦ ଦେବାକୁ ଆଗେଇ ଆସିବା ସହ ବିଭିନ୍ନ ଅଭିନବ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରୁଛନ୍ତି। ପାରମ୍ପରିକ ଉଦ୍ୟୋଗ ଛଡ଼ା ଏବେ ଅତ୍ୟାଧୁନିକ ଓ ବୈଷୟିକ ବିଷୟରେ ଅଧିକରୁ ଅଧିକ ଷ୍ଟାର୍ଟଅପ୍ ସୃଷ୍ଟି ହେଉଛି। ବିଶେଷକରି, ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି ଆଇଟି ଓ ଆଇଟିଇଏସ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟସେବା, ବାୟୋ ଟେକ୍ନୋଲୋଜି ଏବଂ ଫିନଟେକ ଇତ୍ୟାଦି।     

ଓଡ଼ିଶାର ଷ୍ଟାର୍ଟଅପଗୁଡ଼ିକୁ ବିଭିନ୍ନ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏପରିକି ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଲାଗି ମଧ୍ୟ ଏଥିରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ଷ୍ଟାର୍ଟଅପଗୁଡ଼ିକୁ ବିକଶିତ କରିବା ପାଇଁ ଅଧିକ ନିବେଶ ଆବଶ୍ୟକ। ରାଜ୍ୟର ଉଚ୍ଚ ଆୟକାରୀ ବର୍ଗଙ୍କୁ ନିବେଶ କରିବାକୁ ଆହ୍ଵାନ ଦେଇ ଭୁବନେଶ୍ୱର ଏଞ୍ଜେଲ୍ସ ଓ ଷ୍ଟାର୍ଟଅପ ଓଡ଼ିଶା ମିଳିତ ଭାବେ ଏ ଦିଗରେ ଏକ ବିଶେଷ ପଦକ୍ଷେପ ଆରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଏଚଏନଆଇ ମିଟ୍’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଭୁବନେଶ୍ଵରରେ ଆୟୋଜିତ ହୋଇଥିଲା ‘ଏଚଏନଆଇ ମିଟ୍’। ଏଥିରେ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ରାଜ୍ୟର ଅନେକ ଉଚ୍ଚ ଆୟକାରୀ ବ୍ୟକ୍ତି, ଶିଳ୍ପପତି, ବ୍ୟବସାୟୀ ତଥା ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ। ନୂଆ ଏଞ୍ଜେଲ୍ ଇନଭେଷ୍ଟରମାନଙ୍କୁ ଷ୍ଟାର୍ଟଅପଗୁଡ଼ିକ ସହ ଯୋଡ଼ିବା ପାଇଁ ହେଉଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ଏଠାରେ ଚର୍ଚ୍ଚା ହୋଇଥିଲା।

ଓଡ଼ିଶାର ଏକ ପ୍ରମୁଖ ନିବେଶକାରୀ ଗୋଷ୍ଠୀ ଭାବେ ‘ଭୁବନେଶ୍ଵର ଏଞ୍ଜେଲ୍ସ’ ଅନେକ ଦିନରୁ ବିଭିନ୍ନ ଷ୍ଟାର୍ଟଅପ୍ ଓ ଉଦ୍ୟୋଗରେ ନିବେଶ କରିଆସୁଛି। ତେବେ ନିବେଶ ପାଇଁ ଆଗ୍ରହୀ ଥିବା ଉଚ୍ଚ ଆୟକାରୀ ବ୍ୟକ୍ତିମାନଙ୍କୁ ସଂସ୍ଥା ସହ ଯୋଡ଼ିବା ପାଇଁ କାର୍ଯ୍ୟକ୍ରମରେ ବିଶେଷ ଅଲୋଚନା କରାଯାଇଥିଲା।

“ରାଜ୍ୟର ଉଚ୍ଚ ଆୟକାରୀ ବ୍ୟକ୍ତିମାନଙ୍କୁ ଏକାଠି କରି ନୂଆ ଉଦ୍ୟୋଗ ତଥା ଷ୍ଟାର୍ଟଅପଗୁଡ଼ିକରେ ନିବେଶ ପାଇଁ ପ୍ରେରିତ କରିବାକୁ ଷ୍ଟାର୍ଟଅପ ଓଡ଼ିଶା ଓ ଭୁବନେଶ୍ଵର ଏଞ୍ଜେଲ୍ସ ପକ୍ଷରୁ ମିଳିତ ଭାବେ ପଦକ୍ଷେପ ନିଆଯାଉଛି। ଓଡ଼ିଶାରେ ବଢ଼ୁଥିବା ଷ୍ଟାର୍ଟଅପଗୁଡ଼ିକର ଅଭିବୃଦ୍ଧି ପାଇଁ ଅଧିକ ସଂଖ୍ୟାରେ ଏଞ୍ଜେଲ୍ ଇନଭେଷ୍ଟରମାନଙ୍କୁ ଆଗକୁ ଆସିବା ଜରୁରୀ। ଏହା ରାଜ୍ୟର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ବିକଶିତ କରିପାରିବ”, କହିଛନ୍ତି କ୍ରାଉନ ଭୁବନେଶ୍ଵରର ପରିଚାଳନା ନିର୍ଦ୍ଦେଶକ ତଥା ଭୁବନେଶ୍ଵର ଏଞ୍ଜେଲ୍ସର ପ୍ରତିଷ୍ଠାତା ସଦସ୍ୟ ଦେବାଶିଷ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ଵର ଏଞ୍ଜେଲ୍ସ ପକ୍ଷରୁ ଏଚଏନଆଇମାନଙ୍କୁ ଏକାଠି କରାଯାଇ ବିଭିନ୍ନ ଷ୍ଟାର୍ଟଅପରେ ମିଳିତ ଭାବେ ନିବେଶ କରିବାକୁ ଉଦ୍ୟମ କରାଯାଉଛି। ଯାହା ଦ୍ଵାରା ସମସ୍ତଙ୍କ ଫାଇଦା ହେବା ସହ କ୍ରେଡିଟ୍ ରିସ୍କ ମଧ୍ୟ କମ ହୋଇଥାଏ। ଏହି ନିବେଶ ଦ୍ଵାରା ଷ୍ଟାର୍ଟଅପମାନଙ୍କ ସହାୟତା ହେବା ସହ ରାଜ୍ୟ ଅର୍ଥନୀତିକୁ ମଧ୍ୟ ବଳ ମିଳିବ।”

ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର ସିନିୟର ମିଶନ ଆସୋସିଏଟ୍ ରଶ୍ମୀରଞ୍ଜନ ସାହୁ ଯୋଗ ଦେଇ ସମ୍ପ୍ରତି ରାଜ୍ୟର ଷ୍ଟାର୍ଟଅପ୍ ଇକୋସିଷ୍ଟମ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ତେବେ ଷ୍ଟାର୍ଟଅପମାନଙ୍କ ବିକାଶ ପାଇଁ ଏଚଏନଆଇ ଭୂମିକା ବିଷୟରେ ସେ କହିଥିଲେ।

“ଓଡ଼ିଶାରେ ଏବେ ଷ୍ଟାର୍ଟଅପ୍ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଷ୍ଟାର୍ଟଅପ୍ ଓଡ଼ିଶା ଅଧୀନରେ ଏ ଯାଏଁ ୧୮୦୦ରୁ ଅଧିକ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇସାରିଲେଣି। ସେଥିମଧ୍ୟରୁ ୪୦ ପ୍ରତିଶତ ଷ୍ଟାର୍ଟଅପରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ତେବେ ସେମାନଙ୍କ ବିକାଶ ପାଇଁ ଉଚ୍ଚ ଆୟକାରୀ ବ୍ୟକ୍ତିମାନଙ୍କ ନିବେଶ ବେଶ୍ ଜରୁରୀ। ଆମେ ଭୁବନେଶ୍ଵର ଏଞ୍ଜେଲ୍ସର ସହଭାଗିତାରେ ଏଚଏନଆଇମାନଙ୍କୁ ଷ୍ଟାର୍ଟଅପରେ ନିବେଶ ପାଇଁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛୁ। ଏହା ଉଭୟଙ୍କ ପାଇଁ ଲାଭଦାୟକ ହେବ”, କହିଥିଲେ ରଶ୍ମୀରଞ୍ଜନ ସାହୁ।    

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଏଞ୍ଜେଲ୍ସ ପକ୍ଷରୁ ନିବେଶ ସହାୟତା ପାଇଥିବା କିଛି ଷ୍ଟାର୍ଟଅପ ଉଦ୍ୟୋଗୀ ନିଜର ଅଭିଜ୍ଞତା ବଖାଣି ଥିଲେ। ସେମାନଙ୍କ ଷ୍ଟାର୍ଟଅପକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ମିଳିଥିବା ପୁଞ୍ଜି ମାଧ୍ୟମରେ ସେମାନେ ଆଜି କିଭଳି ସଫଳ ହୋଇପାରିଛନ୍ତି ସେ ବିଷୟରେ କହିଥିଲେ।

“ଗୋଟେ ଷ୍ଟାର୍ଟଅପ କିଭଳି ଭାବେ ବିକଶିତ ହୁଏ, ସେ ବାବଦରେ ମୋର ବିଶେଷ ଧାରଣା ନଥିଲା। ‘ବୁକିଂ ଜିନି’କୁ ଆରମ୍ଭ କରିବା ସମୟରେ ମତେ ଭୁବନେଶ୍ଵର ଏଞ୍ଜେଲ୍ସରୁ ବହୁତ ସହଯୋଗ ମିଳିଲା। ଏହାର ସଦସ୍ୟମାନେ ମୋ ଷ୍ଟାର୍ଟଅପରେ ନିବେଶ କରିବା ସହ ମୋର ଉଚିତ ମାର୍ଗଦର୍ଶନ କରିଥିଲେ, ଯାହା ଫଳରେ ଏହା ଆଜି ସଫଳ ହୋଇପାରିଛି”, କହିଛନ୍ତି ବୁକିଂ ଜିନିର ପ୍ରତିଷ୍ଠାତା ଶିବାଶିଷ ମିଶ୍ର।

ସେହିପରି କଳାହାଣ୍ଡିର ମାଣିକସ୍ତୁ ଏଗ୍ରୋର ପ୍ରତିଷ୍ଠାତା ଜୟନ୍ତୀ ମହାପାତ୍ର ଏଠାରେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ କହିଥିଲେ। ଉଚ୍ଚ ଆୟକାରୀ ବ୍ୟକ୍ତିମାନେ ଭୁବନେଶ୍ଵର ଏଞ୍ଜେଲ୍ସ ସହ ଯୋଡ଼ି ହୋଇ କିଭଳି ଭାବେ ରାଜ୍ୟର ଷ୍ଟାର୍ଟଅପ ଇକୋସିଷ୍ଟମର ବିକାଶରେ ବଡ଼ ଭୂମିକା ଗ୍ରହଣ କରିପାରିବେ, ସେ ବିଷୟରେ ବର୍ଣ୍ଣନା କରିଥିଲେ। ଏହାସହ ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ମନୀଷା ନନ୍ଦ ଆଚାର୍ଯ୍ୟ ଓ ସିଦ୍ଧାନ୍ତ ଶତପଥୀ ଯୋଗ ଦେଇ ରାଜ୍ୟରେ ଷ୍ଟାର୍ଟଅପମାନଙ୍କ ବିକାଶ ବାବଦରେ କହିଥିଲେ।

‘ଏଚଏନଆଇ ମିଟ୍’କୁ ସୁଦୂରପ୍ରସାରୀ କରିବା ପାଇଁ ‘ରୋଟାରୀ ଭୁବନେଶ୍ଵର’ ଏହା ସହ ଆଉଟରିଚ୍ ପାର୍ଟନର ଭାବେ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ ଭୁବନେଶ୍ଵରର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ସେ ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମର ବିକାଶ ପାଇଁ ଉଚ୍ଚ ଆୟକାରୀ ବ୍ୟକ୍ତିମାନଙ୍କୁ ଆଗକୁ ଆସିବାକୁ ଆହ୍ଵାନ ଦେଇଥିଲେ।

“ଷ୍ଟାର୍ଟଅପମାନଙ୍କ ବିକାଶ ରାଜ୍ୟର ଅର୍ଥନୈତିକ ପ୍ରଗତି ସହ ସିଧାସଳଖ ଭାବେ ଜଡ଼ିତ। ପ୍ରାରମ୍ଭିକ ପର୍ଯ୍ୟାୟରୁ ସେମାନଙ୍କୁ ଗଢ଼ି ତୋଳିବାର ଆବଶ୍ୟକତା ରହିଛି। ସେମାନଙ୍କୁ ମାର୍କେଟିଂ ତଥା ଫାଇନାନ୍ସ ବିଷୟରେ ପ୍ରଶିକ୍ଷିତ କରିବାରେ ଏଞ୍ଜେଲ୍ ଇନଭେଷ୍ଟରମାନଙ୍କର ବଡ଼ ଭୂମିକା ରହିବ। ଏଚଏନଆଇମାନେ ନିବେଶକ ହେବା ସହ ଜଣେ ଭଲ ମେଣ୍ଟର ଭାବେ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ଉଚିତ୍ ମାର୍ଗଦର୍ଶନ କରିପାରିବେ”, କହିଥିଲେ ଜୟଶ୍ରୀ ମହାନ୍ତି।

ସେହିପରି କାର୍ଯ୍ୟକ୍ରମରେ ବିଶିଷ୍ଟ ଉଦ୍ୟୋଗୀ ତଥା ଭୁବନେଶ୍ଵର ଏଞ୍ଜେଲ୍ସର ପ୍ରତିଷ୍ଠାତା ସଦସ୍ୟ ସୁନିଲ ତନେଜା ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ହେଉଥିବା ନିବେଶ ବିଷୟରେ ସୂଚନା ଦେଇଥିଲେ। ଷ୍ଟାର୍ଟଅପମାନଙ୍କ ପାଇଁ ଏହା କିପରି ଉପଯୋଗୀ ହୋଇପାରିଛି ସେ ବାବଦରେ କହିଥିଲେ।    

ସେ କହିଥିଲେ, “ଜଣେ ନିବେଶକ ପାଇଁ ଷ୍ଟାର୍ଟଅପମାନଙ୍କ ବିଷୟରେ ଜାଣିବା ନିହାତି ଜରୁରୀ, ଯାହାଦ୍ୱାରା ସେମାନେ ସେଥିରେ ନିବେଶ ପାଇଁ ଆଗ୍ରହୀ ହେବେ। ହେଲେ ଷ୍ଟାର୍ଟଅପମାନଙ୍କ ବିଷୟରେ ସବୁ ସୂଚନା ପାଇବାରେ ଅନେକ ନିବେଶକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଭୁବନେଶ୍ଵର ଏଞ୍ଜେଲ୍ସ ପକ୍ଷରୁ ଆମେ ନିବେଶକ ଓ ଷ୍ଟାର୍ଟଅପମାନଙ୍କ ମଧ୍ୟରେ ଏହି ସମସ୍ୟାକୁ ଦୂର କରିଥାଉ, ଯେଉଁଠାରେ ନିବେଶକମାନେ ଷ୍ଟାର୍ଟଅପ୍ ବାବଦରେ ସଠିକ୍ ସୂଚନା ପାଇ ନିବେଶ କରିଥାନ୍ତି।”  

ପୂର୍ବରୁ ଭୁବନେଶ୍ଵର ଏଞ୍ଜେଲ୍ସ ପକ୍ଷରୁ ଅନୁଗୁଳ ଓ ବ୍ରହ୍ମପୁରରେ ‘ଏଚଏନଆଇ ମିଟ୍’ର ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଉଦ୍ୟୋଗୀ ଓ ବ୍ୟବସାୟୀମାନଙ୍କୁ ଏକତ୍ରିତ କରି ଅନେକ ଷ୍ଟାର୍ଟଅପରେ ନିବେଶ ସମ୍ଭାବନା ବିଷୟରେ ଅଲୋଚନା କରାଯାଇଥିଲା।  

ଭୁବନେଶ୍ୱରରେ ହୋଇଥିବା ‘ଏଚଏନଆଇ ମିଟ୍’ରେ ଜେଡ୍ ଇଷ୍ଟେଟ୍ସର ପରିଚାଳନା ନିର୍ଦ୍ଦେଶକ ତପନ କୁମାର ମହାନ୍ତି, ମେକେମ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଜେ କେ ରଥ, ଡିଏନ ହୋମ୍ସର ନିର୍ଦ୍ଦେଶକ ରତ୍ନମାଳା ସ୍ଵାଇଁ, ଟାଇ ଭୁବନେଶ୍ଵରର ଉପସଭାପତି ସତ୍ୟବ୍ରତ ରଥ, ଫିକି ଫ୍ଲୋ ଭୁବନେଶ୍ଵରର ଅଧ୍ୟକ୍ଷା ସୁନିତା ମହାନ୍ତି, ଓଡ଼ିଶାଲାଇଭ୍’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ, ଭୁବନେଶ୍ଵର ଏଞ୍ଜେଲ୍ସର ସଦସ୍ୟା ତଥା ମେଫାର୍ମ ଏଗ୍ରୋଟେକର ପ୍ରତିଷ୍ଠାତା ସ୍ଵସ୍ତି ମିଶ୍ର, ଇଣ୍ଡସ କଲେଜ ଅଫ ଇଞ୍ଜିନିୟରିଂର ନିର୍ଦ୍ଦେଶକ ପ୍ରସନ୍ନା ପତି, ଅଉରା ଏନଏକ୍ସଟି ସ୍କିଲ ଏକାଡେମିର ପ୍ରତିଷ୍ଠତା ଅନୁରାଧା ମହାନ୍ତି, ବାଟୋଇ ସିଷ୍ଟମ୍ସର ପ୍ରତିଷ୍ଠତା ଅଶ୍ଵିନୀ ରଥ, ଏସ କମର୍ସିଆଲର ପରିଚାଳନା ନିର୍ଦ୍ଦେଶକ ଧର୍ମାଦିତ୍ୟ ପଟ୍ଟନାୟକ, ହୋଟେଲ ସାଗର ତରଙ୍ଗର ପ୍ରତିଷ୍ଠାତା ପ୍ରଭୁ ସୁବୁଦ୍ଧି, ବେକର୍ସ ବୁଟିକର ପ୍ରତିଷ୍ଠାତା କୋମଲ ରାଜ ସୁବୁଦ୍ଧି, ସିଆଇଆଇ ମହିଳା ଫୋରମର ସଦସ୍ୟା ମୋନାଲିସା ପଣ୍ଡା ଏବଂ ଜୁବିନା ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶାର ଷ୍ଟାର୍ଟଅପମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୫ ମସିହାରେ ‘ଭୁବନେଶ୍ୱର ଏଞ୍ଜେଲ୍ସ’ର ଗଠନ ହୋଇଥିଲା। ରାଜ୍ୟର ୨୮ ଜଣ ବିଶିଷ୍ଟ ଉଦ୍ୟୋଗୀ ତଥା ଶିଳ୍ପପତିଙ୍କ ଦ୍ଵାରା ଏହାର ଆରମ୍ଭ କରାଯାଇଥିଲା। ବିଭିନ୍ନ ଷ୍ଟାର୍ଟଅପରେ ନିବେଶ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁଷ୍ଠାନ ପକ୍ଷରୁ ୫ କୋଟି ଟଙ୍କା ଫଣ୍ଡର ବ୍ୟବସ୍ଥା ହୋଇଥିଲା।

Tags: #BhubaneswarAngels #HNIMeet #AngelInvestors #StartupEcoSystem #StartupOdisha

Comment