ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାଲାଇଭ୍ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ଅଫ୍ବିଜିନେସ୍’ର ସହପ୍ରତିଷ୍ଠାତା ଓ ସିଇଓ ଆଶିଷ ମହାପାତ୍ରଙ୍କ ସହ ସୁବ୍ରତ ବାଗ୍ଚୀଙ୍କ ବାର୍ତ୍ତାଳାପ ଆସନ୍ତୁ ଦେଖିବା।
‘ଓଡ଼ିଶାଲାଇଭ୍’ର ଓ୍ୱେବ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ ୨୦୨୧ ମସିହାରେ ପ୍ରସାରିତ ହୋଇଥିଲା। ଏହାର ଷଷ୍ଠ ଅଧ୍ୟାୟରେ ଅତିଥି ଥିଲେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ଜଣାଶୁଣା ଷ୍ଟାର୍ଟଅପ୍ କମ୍ପାନି ‘ଅଫ୍ବିଜିନେସ୍’ର ସହପ୍ରତିଷ୍ଠାତା ତଥା ସିଇଓ ଆଶିଷ ମହାପାତ୍ର। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ତତକାଳୀନ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଉପସ୍ଥାପନା କରିଥିଲେ।
ଯୁବ ଶିଳ୍ପୋଦ୍ୟୋଗୀ ଆଶିଷ ମହାପାତ୍ର। ଘର କଟକ। ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲ ଏବଂ ରେଭେନ୍ସା କଲେଜରୁ ପଢ଼ା ପରେ ଆଇଆଇଟି ଖଡ଼ଗପୁରରୁ ବି-ଟେକ୍ କରିଥିଲେ ଆଶିଷ। ଏହାପରେ ହ୍ରାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ରୁ ଏମ୍ବିଏ କରି ମେକାନ୍ସି ଭଳି ଏକ ଅନ୍ତର୍ଜାତୀୟ କନ୍ସଲ୍ଟିଂ କମ୍ପାନିରେ ଆଶିଷ କାମ କରିଥିଲେ। ଏହାପରେ କିଛି ସହଯୋଗୀଙ୍କୁ ନେଇ ୨୦୧୫ରେ ସେ ଆରମ୍ଭ କରିଥିଲେ ଏକ ଫିନାନ୍ସିଆଲ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ‘ଅଫ୍ବିଜିନେସ୍’।
ଏହି କମ୍ପାନି ମୁଖ୍ୟତଃ ଛୋଟ ଏବଂ ମଧ୍ୟମ ବର୍ଗର ଉଦ୍ୟୋଗର ପରିଚାଳନା ନିମନ୍ତେ ଆବଶ୍ୟକୀୟ କଞ୍ଚାମାଲ୍ ଏବଂ ଆର୍ଥିକ ସେବା ଯୋଗାଇଥାଏ। ଫଳରେ ଛୋଟ ଛୋଟ ଉଦ୍ୟୋଗର ପରିଚାଳନାରେ ଦେଖାଯାଉଥିବା ସମସ୍ୟା ଦୂର ହୋଇ ପାରୁଛି। ସବୁଠାରୁ ବଡ଼କଥା ହେଲା ମାତ୍ର ୬ ବର୍ଷ ମଧ୍ୟରେ ଆଶିଷଙ୍କ ଷ୍ଟାର୍ଟଅପ୍ ‘ଅଫ୍ବିଜିନେସ୍’ ବିଶ୍ଵର ଏକ ‘ୟୁନିକର୍ନ’ ହୋଇପାରିଛି।
ଯୁବ ଉଦ୍ୟୋଗୀ ଆଶିଷ ମହାପାତ୍ର ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ଏହି ବିଶେଷ କାର୍ଯ୍ୟକ୍ରମରେ ତାଙ୍କ ଉଦ୍ୟୋଗୀ ଜୀବନ, ବିଶେଷକରି ଷ୍ଟାର୍ଟଅପ୍ ଯାତ୍ରା ପଛର ସଂଘର୍ଷ ଓ ସଫଳତାକୁ ଆସନ୍ତୁ ଜାଣିବା।
Tags: #Startup #AsishMohapatra #OfBusiness #StartupStory #StartupOdisha #SkilledinOdisha #SkillIndia #Odisha #ଷ୍ଟାର୍ଟଅପଷ୍ଟୋରି #ଆଶିଷମହାପାତ୍ର


















